ଓଡ଼ିଶା ସାହିତ୍ୟ ଏକାଡେମୀର ଭଞ୍ଜ ସ୍ମୃତିସଭା ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଦେବଭୂମି ଭାରତବର୍ଷର ଯେଉଁ କେତୋଟି ସାରସ୍ଵତ ପୀଠ ରହିଛି ତନ୍ମଧ୍ୟରୁ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ବତ ପୀଠ ଘୁମୁସର ଅଗ୍ରଗଣ୍ୟ। ଓଡ଼ିଆ ଅସ୍ମିତାକୁ ବାସ୍ତବ ରୂପାୟନ କରିଥିବା ଯୋଗଜନ୍ମା ସାଧକ କବିସମ୍ରାଟ ଙ୍କ ନାମାନୁସାରେ ନାମିତ ଭଞ୍ଜନଗର ସହରର ନାଭି କେନ୍ଦ୍ରରେ ଅବସ୍ଥିତ ନିୟନ୍ତ୍ରିତ ବଜାର କମିଟିର ସଭାକକ୍ଷରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସ୍ମୃତି ସଭା ଗତ ଶୁକ୍ରବାର ସନ୍ଧ୍ୟା ରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଯୋକ୍ତା ଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସକ୍ରିୟ ସହଯୋଗ କରିଥିଲେ ଭଂଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ। ସାହିତ୍ୟ ଏକାଡେମୀ ତରଫରୁ ଏହି କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ଉପ ସଚିବ ସଂଜୟ କୁମାର ଛୁଆଳ ସିଂ।
ତତ୍ ପରେ ଜଗତର ନାଥ ଜଗନ୍ନାଥଙ୍କୁ ଓ ଉପେନ୍ଦ୍ର ଭଞ୍ଜଙ୍କ ତୈଳ ଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମର ଆକର୍ଷଣର କେନ୍ଦ୍ରବିନ୍ଦୁ ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ମୁଖ୍ୟ ବକ୍ତା ଡ଼ଃ ଶାନ୍ତନୁ କୁମାର ରଥ, ବିଶିଷ୍ଟ ଅତିଥି ଡ଼ କମ୍ବୁପାଣି ପାଣି ସାମନ୍ତ, ସମ୍ମାନୀତ ଅତିଥି ଭଂଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଗୋପବନ୍ଧୁ ମହାପାତ୍ର , ଆଇନଜୀବୀ ସୋମନାଥ ନାୟକ, ସାହିତ୍ୟିକ ସୁରେନ୍ଦ୍ର ନାଥ ଛୋଟରାୟ, ସାହିତ୍ୟ ଏକାଡେମୀ ପ୍ରତିନିଧି ସଂଜୟ କୁମାର ଛୁଆଳ ସିଂ ଓ ଭଞ୍ଜ ଗବେଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ଓ ଅଧ୍ୟାପକ ଦୁର୍ଗା ମାଧବ ଦାଶ, ରୋଜି ମାଡାମ୍ ଓ ଲୋକନାଥ ମହାନ୍ତିଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ
ଗାନ କରାଯାଇଥିବା ବେଳେ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର I ଶିକ୍ଷକ ଶ୍ରୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ନିଜର ଭଂଜ ସାହିତ୍ୟରେ ଥିବା ପ୍ରବେଶକୁ ଏକ କାବ୍ୟିକ ଝଲକ ମାଧ୍ୟମରେ ଉପସ୍ଥାପନା କରିଥିଲେ ଏବଂ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଜାତିର କର୍ଣ୍ଣଧାର ବୋଲି କହିଥିଲେ । ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ବିଧାୟକ ” ମାଟିର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବୀରପୁତ୍ର ଚକରା ବିଷୋୟୀଙ୍କୁ ବିଶ୍ବ ଦରବାରରେ ପରିଚିତ କରାଇବାକୁ ଯତ୍ପରୋନାସ୍ତି ଉଦ୍ୟମ କରୁଥିବା ” ବର୍ଣ୍ଣନା କରିଥିଲେ । ଓଡ଼ିଶାର ସ୍ୱନାମଧନ୍ୟ ପାଲାକାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଞ୍ଜ ସାହିତ୍ୟରେ ଜଗନ୍ନାଥଙ୍କ କଥାମୃତ ମାଧ୍ୟମରେ ଓଡ଼ିଆ ଅସ୍ମିତା ଏବଂ ଭଂଜ ସାହିତ୍ୟରେ ଆଧ୍ୟାତ୍ମିକ ଏବଂ ସମାଜ ଚେତନା, ଶବ୍ଦ ଚାତୁରୀ, ରସ ଏବଂ ସୌନ୍ଦର୍ଯ୍ୟବୋଧ , ଓଡ଼ିଆ ଅସ୍ମିତା ଭଂଜ ସାହିତ୍ୟରେ ବାରମ୍ବାର ପ୍ରତିଫଳନର ଦୃଷ୍ଟାନ୍ତ ଦେଇ ଏକ ସାରଗର୍ଭକ , ମାର୍ମିକ ଓ ତାତ୍ତ୍ବିକ ଆଲୋଚନା କରିଥିଲେ । ସଂସ୍କୃତ ସାହିତ୍ୟ ସହିତ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟର ଉତ୍କର୍ଷ ସହ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ ସହ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ସ୍ଵକୀୟ ବାଗ୍ମିତାରେ ଅଭିଭୂତ କରିଥିଲେ । ସମ୍ମାନୀତ ଅତିଥି ଡ଼ କମ୍ବୁପାଣି ସାମନ୍ତ ଭଞ୍ଜଙ୍କ କାବ୍ୟରେ ଥିବା ସକାରାତ୍ମକ ଚେତନାର ବହୁ ଦୃଷ୍ଟାନ୍ତ ଦେଇ ଭଞ୍ଜ ସାହିତ୍ୟର ଅଧ୍ୟୟନକାରୀ ଓ ଅନୁଗାମୀ ହେବାପାଇଁ ଆହ୍ବାନ ଦେଇଥିଲେ। ସମ୍ମାନୀତ ଅତିଥି ଶ୍ରୀ ମହାପାତ୍ର ଭଂଜଙ୍କ ଅତୁଳନୀୟ କଳାକୁ ଲୋକପ୍ରିୟ କରିବାରେ ସମସ୍ତେ ହାତ ମିଳାଇ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ ଦେଇଥିଲ । ମୁଖ୍ୟ ବକ୍ତା ପ୍ରାର୍ଥନା ଚ୍ୟାନେଲ ପ୍ରସାରିତ ଜ୍ଞାନ ଗୁରୁ କାର୍ଯ୍ୟକ୍ରମର ମହାଗୁରୁ ଡକ୍ଟର ଶାନ୍ତନୁ କୁମାର ରଥ ମହୋଦୟ ଉପେନ୍ଦ୍ର ଭଞ୍ଜଙ୍କ ଓଡ଼ିଆ ଅସ୍ମିତାକୁ ବିଶ୍ବ ଦରବାରରେ ପରିଚିତ କରାଇବାକୁ ଉଦ୍ୟମ , ଭଞ୍ଜ ବଂଶର ଇତିହାସ, ସାହିତ୍ୟ ସାଧନା ଇତ୍ୟାଦି ଉପରେ ବିଶଦ ଭାବେ ଆଲୋଚନା କରିଥିଲେ । ସଭାପତି ଡକ୍ଟର ପଣ୍ଡା ଭଞ ସାହିତ୍ୟରେ ଥିବା ଆଳଂକାରିକତାର ଅନେକ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। ଲୋହରାଖଣ୍ଡି ସାହିତ୍ୟ ସଂସଦ ର ସମ୍ପାଦକ ଚିନ୍ମୟ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।