ପ୍ରଶାସନ ଓ ପୁଲିସର ମିଳିତ ଲକଡାଉନ ତଦାରଖ ଦୁଇ ଦୋକାନ ସିଲ
ଛତ୍ରପୁର, (ଓ୍ବାଇଏନ୍ଏସ୍) : କରେନା ସଂକ୍ରମଣ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ରବିବାର ଠାରୁ ଲକଡାଉନ ଜାରି କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଦୁଇ ଓ ଚାରି ଚକିଆ ଯାନ ଜରୁରୀ କାଳୀନ କାର୍ଯ୍ୟରେ ବ୍ୟବହାର କରିବାକୁ କଡ଼ା ନିର୍ଦ୍ଦେଶ ମଧ୍ୟ ରହିଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ କିଛି ଅମାନିଆ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ସହରର ବିଭିନ୍ନ ସ୍ଥାନ ମଧ୍ୟରେ ଅମାନିଆ ଗାଡ଼ି ଚାଳକ ବୁଲୁଛନ୍ତି । ପ୍ରଶାସନ ଏବଂ ପୁଲିସ ପକ୍ଷରୁ ସହରରେ ପେଟ୍ରୋଲିଂ ଜାରି ରହିଥିବା ସତ୍ୱେ ଅମାନିଆମାନେ ସଚେତନ ହେଉନାହାନ୍ତି । ଫଳରେ ସଂକ୍ରମଣ ବ୍ୟାପିବା ସମ୍ଭାବନା ହେତୁ ଅମାନିଆଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ବାଧ୍ୟ ହେଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏନଏସି ପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ସହାୟତାରେ ଆଜି ଛତ୍ରପୁରର ସହରର ବିଭିନ୍ନ ଗଳିକନ୍ଦି ବୁଲି ଲକଡାଉନର ତଦାରଖ କରିବା ସହ କିଛି ଅମାନିଆଙ୍କୁ ସଚେତନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସହରର ଦୁଇଟି ଦୋକାନକୁ ମଧ୍ୟ ଏନଏସି ପକ୍ଷରୁ ୭ ଦିନ ପାଇର୍ ସିଲ୍ କରାଯାଇଛି । ସେମାନେ ସାମାଜିକ ଦୂରତା ଓ କୋଭିଡ଼-୧୯କୁ ଉଲ୍ଲଙ୍ଘନ କରିଥିବା ହେତୁ ଏନଏସି ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି । ଏହାସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିନଥିବା କିଛି ଅମାନିଆଙ୍କଠାରୁ ୬,୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ସହରର ଲୋକମାନେ କିପରି କରୋନାରୁ ଦୂରେଇ ରହିବେ ଏବଂ ଘରେ ସୁରକ୍ଷିତ ରହିବେ, ସେଥିନିମନ୍ତେ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁଙ୍କ ନେତୃତ୍ୱରେ ବହୁ ସଚେତନ କରାଯାଉଛି । ଆଜିର ଏହି ତଦାରଖ କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବାବୁ, ଅତିରିକ୍ତ ତହସିଲଦାର ଜସ୍ମିନ କୁମାର ପ୍ରଧାନ, ଏନଏସିର ଯୁଗଳ କିଶୋର ଦାସ, ଜଗଦୀଶ ରେଡ୍ଡି ଏସ.ଦାଲେୟା ରେଡ୍ଡି, ପ୍ରଭାକର ବେହେରାଙ୍କ ସମେତ ବହୁ ପୁଲିସ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ । ଏହାସହ ଛତ୍ରପୁର ଏନଏସିର ଶାନ୍ତିନଗର ନିକଟ ତଳ ସାହିର ମୁଖ୍ୟରାସ୍ତାକୁ ବ୍ୟାରିକେଟ କରାଯିବା ସହ ବଡ଼ଷ୍ଟେସନ ନିକଟରେ ମଧ୍ୟ ମୁଖ୍ୟରାସ୍ତା ବ୍ୟାରିକେଟ କରାଯାଇଥିବା ସୂଚନା ମିଳିଛି ।