ବିଶ୍ୱ ଅଙ୍ଗଦାନ ଦିବସ

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ଓ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଟପଦା ଛକ ନିକଟରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ବିଶ୍ୱ ଅଙ୍ଗଦାନ ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଅଙ୍ଗଦାନ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ଅଙ୍ଗଦାନ ଦିବସ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଅଙ୍ଗଦାନ ସର୍ବୋତ୍ତମ ଦାନ ହୋଇଥିବାରୁ ମୃତ୍ୟୁ ପରେ ଅଙ୍ଗଦାନ କରି ଅନ୍ୟକୁ ନୁଆଁ ଜୀବନ ଦେବାକୁ ପରାମର୍ଶ ଦେବା ସାଙ୍ଗକୁ ଜଣେ ମସ୍ତିଷ୍କ ମୃତ୍ୟୁ ବ୍ୟକ୍ତିର ଅଙ୍ଗଦାନ ପ୍ରାୟ ୮ ଜଣ ବ୍ୟକ୍ତିଙ୍କର ଜୀବନ ରକ୍ଷା କରିବାରେ ବିଶେଷ ସହାୟକ ହୋଇଥାଏ । ମୃତ୍ୟୁ ପରେ (ବ୍ରେନ୍‍ ଡେଡ୍‍) ଶରୀରର ବିଭିନ୍ନ ଅଙ୍ଗକୁ ବିଭିନ୍ନ ସମୟରେ ଇଛୁକ ପରିବାର ଦାନ କରିଥାନ୍ତି । ମୃତ ଶରୀରର କିଛି ଅଙ୍ଗ ଦ୍ୱାରା ଅନେକ ଲୋକଙ୍କର ଉପକାର ହୋଇଥିଲା ବେଳେ ଆଉ କିଛି ଅଙ୍ଗ ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କର ଜ୍ଞାନ ଆହରଣରେ ବିଶେଷ ସହାୟକ ହୋଇଥାଏ । ମନୁଷ୍ୟ ଶରୀରର ପ୍ରମୁଖ ଅଙ୍ଗ ଅର୍ଥାତ୍‍ ହୃଦୟ, ଯକୃତ, କିଡନୀ ଓ ଫୁସ୍‍ଫୁସ୍‍ ସମସ୍ୟାକୁ ନେଇ ବହୁ ବ୍ୟକ୍ତି ବିଭିନ୍ନ ସମୟରେ ମୃତ୍ୟୁମୁଖରେ ପଡିଥାନ୍ତି । ମୃତ୍ୟୁ ପରେ ଖୁବ୍‍ କମ୍‍ ଲୋକ ଅନ୍ୟର ଉପକାର ପାଇଁ ଅଙ୍ଗଦାନ କରିଥାନ୍ତି । ଅଙ୍ଗଦାନ କରୁଥିବା ବ୍ୟକ୍ତି ସଂପୁର୍ଣ୍ଣ ସୁସ୍ଥ ହୋଇଥିବା ଆବଶ୍ୟକ । କ୍ୟାନ୍ସର୍‍, ଏଚ୍‍ଆଇଭି ଏବଂ ôହୃଦରୋଗରେ ପୀଡିତ ବ୍ୟକ୍ତି ଅଙ୍ଗଦାନ କରିପାରିବେ ନାହିଁ । ଜଣେ ବ୍ୟକ୍ତିଙ୍କ ଅଙ୍ଗଦାନ ଅନ୍ୟ ଜଣଙ୍କୁ ନୁଆଁ ଜୀବନ ଦେଇଥାଏ । ଓଡିଶା ସରକାର ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗଦାତାଙ୍କ ପରିବାରକୁ ସୁରଜ ସମ୍ମାନରେ ସମ୍ମାନିତ କରିବା ସାଙ୍ଗକୁ ଅଙ୍ଗଦାତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ସଂପୁର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ କରୁଛନ୍ତି । ଶରୀର ହେଉଛି ଆତ୍ମାକୁ ଘୋଡାଇ ରଖିବାର ଏକ ଆବରଣ । ଆତ୍ମା ଚାଲିଯିବା ପରେ ଏହା ସଂପୁର୍ଣ୍ଣ ଅଲୋଡା ହୋଇଯାଇଥାଏ । ତେଣୁ ଅଙ୍ଗଦାନ ପାଇଁ ସଚେତନତାର ଆବଶ୍ୟକତା ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଛି । ବିଶ୍ୱ ଅଙ୍ଗଦାନ ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍‍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍‍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ