ବିପଦ ସଂକୁଳ ଅବସ୍ଥାରେ ପ୍ରାଥମିକ ବିଦ୍ୟାଳୟ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଅସୁରକ୍ଷିତ ଅବସ୍ଥାରେ ବିଦ୍ୟାର୍ଥୀ ମାନେ ପାଠ ପଢୁଛନ୍ତି । ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ କକ୍ଷ ରହିଛି । କିନ୍ତୁ ସମସ୍ତ ଶ୍ରେଣୀଗୃହ ପୁରୁଣା ହୋଇଥିବାରୁ ଅତି ବିପଦ ସଂକୁଳ ଅବସ୍ଥାରେ ରହିଛି । ବର୍ଷା ହେଲେ ଛାତରୁ ପାଣି ପଡିବା ସହ ଛାତରୁ ସିମେଣ୍ଟ ଛେଲା ଛାଡୁଛି । ତେଣୁ ସ୍କୁଲରେ ନିଜର ସନ୍ତାନ ମାନଙ୍କୁ ପାଠ ପଢାଇବାକୁ ଅଭିଭାବକମାନେ ଅମଙ୍ଗ କରୁଛନ୍ତି । ଏଭଳି ଏକ ସ୍କୁଲ ରହିଛି ଗଂଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଭିକାରୀ ପଲ୍ଲୀ ପଂଚାୟତର ପାଟପୁର ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟର ଗୃହ ନିର୍ମାଣ ନିମନ୍ତେ ଆଜି ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ପକ୍ଷରୁ ଏକ ସ୍ମାରକପତ୍ର ଛତ୍ରପୁର ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ସୀତାରାମ ପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ ଆମ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଂଚମ ଶ୍ରେଣୀ ଗୃହଟି ବହୁ ପୁରୁଣା ଗୃହ ଅଟେ । ବର୍ଷା ହେଲେ ସ୍କୁଲ ଗୃହରେ ବର୍ଷା ପାଣି ପଡ଼ିବା ସାଙ୍ଗକୁ ଛାତରୁ ସିମେଂଟ୍ ଖଣ୍ଡ ବାହାରି ତଳେପଡ଼ୁଛି । ଯଦ୍ୱାରା ଛାତ୍ରଛାତ୍ରୀମାନେ ପଢିବା ପାଇଁ ଅସୁବିଧା ହେଉଛି ଏବଂ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ନୂତନ କୋଠା ପାଇଁ ଆର୍ଥିକ ବର୍ଷ ୨୦୧୬-୧୭ ମସିହାରେ ୬ଲକ୍ଷ ୧୫ହଜାର ଟଙ୍କା ଆସିଛି । କିନ୍ତୁ ଏହାକୁ ଉଠାଣ କରି ସ୍କୁଲ କାମ କରାଯାଉନାହିଁ । ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସ୍କୁଲ କମିଟି ଓ ଅଭିଭାବକ ମାନେ ବହୁବାର ଜଣାଇଲେ ସୁଦ୍ଧା କୌଣସି କାର୍ଯ୍ୟକାରୀ ହେଉନାହିଁ । ତେଣୁ ତୁରନ୍ତ ସ୍କୁଲ ନିର୍ମାଣ କଲେ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ ପାଠ ପଢି ପାରିବେ । ନଚେତ ଆଗାମୀ ଦିନରେ ଗ୍ରାମବାସୀଙ୍କ ପକ୍ଷରୁ ବିରାଟ ଧରଣର ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଞ୍ଜାମ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ, ଭିକାରିପଲ୍ଲୀ ପଂଚାୟତର ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ପ୍ରମୋଦ ଦାଶ, ବିଚିତ୍ର କୁମାର ଦାଶ, କାଳୀଚରଣ ପୁରୋହିତ, ଅଜିତ କୁମାର ପଣ୍ଡା, ରାମଚନ୍ଦ୍ର ଦାଶ, ରଘୁନାଥ ଦାଶଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହାର ଏକ ନକଲ ଛତ୍ରପୁର ବିଡ଼ିଓଙ୍କ ଉଦ୍ଦେଶ୍ୟରେ ମୁଖ୍ୟ କିରାଣୀଙ୍କୁ ପ୍ରଦାନ କରାଯାଇଛି ।


