ଗୋବିନ୍ଦପୁର – ଜମ୍ଭରା ନଦୀବନ୍ଧ ରାସ୍ତା କୁ ପିଚୁ ଓ ପଥର ପ୍ୟାଚିଂ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି

ହାତଡ଼ିହି, (ବିକାଶ ବିଶ୍ୱାଳ):ଗୋବିନ୍ଦପୁର – ଜମ୍ଭରା ନଦୀବନ୍ଧ ରାସ୍ତାକୁ ପିଚୁ ଓ ପଥର ପ୍ୟାଚିଂ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଅଞ୍ଚଳବାସୀ। ଅଞ୍ଚଳବାସୀଙ୍କ ପକ୍ଷରୁ ଜନାର୍ଦନ ରାଉତ, ଅକ୍ଷୟ କୁମାର ମଲ୍ଲିକ, କୃପାସିନ୍ଧୁ ମଲ୍ଲିକ, ଆନନ୍ଦ ଚନ୍ଦ୍ର ଦାସ, ଅଜୟ କୁମାର ପଣ୍ଡା, ନଳିନୀକାନ୍ତ ମହାନ୍ତି ପ୍ରମୁଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଏହି ଦାବି ଉପସ୍ଥାପିତ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଏହି ନଦୀବନ୍ଧ ରାସ୍ତାଟି ଜଳସମ୍ପଦ ବିଭାଗ ଶାଳପଡା ଅଧୀନରେ ଥିବା ବେଳେ ଏହା ଉପରେ ସମଣା, ଗୋବିନ୍ଦପୁତ୍ର, ଆଗିରିଆ, ଜମ୍ଭରା, ଶାଳବଣି, ଢାଇପୋଖରୀ, ମଝିଗାଁ ଆଦି ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ଏହି ନଦୀବନ୍ଧ ରାସ୍ତା ପ୍ରତିବର୍ଷ ନିର୍ମାଣ ଓ ମରାମତି କରାଯାଉଥିଲେ ମଧ୍ୟ ତାହା ଦିନ କେଇଟା ଭିତରେ ନଷ୍ଟ ହୋଇଯାଉଛି। ବିରାଟ ବିରାଟ ଖାଲଖମା ସୃଷ୍ଟି ହେବା ଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ସେହିପରି ପ୍ରତିବର୍ଷ ବର୍ଷାଦିନରେ ବନ୍ୟାଜଳ ଆସିବା ଦ୍ୱାରା ନଦୀବନ୍ଧ ଟିର ମାଟି ଅତଡା ଖସି ନଦୀବନ୍ଧଟି ସଙ୍କୁଚିତ ହେବା ସହ ବିପଦ ସଂକୁଳ ହୋଇପଡିଛି। ଯଦି ୨୦୧୧ ଭଳି ବନ୍ୟାଜଳ ଆସେ ତେବେ ବନ୍ଧଟି ଭାଙ୍ଗି ଅନେକ ଗାଁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏଣୁ ଏହି ନଦୀବନ୍ଧର ଉଭୟ ପର୍ଶ୍ୱକୁ ପଥର ପ୍ୟାଚିଂ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ନଦୀବନ୍ଧର ସ୍ଥିତି ଓ ସମସ୍ୟା ସମ୍ପର୍କରେ ପୂର୍ବରୁ ଅବଗତ ଅଛନ୍ତି ଓ ଅତିଶୀଘ୍ର ଏନେଇ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ