ଭାରତୀୟ ରେଳ ଏକ ଅବଲୋକନ
ପୃଥିବୀରେ ରେଳବାଇ କ୍ଷେତ୍ରରେ ଭାରତ ଚତୁର୍ଥ ସ୍ଥାନରେ ରହିଛି ପ୍ରାୟ ୧,୨୬,୫୨୧ କିଲୋମିଟର ରେଳ ଲାଇନ ଦ୍ୱାରା ଏହା ଭାରତର କୋଣ ଅନୁକୋଣ କୁ ସଂଯୋଗ କରୁଛି । ସତ କହିବାକୁ ଗଲେ ଭାରତୀୟ ରେଳ ଭାରତୀୟଙ୍କ ଜୀବନ ରେଖା, ରେଳ ବିନା ଅନ୍ୟ ଗତି ନାହିଁ ତେଣୁ ଧନୀ ଠାରୁ ଦରିଦ୍ର , ପିଲା ଠାରୁ ବୁଢା ସମସ୍ତେ ରେଳ ପରିବହନ ଉପରେ ଶତକଡା ୭୫ ଭାଗ ନିର୍ଭର କରନ୍ତି । ଖାଲି ସେତିକି ନୁହେଁ ମାଲ ପରିବହନର ସବୁଠାରୁ ବଡ଼ ଭୂମିକା ରେଳ ବିଭାଗ ଦ୍ୱାରା ସମ୍ପନ୍ନ ହୋଇଥାଏ । ଦୈନିକ ୧୨ ହଜାରରୁ ଅଧିକ ରେଳଗାଡ଼ି ଯାତ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ହୋଇଥାଏ, ଏହା ହୁଏତ ପୃଥିବୀର ସବୁଠାରୁ ବଡ଼ ପରିବହନ ବ୍ୟବସ୍ଥା , ଏତେ ବଡ଼ ସଂସ୍ଥାକୁ ଚଳାଇବା ପାଇଁ ପାଖାପାଖି ୧୫ ଲକ୍ଷ କର୍ମଚାରୀ ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଥା’ନ୍ତି ।ରେଳ ମନ୍ତ୍ରଣାଳୟ ଭାରତର ସର୍ବବୃହତ ସଂସ୍ଥାକୁ ପରିଚାଳନା କରନ୍ତି । ଆଧୁନିକ ଯୁଗକୁ ଲକ୍ଷ ରଖି ବିଦେଶୀ ଜ୍ଞାନ କୌଶଳକୁ ଗ୍ରହଣ କରି ତୁଳନାତ୍ମକ ଭାବେ ଆଧୁନିକ ଆରାମଦାୟକ ରେଳ ଡବା, ଉଚ୍ଚ ଶକ୍ତି ସମ୍ପନ୍ନ ରେଳ ଇଂଜିନ, ମସୃଣ ରେଳ ଧାରଣା, ବିଦ୍ୟୁତକରଣ , ଆଧୁନିକ ସିଗ୍ନାଲ , ଅନ୍ତର୍ଜାତୀୟ ମାନର ରେଳ ଷ୍ଟେସନ , ଯାତ୍ରୀ ନିବାସ, ପରିଷ୍କାର ପରିଚ୍ଛନ୍ନ, ସମୟାନୁବର୍ତିତା ଉପରେ ଅଧିକରୁ ଅଧିକ ଧ୍ୟାନ ଦେଇ ଆସୁଛି ବୋଲି ବହୁଳ ପ୍ରଚାରିତ ହେଉଛି, ଯଦିଓ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ସବୁଠାରୁ ବଡ଼କଥା ହେଲା ରେଳ ନିରାପତ୍ତା, ଏହାକୁ ଗୁରୁତ୍ୱର ସହ ବିଚାରକୁ ନିଆ ହୋଇଛି , ନିରାପତ୍ତା ବିହୀନ ଯାତ୍ରାର ମାନେ ମୃତ୍ୟୁ ସହିତ ଖେଳ, ତୃଣମୂଳ ସ୍ତରରୁ ଏହି ନିରାପତ୍ତା ସବୁ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ, କିନ୍ତୁ ଆଜିକାଲି ଅନେକ ଖାମଖିଆଲି କର୍ମଚାରୀଙ୍କ ଦ୍ୱାରା ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଜୀବନ ଯିବାର ନଜିର ରହିଛି । ଅନେକ ନୂତନ ବୈଷୟିକ ଜ୍ଞାନ କୌଶଳ ସହିତ ବେଗ ଗାମୀ, ଆରାମ ଦାୟକ ଯାତ୍ରୀବାହୀ ରେଳ ବିଭିନ୍ନ ସହରକୁ ସଂଯୋଗ କରୁଛି , କିନ୍ତୁ ରେଳ ଭିତ୍ତିଭୂମିର କେତେ ବିକାଶ ହୋଇଛି ତାହା କିଏ କହିବ ? ସେଥି ପ୍ରତି କାହାରି ଦୃଷ୍ଟି ନାହିଁ କହିଲେ ଚଳେ, ସେହି ପୁରୁଣା ରେଳ ଧାରଣା , ଅନେକ ପୁରୁଣା ପୋଲ , ବିପଦ ସଂକୁଳ ମାର୍ଗ ଦେଇ ଯାଉଥିବା ଦୂରଗାମୀ ଗାଡି ଗୁଡିକରେ ଯାଉଥିବା ଯାତ୍ରୀ ମାନେ କେତେ ନିରାପଦ, ଏହି ବିଷୟରେ ରେଳ ମନ୍ତ୍ରଣାଳୟ ଅବଗତ ଅଛନ୍ତି ତ’ ? ଖାଲି ବଡ ବଡ କଥା କହି ବାହସ୍ଫୋଟ ମାରିବା ବିଭାଗୀୟ ମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ ହୋଇ ଗଲାଣି ବୋଲି ହୃଦବୋଧ ହୁଏ ।ବର୍ତ୍ତମାନ ଆମେ ରେଳବାଇର ଆଉ ଏକ ଦିଗ ବିଷୟରେ କିଛି ଆଲୋକପାତ କରିବା । ଭାରତ ବର୍ଷ ରେ ଦୈନିକ ୧୨/୧୩ ହଜାରରୁ ଅଧିକ ଯାତ୍ରୀବାହୀ ଗାଡି ଚଳାଚଳରୁ ଗରିବ ଯାତ୍ରୀ କେତେ ଲାଭ ପାଉଛନ୍ତି ? ଯାତ୍ରୀବାହୀ ରେଳ ଗାଡି ରେ ୧୨ ରୁ ନେଇ ୨୨ ଟି ଓ କେତେକ ସ୍ଥାନରେ ୨୪ ଟି ଯାତ୍ରୀ ବାହୀ ଡବା ଦିଆ ଯାଇଥାଏ, ଟିକେ ଯଦି ତର୍ଜମା କରିବା ଦୂରଗାମୀ ଏକ୍ସପ୍ରେସ, ମେଲ, ସୁପର୍ ଫାଷ୍ଟ, ଇତ୍ୟାଦି ଗାଡ଼ିରେ ସାଧାରଣ ଯାତ୍ରୀଙ୍କ ପାଇଁ କେତୋଟି ଡବା ଥାଏ? ସବୁ ଆରକ୍ଷିତ କୋଚ୍ ଆଉ ଇଂଜିନ ପାଖରେ ଗୋଟିଏ କି ଦୁଇଟି ତଥା ଶେଷ ରେ ଗୋଟିଏ/ ଦୁଇଟି ସାଧାରଣ ଡବା ଥାଏ । ଆରକ୍ଷିତ ସ୍ଥାନ ପାଇଁ ଆରକ୍ଷିତ ମାହାସୁଲ ନେଇ ଟିକେଟ ଦିଆ ହେଉଥିବା ବେଳେ ଅଣ ଆରକ୍ଷିତ ଶ୍ରେଣୀ ଡବାର ବସିବା ଏବଂ ଛିଡା ହେବାର କ୍ଷମତା ଠାରୁ ଢେର ଅଧିକ ଟିକେଟ ରେଳବାଇ ବିକ୍ରୀ କରିଥାଏ, ସତ କହିବାକୁ ଗଲେ ଯଦି ରେଳ ଡବା ରେ ୧୦୪ ଜଣ ବସିବା କ୍ଷମତା ଥାଏ ତେବେ ସେହି ଡବା ରେ ୩୦୦/୪୦୦ ଯାତ୍ରୀ ପୋକ ମାଛି ପରି ଯାତ୍ରା କରିବାର ଦେଖାଯାଏ, ଏଥିପ୍ରତି ରେଳବାଇର କୌଣସି ନିୟମ ବା ଅନୂଶୋଚନା ନାହିଁ । ଏହି ପ୍ରକାର ବିପଦପୂର୍ଣ୍ଣ ଯାତ୍ରା କ’ଣ ଦୁର୍ଘଟଣାକୁ ଆମନ୍ତ୍ରଣ କରୁ ନାହିଁକି ? ଯାତ୍ରୀବାହୀ କୋଚ୍ ର ଯାତ୍ରୀଙ୍କ ଓଜନ ବହନ କରିବା କ୍ଷମତା ଠାରୁ ଯଦି ଦୁଇ ରୁ ଅଢେଇ ଗୁଣ ଅଧିକ ଓଜନ ଲଦି ଦିଆ ଯାଏ ତେବେ ଏହା ବୈଷୟିକ ନିରାପତ୍ତା ଦୃଷ୍ଟିରୁ କେତେ ଯୁକ୍ତି ଯୁକ୍ତ? ତାହା କେବଳ ଇଞ୍ଜିନିୟର ମାନେ କହିବେ । ଏପରି ମାନବିକତା ବିହୀନ ଯାତ୍ରୀ ପରିବହନ କେତେଦୂର ଯଥାର୍ଥ ? ଏଥିପାଇଁ ରେଳ ବିଭାଗକୁ କାଠ ଗଡ଼ା/ଅଦାଲତ ରେ ହୁଏତ ଦିନେ ଜବାବ୍ ଦେବାକୁ ପଡ଼ିବ । ରେଳବାଇର ଯୁକ୍ତି:-” ଆମେ ସବୁଠାରୁ କମ ମୂଲ୍ୟର ଟିକେଟରେ ଦେଶର ଅଗଣିତ ଗରିବଙ୍କୁ ଅଣ ସଂରକ୍ଷିତ ଶ୍ରେଣୀରେ ଯାତ୍ରା କରାଇ ପାରୁଛୁ ଏହା ଆମପାଇଁ ଗର୍ବର ବିଷୟ ” । କଥାରେ ଅଛି” ବେହିଆ ପିଚା ରେ ବଥ ହେଲେ ତାକୁ ଆରାମ ଲାଗେ ” । ଜଣେ ଯାତ୍ରୀ ହିସାବରେ ନିଃସଂକୋଚରେ ରେଳବାଇକୁ ପଚାରିବାକୁ ଚାହୁଁଛି, ଆପଣମାନେ ତ’ ବହୁତ ବିଜ୍ଞ ଲୋକ ରେଳବାଇର ବହୁ ପଦସ୍ଥ ଜାଗାରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ତୃଣମୂଳକୁ ଯାଇ କେବେ ଦେଖିଛନ୍ତି କି? ପିଲାଛୁଆ ନେଇ ସାଧାରଣ ଶ୍ରେଣୀର ଯାତ୍ରୀ କେତେ ଅସୁବିଧାରେ ଯାତ୍ରା କରୁଛନ୍ତି ? ସେମାନଙ୍କ ନିରାପତ୍ତା ନାହିଁ କହିଲେ ଚଳେ, ପଶୁ ତୁଲ୍ୟ ବ୍ୟବହାର ସେମାନେ ରେଳ କର୍ମଚାରୀଙ୍କ ଠାରୁ ପାଇ ଥା’ନ୍ତି , ତଥାପି ଦେହକୁ କାଠ କରି ନିର୍ଲଜ୍ଜ ପରି ସବୁ ସହି ନିଅନ୍ତି କାରଣ ସେମାନେ ସାଧାରଣ ଶ୍ରେଣୀର ଯାତ୍ରୀ ଆଉ ସେମାନଙ୍କ ଅଧିକାର କେବଳ ପଶୁ ପରି ଯାତ୍ରା କରିବା ତା’ଠାରୁ ଅଧିକ ଆଶା କେବଳ ରେଳବାଇ ପୋଲିସର ଲାଠି ଦେଇ ପାରେ । ରେଳ ଗାଡ଼ିରେ କେତେ ଯାତ୍ରୀ ବସିବାର କ୍ଷମତା ଅଛି ଆଉ କେତେ ଟିକଟ ବିକ୍ରି ହୋଇଛି ତା’ ଦେଖିବା କଥା । ଏହାତ ଗଲା ସାଧାରଣ ଶ୍ରେଣୀ ର ଯାତ୍ରୀଙ୍କ ସମସ୍ୟା ଏବେ ଟିକେ ୩ୟ ଶୟନ ଯାନ, ୩ୟ /୨ୟ ବାତାନୂକୁଳିତ ଶୟନ ଯାନ ବିଷୟ ରେ ରେଳବାଇକୁ ଅବଗତ କରୁଛି । ରେଳ ଗାଡ଼ି ଯାତ୍ରା ଆରମ୍ଭ ସମୟରେ ପରିଷ୍କାର ଥାଏ, କିନ୍ତୁ ୩/୪ ଘଣ୍ଟା ପରେ ଶୌଚାଳୟ ଗୁଡ଼ିକ ଅତ୍ୟାଧିକ ଅପରିଷ୍କାର ହୋଇ ଯାଏ, ସଫେଇ କର୍ମଚାରୀ କେହି ମିଳନ୍ତି ନାହିଁ, ଶୌଚାଳୟରେ ପାଣି ନ ଥାଏ, ଅନଧିକାର ଭାବେ ଅନେକ ବୁଲା ବିକାଳିଙ୍କ ଦୌରତ୍ମ୍ୟ, ତୃତୀୟ ଲିଙ୍ଗୀ ମାନଙ୍କ ଅସଭ୍ୟ ଆଚରଣ, ରେଳ କ୍ୟାଟରିଙ୍ଗ ବିଭାଗ ଦ୍ବାରା ନିର୍ଦ୍ଧାରିତ ଖାଦ୍ୟ ପେୟର ମୂଲ୍ୟ ଠାରୁ ଅଧିକ ଜୋର୍ ଜବରଦସ୍ତ ଆଦାୟ ତଥା ଅନେକ ସମୟରେ ସେମାନଙ୍କ ଦୁର୍ବ୍ୟବହାର ପାଇଁ ଯାତ୍ରୀ ହନ୍ତ ସନ୍ତ ହେଉଛନ୍ତି । ରେଲ୍ ନିର୍ ପାଣି ୧୫ ଟଙ୍କା ବଦଳରେ ୨୦ ଟଙ୍କା ନିଆ ଯାଉଛି । ନିରାମିଷ ଭୋଜନ ୧୫୦ ଟଙ୍କା ନିଆ ଯାଉଛି । ଏ: ସି କୋଚ୍ ଗୁଡିକ୍ ଖୁବ୍ ଅପରିଷ୍କାର ପୂତିମୟ ଗନ୍ଧରେ ବସି ହୁଏ ନାହିଁ , ବର୍ତ୍ତମାନ୍ ବାୟୋ ଟଏଲେଟ୍ ଗୁଡିକ ଆଧୁନିକତା ତଥା ରେଳ ବୈଷୟିକ ଜ୍ଞାକୌଶଳରେ ତିଆରି କିନ୍ତୁ ତାହାକୁ ପରିଷ୍କାର କରିବା ଆବଶ୍ୟକ । ବିବେକ ଏକ୍ସପ୍ରେସ ଭଳି ଗାଡ଼ିରେ ୪ ଦିନ ଧରି ଟଏଲେଟ୍ ଟାଙ୍କି ବୋଧ ହୁଏ ସଫା ହୁଏ ନାହିଁ, ଏହା ମୋର ନିଜସ୍ବ ଅନୁଭୂତି । ଗତ ୧୧ ଅକ୍ଟୋବର ୨୦୨୪ କଟକରୁ ନ୍ୟୁ ଜଳ୍ପାଇ ଗୁଡ଼ି ତୃତୀୟ ଏ: ସି ଶ୍ରେଣୀରେ ଯାତ୍ରା ସମୟରେ ରେଳ ବିଭାଗ ର ଚରମ ଅବହେଳା ମୋ ପରି ଜଣେ ବରିଷ୍ଠ ନାଗରିକକୁ ଖୁବ୍ କଷ୍ଟ ଦେଇଥିଲା । ରେଳ ଯାତ୍ରା ସମୟରେ ଜଣେ ଉପୋଭୋକ୍ତା ତା’ର ଅଧିକାର କ’ଣ ନା ସେ ଜାଣେ ନା ସେ ପାଏ । ରେଳ ବିଭାଗ ସୁପ୍ତ, ଅକର୍ମଣ୍ୟ ତଥା ଅସମ୍ଭବ ଭାବେ ଲାଭଖୋର ମନୋବୃତି ନେଇ ଆଗେଇ ଚାଲିଛି । ଯାତ୍ରୀ ମାନେ ବର୍ତ୍ତମାନ୍ ଷ୍ଟେସନ୍ ରେ ଶୌଚାଳୟ ବ୍ୟବହାର ପାଇଁ ୫ ରୁ ୧୦ ଟଙ୍କା ଦେଉଛନ୍ତି, ରେଳ ବିଭାଗ ଦ୍ବାରା ପରିଚାଳିତ ବିଶ୍ରାମ ଗୃହ ଗୁଡିକ ନିମନ୍ତେ ମଧ୍ଯ ଦେୟ ଦେବାକୁ ପଡ଼ୁଛି । ଫେରନ୍ତି ଯାତ୍ରାର ଅନୁଭୂତି ଅତ୍ୟନ୍ତ ହୃଦୟ ବିଦାରକ ଥିଲା ତା ୧୮/୧୦/୨୦୨୪ ରିଖ ଶିଲଂରୁ ଛାଡୁଥିବା ଥିରୁଅନନ୍ତ ପୁର୍ ଗାମୀ ଏକ୍ସପ୍ରେସ ପ୍ରାୟ ୧୩ ଘଣ୍ଟା ବିଳମ୍ବ ଥିଲା, ନୀୟୁ ଜଲ୍ପାଇ ଗୁଡ଼ି ଷ୍ଟେସନର ରିଟାୟରିଂ ରୁମ୍ ନମ୍ବର ୧୪ ନିମନ୍ତେ ୬୮୩ ଟଙ୍କା (୧୨ ଘଣ୍ଟା ନିମନ୍ତେ) ଦେଇ ଯାହା ଅନୁଭବ କଲି ତାହା ନ କହିବା ଉଚିତ୍, ରୁମ ଟି ପରିତ୍ୟକ୍ତ ଗୋଦମ୍ ଘର ଠାରୁ ମଧ୍ଯ ଶୋଚନୀୟ ଅବସ୍ଥା, ଖୁବ୍ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ବାଧ୍ୟରେ ରହିବାକୁ ହୁଏ । ରେଳ ମନ୍ତ୍ରୀ ଟିକେ ବେଶ ବଦଳାଇ ଏହି ସବୁ ଆସି ଦେଖନ୍ତୁ ତାହା ହେଲେ ଜାଣିବେ ତାଙ୍କ ବିଭାଗର କାର୍ଯ୍ୟ କଳାପ , ଥାଟ ବାଟ, ପଟୁଆର ନାଲିବତୀ ଲଗେଇ ଗଲେ ତୃଣମୂଳ ସ୍ତରର କଥା ବୁଝିବା ସମ୍ଭବ ନୁହେଁ ଆଜ୍ଞା । ରେଳ ଗାଡ଼ି ବିଳମ୍ବ ନିମନ୍ତେ ଯାତ୍ରୀ କାହିଁକି ଅର୍ଥିକ, ମାନସିକ, ଶାରୀରିକ କଷ୍ଟ ପାଇବ? ଏଥିପାଇଁ କିଏ ଦାୟୀ ? ରେଳ ବିଭାଗ ନା ଯାତ୍ରୀ? ନିଉ ଜଳପାଇଗୁଡ଼ି ଷ୍ଟେସନ୍ ରେ ଏ:ସି ବିଶ୍ରାମାଗାରରେ ଘଣ୍ଟା ପ୍ରତି ୧୦ ଟଙ୍କା ଯୁକ୍ତ ଶୌଚାଳୟ ପାଇଁ ପ୍ରତି ଥର ୫ ଟଙ୍କା ହିସାବରେ ଦେବାକୁ ହେଲା । ଚାରି ମାସ ଆଗରୁ ଟିକେଟ କରି ଯାତ୍ରୀ ଯଦି ଏତେ କଷ୍ଟ ପାଏ ତେବେ କହିବା କାହାକୁ? ଶୁଣିବ କିଏ? ଏଠାରେ ତ’ ଖାଲି ‘ବନ୍ଦେ ଭାରତ’ ଗାଡ଼ି ଗୁଡ଼ିଏ ଚଳାଇ ମନ୍ତ୍ରୀ ପରିଷଦ ଟିଭି ରେ ନିଜର ବହୁଳ ପ୍ରଚାରିତ କରନ୍ତି ବାହାବା ନିଅନ୍ତି । ବନ୍ଦେ ଭାରତ ଗାଡ଼ି ଗୁଡିକ କାହା ସ୍ବାର୍ଥରେ ଚାଲିଛି ? କିଏ ଉପକୃତ ହେଉଛନ୍ତି ? ଏଥି ପାଇଁ ସାଧାରଣ ଯାତ୍ରୀ ଭଡ଼ା ଠାରୁ କେତେ ଗୁଣ ଅଧିକ ଭଡା ରେଳ ବିଭାଗ ଆଦାୟ କରୁଛି? ଏବେ ଝିଣ୍ଟିକା ମାରି ବଣି ପୋଷିବା ପରି ଅବସ୍ଥା ହେଲାଣି, ଅତ୍ୟଧିକ ଲାଭଖୋର ମନୋବୃତି ରେଳ ବିଭାଗ ପାଇଁ ଜନ ବିରୋଧି ବୋଲି ପ୍ରତିପାଦିତ ହେବାକୁ ଯାଉଛି ।ରେଳ ବିଭାଗ ଦେଶରେ ଅନ୍ତର୍ଜାତୀୟ ସ୍ତରର ରେଳଗାଡ଼ି ଚଳାଇବାକୁ ତତ୍ପର କିନ୍ତୁ ତୃଣମୂଳ ସ୍ତରର ବିଫଳତାକୁ ସ୍ୱୀକାର କରିବାକୁ ଚାହେଁ ନାହିଁ ବା ସୁଧାରେ ନାହିଁ । ଆପଣ ମାନେ ଯେତେ ଦୂରନ୍ତ, ତେଜସ୍ ,ରାଜଧାନୀ, ବନ୍ଦେ ଭାରତ , ବୁଲେଟ୍ ଟ୍ରେନ୍ ଚଲାନ୍ତୁ ନା’ କାହିଁକି ତାହାର ମୂଲ୍ୟ ସାଧାରଣ ଗରିବ ଜନତା ବୁଝି ପାରିବେ ନାହିଁ, ଜନତା ସେହି ପୁରୁଣା ଯୁଗର ‘ଜନତା ଏକ୍ସପ୍ରେସ’ ଟ୍ରେନ ଚାହାନ୍ତି ଯେଉଁଥିରେ କି କୌଣସି ଉଚ୍ଚ ଶ୍ରେଣୀ ନ’ଥିବ ସବୁ ଦ୍ଵିତୀୟ ଶ୍ରେଣୀ ଅଣ ସଂରକ୍ଷିତ ହୋଇଥିବ ଏବଂ ସେମାନେ ସେଥିରେ ସ୍ୱଳ୍ପ ମୂଲ୍ୟର ଟିକଟ କିଣି ନିଜ ଗନ୍ତବ୍ୟ ସ୍ଥାନକୁ ଅନାୟାସରେ ଯାତ୍ରା କରି ପାରିବେ । ଠିକ୍ ଅଛି ଦୁନିଆ ସହିତ ତାଳ ଦେଇ ରେଳର ଉନ୍ନତି ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ , ତେବେ ସାଧାରଣ ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ଅଣ ସଂରକ୍ଷିତ ରେଳ ଚଳା ଚଳ ର ବ୍ୟବସ୍ଥା ଜରୁରୀ ବୋଲି ମନେ ହୁଏ । ମାନ୍ୟବର ରେଳ ମନ୍ତ୍ରୀ ଜଣେ ଉଚ୍ଚ ଶିକ୍ଷିତ ବୈଷୟିକ ଜ୍ଞାନର ଅଧିକାରୀ ଖୁବ୍ ବୁଦ୍ଧିମାନ ବ୍ୟକ୍ତି ତା’ଙ୍କୁ ବିନମ୍ର ଅନୁରୋଧ, ସେ ଗରିବ/ସାଧାରଣ ବର୍ଗର ଯାତ୍ରୀଙ୍କୁ ଅଣଦେଖା କରି କେବଳ ବିଶ୍ୱସ୍ତରୀୟ ରେଳ ଚଳାଇବା ଉପରେ ଏତେଟା ଗୁରୁତ୍ଵ ଦିଅନ୍ତୁ ନାହିଁ । ‘ଜନତା ଏକ୍ସପ୍ରେସ’ ଚଳାଇବା ଉପରେ ଟିକେ ଅନ୍ତରରୁ ତର୍ଜମା କରନ୍ତୁ , ସାଧାରଣ ଯାତ୍ରୀଟିଏ କ’ଣ ରେଳବାଇ ଦ୍ୱାରା ଧାର୍ଯ୍ୟ ଦେୟ ଦେଇ ତେଜସ, ବନ୍ଦେ ଭାରତ, ରାଜଧାନୀ, ଦୂରନ୍ତ ପରି ରେଳ ଗାଡିରେ ବସି ଯାଇ ପାରିବ? ମାନ୍ୟବର ରେଳମନ୍ତ୍ରୀ ମହୋଦୟ, ଦାଦନ ଖଟିବାକୁ ରେଳରେ ଯାତ୍ରା କରୁଥିବା ହଜାର ହଜାର ସାଧାରଣ ଶ୍ରେଣୀ ଯାତ୍ରୀ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଥରେ ଛଦ୍ମ ବେଶରେ ଯାଇ ବଡ଼ ବଡ଼ ଷ୍ଟେସନରେ ଅନୁଧ୍ୟାନ କରନ୍ତୁ , ଅଧିକାଂଶ ରେଳ କର୍ମଚାରୀ ମାନଙ୍କର ଯାତ୍ରୀଙ୍କ ପାଇଁ ଅଶାଳୀନ ବ୍ୟବହାର ଏବଂ ସାଧୁତା ତଥା ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ଥରେ ନଜର ପକାନ୍ତୁ ତା’ହେଲେ ଜାଣିବେ ତୃଣମୂଳ ସ୍ତରର ଯାତ୍ରୀଙ୍କ କଷ୍ଟ କେତେ ?
କେବଳ ଉଚ୍ଚ ବର୍ଗର ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇ ଏତେ ଆଗ୍ରହୀ କାହିଁକି ? ଅସାଧୁ ରେଳ କର୍ମଚାରୀଙ୍କ ପ୍ରଧାନ ଆୟର ମାଧ୍ୟମ ଏହି ସାଧାରଣ ଶ୍ରେଣୀର ଯାତ୍ରୀ, ତେଣୁ କିଛି ଜାଗାରେ ଯାତ୍ରୀଙ୍କ ଦେହସୁହା ହୋଇ ଗଲାଣି ଏହି ଚିରାଚରିତ ପ୍ରକ୍ରିୟାରେ ସେମାନେ ଯାତ୍ରା କରୁଛନ୍ତି । ଏହି କଥାକୁ ହସି ଉଡାଇ ଦେବାର ସମୟ ନୁହେଁ ଆମେ ନିଜକୁ ଯେତେ ବଡ଼, ଜ୍ଞାନୀ ଆଉ ଉନ୍ନତ ଭାବିଲେ କ’ଣ ହେବ ଯେତେଦିନ ସମସ୍ତଙ୍କୁ ନିଜର ସମାନ ଅଧିକାର ନ’ ମିଳିଛି ସେତେଦିନ ଗଣତନ୍ତ୍ରର ମାନେ କିଛି ନାହିଁ , ଏହା ରାଜତନ୍ତ୍ର ଠାରୁ ମଧ୍ୟ କଷ୍ଟ ଦାୟକ ପରିଲକ୍ଷିତ ହେଉଛି । ମାନ୍ୟବର ରେଳ ମନ୍ତ୍ରୀ, ରେଳବାଇ ବୋର୍ଡ , ରେଳବାଇର ବରିଷ୍ଠ ଅଧିକାରୀ ମାନଙ୍କୁ ମୋର ବିନମ୍ର ନିବେଦନ ସାଧାରଣ ଯାତ୍ରୀଙ୍କ ପାଇଁ କିଛି ଉନ୍ନତି ମୂଳକ କାର୍ଯ୍ୟ କରନ୍ତୁ, ବଡ଼ ବଡ଼ ସହରକୁ ସାଧାରଣ ଶ୍ରେଣୀର ‘ଜନତା ଏକ୍ସପ୍ରେସ’ ଦ୍ୱାରା ସଂଯୋଗ ସହିତ ମେଟ୍ରୋ ରେଳ ସଂଯୋଗୀକରଣ ଉପରେ ଦୃଷ୍ଟି ଦିଅନ୍ତୁ । ସବୁ ଠାରୁ ବଡ କଥା ପରିଷ୍କାର ପରିଚ୍ଛନ୍ନତା ଉପରେ ଅତ୍ୟଧିକ ଗୁରୁତ୍ଵ ଦେବା ଉଚିତ୍ । ରେଳ ବିଭାଗର ବଡ ବଡ ଧଳା ହାତୀ ମାନଙ୍କ ପାଇଁ ଭଲ ମାହୁନ୍ତ ଏବଂ ଅଙ୍କୁଶ ର ଆବଶ୍ୟକତା ଅଛି ଏକଥା କ’ଣ ମାନ୍ୟବର ରେଳ ମନ୍ତ୍ରୀ ଜାଣି ପାରୁ ନାହାଁନ୍ତି ନା ସବୁ ଜାଣି ନୀରବ ଦ୍ରଷ୍ଟା ସାଜି ନିଜ ଚୌକି ବଞ୍ଚାଇବାକୁ ବ୍ୟସ୍ତ ଅଛନ୍ତି? ଡବଲ ଇଞ୍ଜିନ ର ମାନେ କ’ଣ ଆଜ୍ଞା ? ଖବର କାଗଜ କହୁଛି ରେଳ ବିଭାଗ ୨୫ ହଜାର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ପୁଣି ଚାକିରୀ ଦେବ, ଏହି ନିଷ୍ପତ୍ତି ଯେତିକି ଲଜ୍ଜ୍ୟା ଜନକ ସେତିକି ହୃଦୟ ବିଦାରକ। ଆମ ଦେଶରେ କଣ ଯୋଗ୍ୟ ଯୁବକ/ଯୁବତୀ ନାହାଁନ୍ତି ନା ସେମାନେ ଏହି ସବୁ ଏହି କାର୍ଯ୍ୟ କରି ପାରିବେ ନାହିଁ? ତେବେ ସରକାର୍ କଣ ନିଦ୍ରାଗ୍ରସ୍ତ? ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ ବସି ଥିବା ସମୟରେ ରେଳ ବିଭଗ ପୁଣି ପୁରୁଣା ମୂଷା ମାନଙ୍କୁ ଗୋଦାମ ଜଗାଇବା ପରି ବ୍ୟବସ୍ଥା କାହିଁକି କରୁଛି? ଯୁବ ସମାଜ କଣ କେବଳ ବେକାର ରହିବେ? ମନେ ହୁଏ ‘ ତେଲିଆ ମୁଣ୍ଡରେ ତେଲ ‘ ଭଳି ବିଚାର ଚାଲିଛି ସରକାରଙ୍କର । ଭଗବାନ ସରକାରଙ୍କୁ ସୁ ବୁଦ୍ଧି ଦିଅନ୍ତୁ ଏବଂ ଏହି ନିଷ୍ପତ୍ତି ର ପୁନଃ ବିଚାର କରାଯାଉ ତଥା ଯୁବ ସମାଜକୁ ଚାକିରୀ ରୁ ବଞ୍ଚିତ କରା ନ ଯାଉ । ଆମେତ ଏହି ରହସ୍ୟ ବୁଝି ପାରୁ ନାହୁଁ, ସରକାର୍ ଟିକେ ଖୋଲି କହି ବାକୁ ଅନୁରୋଧ କରୁଛି । ଜୟ ହିନ୍ଦ୍ ।
ବିଷ୍ଣୁ ପ୍ରସାଦ ଦାସ
ଝାଞ୍ଜିରୀ ମଙ୍ଗଳ
କଟକ