ଅଗ୍ନିକାଣ୍ଡରେ ଜଳିଗଲା ୫ଗୋଟି ଦୋକାନ ଗୃହ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାର ଠାରେ ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିବାରୁ ୫ଗୋଟି ଦୋକାନ ଗୃହ ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଥିବା ଜଣାଯାଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ରାତି ପ୍ରାୟ ୧୧.୪୦ମିନିଟ ସମୟରେ ବଜାର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ତେଜରାତି ଦୋକାନରେ ନିଆଁ ଲାଗିଥିଲା। ପରେ ପରେ ଏହା ନିରାକାର ଦାସଙ୍କ ଫଳ ଦୋକାନ ସହିତ କୁନା ସାହୁଙ୍କ ସାଇକେଲ ଓ ମୋଟର ସାଇକେଲ ମରାମତି ତଥା ପାର୍ଟସ ଦୋକାନ , ପରେଶ ବେହେରାଙ୍କ ଜଳଖିଆ ଦୋକାନ ଓ ସୁଦାମ ଦାସଙ୍କ ସାର ଦୋକାନକୁ ବ୍ୟାପୀ ଯାଇଥିଲା। ଅଗ୍ନିକାଣ୍ଡ ଭିତରେ ଏକ ଗ୍ୟାସ ଟାଙ୍କି ଫାଟିଯିବାରୁ ନିଆଁର ତୀବ୍ରତା ଆହୁରି ବଢିଯାଇଥିଲା। ଚାହୁଁ ଚାହୁଁ ପାଞ୍ଚ ଗୋଟି ଦୋକାନ ଗୃହ ସହିତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା। ଗ୍ରାମ୍ୟ ବଜାରରେ ଛୋଟ ମୋଟ ଦୋକାନ ଖଣ୍ଡିଏ କରି ପରିବାର ପ୍ରତିପୋଷଣ କରୁଥିବା ପାଞ୍ଚ ଜଣ ବ୍ୟବସାୟୀ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହା ଉପରେ ପ୍ରଶାସନ ଦୃଷ୍ଟି ଦେଇ କିଛି ସରକାରୀ ସହାୟତା ଯୋଗାଇବାକୁ ଜଗନ୍ନାଥ ବଜାର ବଣିକ ସଂଘ ପକ୍ଷରୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ