ୱର୍ଡ ସଭ୍ୟା ବିଜୟଲକ୍ଷ୍ମୀ ଙ୍କୁ ଅଯୋଗ୍ୟ ଘୋଷଣା କଲେ ଜିଲ୍ଲାପାଳ
ଶେରଗଡ, (ଅନୀଲ କୁମାର ପଣ୍ଡା):ତ୍ରୀସ୍ତରୀୟ ପଞ୍ଚାୟତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପିତ୍ତଳ ଗ୍ରାମ ପଞ୍ଚାୟତ ର ୧୪ ନମ୍ବର ୱର୍ଡ ସଭ୍ୟା ଭାବେ ଶ୍ରୀମତି ବିଜୟଲକ୍ଷ୍ମୀ ମିଶ୍ର ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଈଥିଲେ। ବିଜୟର କିଛି ମାସ ପରେ ଓଡିଶା ଗ୍ରାମ ପଞ୍ଚାୟତ ଆଈନ ୧୯୬୪ ଧାରା ୨୫ (ଫ) ପ୍ରକାରେ ଶ୍ରୀମତି ମିଶ୍ର ଙ୍କ ଦୁଇ ରୁ ଅଧିକ ସନ୍ତାନ ଥିବା ହେତୁ ଏକ ନିର୍ବାଚନ ମିସକେଶ ୦୨/୨୦୨୨ ରେ ବିକାଶ କୁମାର ଜେନା ଙ୍କ ଦ୍ବାରା ମାମଲା ରୁଜୁ ହୋଇଥିଲା। ଗତ ୦୪/୦୪/୨୦୨୩ ତାରିଖରେ ଉପରୋକ୍ତ ମାମଲାର ବିଧିବଦ୍ଧ ଶୁଣାଣି ପୂର୍ବକ ଆବେଦନକାରୀ ଙ୍କ ଅଭିଯୋଗ ସତ୍ୟ ବୋଲି ଅଦାଲତ ମତ ପୋଷଣ କରି ପିତ୍ତଳ ଗ୍ରାମ ପଞ୍ଚାୟତ ର ୧୪ ନମ୍ବର ୱର୍ଡ ର ନିର୍ବାଚିତ ୱର୍ଡ ସଭ୍ୟା ବିଜୟଲକ୍ଷ୍ମୀ ମିଶ୍ର ଙ୍କ ନିର୍ବାଚନ କୁ ଅସିଦ୍ଧ ଘୋଷଣା କରିବା ସହିତ ୧୪ ନମ୍ବର ୱର୍ଡ ମେମ୍ବର ପଦବୀ ଶୂନ୍ୟ ବୋଲି ଘୋଷଣା କରିଥିଲେ। ଦେବାନୀ ଅଦାଲତର ଏହି ରାୟ ବିରୋଧରେ ବିଜୟଲକ୍ଷ୍ମୀ ଜିଲ୍ଲା ଦୌରା ଜଜ ଅଦାଲତ ର ଆଶ୍ରୟ ନେଈଥିଲେ। ଜିଲ୍ଲା ଦୌରାଜଜ ଅଦାଲତର ମାନ୍ୟବର ବିଚାରପତି ୧୬/୧୨/୨୦୨୪ ରେ ଦେଈଥିବା ରାୟରେ ନିମ୍ନ ଅଦାଲତର ରାୟକୁ କାଏମ ରଖିବା ସହ ଶ୍ରୀମତି ମିଶ୍ର ଙ୍କ ଅପିଲ କୁ ଖାରଜ କରିଥିଲେ। ଓଡିଶା ଗ୍ରାମ ପଞ୍ଚାୟତ ଆଈନ ଧାରା ୨୫ (୧)(ଫ) ପ୍ରକାରେ ଅଯୋଗ୍ୟ ପ୍ରମାଣିତ ହୋଈଥିବାରୁ ସମ୍ପୃକ୍ତ ଆଈନର ଧାରା ୨୬ (୩) ପ୍ରକାରେ ନ୍ୟସ୍ତ କ୍ଷମତା ବଳରେ ପିତ୍ତଳ ଗ୍ରାମ ପଞ୍ଚାୟତ ୱର୍ଡ ୧୪ ର ୱର୍ଡ ସଭ୍ୟା ବିଜୟଲକ୍ଷ୍ମୀ ମିଶ୍ର ଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ଜିଲ୍ଲାପାଳ। ପ୍ରକାଶ ଥାଉକି, ବିଜୟଲକ୍ଷ୍ମୀ ଙ୍କ ନେତୃତ୍ୱରେ ପଞ୍ଚାୟତ ର ୮ ଜଣ ୱର୍ଡ ସଭ୍ୟ ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ତା ହେଲେ ଅଦାଲତ ରେ ୱର୍ଡ ସଭ୍ୟା ପଦବୀ ରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ମଧ୍ୟ କିଭଳି ଅନାସ୍ଥା ରେ ଅଂଶ ଗ୍ରହଣ କଲେ, ତାହା ଚର୍ଚ୍ଚାର ବିଷୟ।