ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ ଆସାମୀ କାଳନ୍ଦୀ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ମାଧ୍ୟମରେ ପିଡିତାଙ୍କୁ ଦେଢ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ଶ୍ରୁତିପୁର ଗ୍ରାମର କାଳନ୍ଦୀ ମଲ୍ଲିକ ଓ ତାଙ୍କର ଦୁଇ ସହଯୋଗୀ ଗତ ୨୦୧୩ ମସିହା ଏପ୍ରିଲ ମାସ ୪ ତାରିଖ ସନ୍ଧ୍ୟାରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ । ଛାତ୍ରୀ ଜଣକ ପାଖ ଗ୍ରାମରେ ଥିବା ଏକ ସାମାଜିକ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ପାଟକୁରା ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । କିନ୍ତୁ କାଳନ୍ଦୀ ଛାତ୍ରୀଙ୍କୁ ନେଇ ପଞ୍ଜାବ ପଳାଇଥିଲେ । ଫଳରେ ପୋଲିସ କାଳନ୍ଦୀର ସନ୍ଧାନ ପାଇ ନଥିଲା । କାଳନ୍ଦୀ ପଞ୍ଜାବରେ କିଛି ଦିନ ଛାତ୍ରୀଙ୍କୁ ରଖିବା ପରେ କୋରାପୁଟ୍ ଆସିଥିଲେ । କୋରାପୁଟ୍‌ରେ କିଛି ମାସ ରହିବା ପରେ ଛାତ୍ରୀ ଜଣକ ଅନ୍ତଃସତ୍ତ୍ୱା ହୋଇଥିଲେ । ଏହାପରେ କାଳନ୍ଦୀ ପାଟକୁରା ଥାନା ଅଧିନ ନିଜ ଗ୍ରାମ ଶ୍ରୁତିପୁରକୁ ଛାତ୍ରୀଙ୍କୁ ନେଇ ଆସିଥିଲା । ଅପହରଣର ଏକ ବର୍ଷ ପରେ ଛାତ୍ରୀ ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ଶିଶୁ କନ୍ୟାଟିର ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଯାଇଥିଲା । ଏ ସଂକ୍ରାନ୍ତରେ ଛାତ୍ରୀଙ୍କ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଫଳରେ ପୋଲିସ କାଳନ୍ଦୀକୁ ଗିରଫ କରିଥିଲା । ଏହାପରେ ପୋଲିସ ଅଦାଲତରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ମାମଲାର ବିଚାର ଚାଲିଥିବା ବେଳେ ୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଆସାମୀ କାଳନ୍ଦୀ ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବିଚାରପତି ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ