ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ ନିର୍ଦ୍ୱନ୍ଦରେ ମୋନନୀତ ପ୍ରାର୍ଥୀ ତାଲିକା ପ୍ରକାଶ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ନିର୍ବାଚନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ୮ ଜଣ ପ୍ରାର୍ଥୀ ନିଜ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ନିର୍ଦ୍ୱନ୍ଦ ମୋନନୀତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।ପୂର୍ବରୁ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତଙ୍କ ନାମାଙ୍କନ କାଏମ ରହିଥିଲା । ତେବେ ୧୨ ତାରିଖରେ ଅନୁଷ୍ଠିତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିବସରେ ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ ତିନୋଟି କାର୍ଯ୍ୟକାରୀ ସଦସ୍ୟ ପଦବୀରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର ନିର୍ଦ୍ୱନ୍ଦରେ ମୋନନୀତ ପ୍ରାର୍ଥୀ ତାଲିକାକୁ ଗୁରୁବାର ପ୍ରକାଶ କରିଛନ୍ତି । ନିର୍ଦ୍ୱନ୍ଦ ମୋନନୀତ ପ୍ରାର୍ଥୀ ତାଲିକା ଅନୁଯାୟୀ , ସଭାପତି ଭାବେ ସିରାଜ୍ଜୁଦ୍ଦିନ ଅହମ୍ମଦ , ଉପ ସଭାପତି ଭାବେ ସଦାଶିବ ସାହୁ, ସମ୍ପାଦକ ଭାବେ ତପନ କୁମାର ସିଂ, କୋଷଧକ୍ଷ ରୂପେ ସେଖ ବାବା ଅଲିଶା, କାର୍ଯ୍ୟକାରୀ ସଦସ୍ୟ ଭାବେ ଗଜେନ୍ଦ୍ର ଦାଶଙ୍କ ନାମ ରହିଛି । ନୂତନ କମିଟିର ଦାୟିତ୍ଵ ଗ୍ରହଣ ପରେ ଖାଲି ପଡ଼ିଥିବା ଯୁଗ୍ମ ସମ୍ପାଦକ ଓ ତିନୋଟି କାର୍ଯ୍ୟକାରୀ ସଦସ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର ପରିଚାଳନା କରିଥିବା ବେଳେ ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଏବଂ ଆଇନଜୀବୀ ତାଜ ଇମରାନ ସରିଫ ସହଯୋଗ କରିଥିଲେ ।