ଅଗ୍ନିପଥ ଯୋଜନା ଆର୍ମିରେ ଭର୍ତ୍ତି ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଆସନ୍ତା ଜୁଲାଇ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଆର୍ମିରେ ଭର୍ତ୍ତି ହେବା ନିମନ୍ତେ ଚୟନ ଅନୁଷ୍ଠିତ ହେବ । ଅଗ୍ନିପଥ ଯୋଜନାରେ ଓଡିଶାର ୧୦ ରୁ ୧୨ ଗୋଟି ଜିଲ୍ଲାର ଆବେଦନ କରିଥିବା ପ୍ରାର୍ଥୀଗଣ ଏହି ଚୟନରେ ଅଂଶ ଗ୍ରହଣ କରିବେ । ଏଥି ସକାଶେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆର୍ମି ଏ ଡି କଲେଜ, ଗୋପାଳପୁରର କର୍ଣ୍ଣେଲ ଆନନ୍ଦ ପ୍ରାର୍ଥୀଙ୍କ ଚୟନ ସକାଶେ କିଭଳି ଆନୁସଙ୍ଗୀକ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ ଏବଂ କର୍ମ ନିୟୋଜନ ଅଧିକାରୀ ଫଲଗୁନୀ ସହାୟ ନାୟକ ଆୟୋଜନ ହେବାକୁ ଥିବା ରାଲିର ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଗତ ଥର ସମ୍ବଲପୁର ଠାରେ ହୋଇଥିବା ଚୟନ ସକାଶେ କେବଳ ଗଞ୍ଜାମ ଜିଲ୍ଲାର ୭୬ ପ୍ରତିଶତ ଯୁବପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ .ଯାତାୟତ ଖର୍ଚ୍ଚ, ରହଣୀ ଦିଗରେ ଅଂଶ ଗ୍ରଙମ ଯୁବକ ମାନଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା । ସେହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଏହି ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କର୍ଣ୍ଣେଲ ଆନନ୍ଦ ପ୍ରକାଶ କରିଥିଲେ । ଯଦ୍ବାରା ଯୁବପ୍ରାର୍ଥୀ ମାନଙ୍କ ଯାତାୟତ ଖର୍ଚ୍ଚ ଏବଂ ସମୟ ବଞ୍ଚିବ । ଚୟନ ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ବଜାୟ ରଖି କରାଯିବ । ଯେଉଁମାନେ ଚୟନ ସକାଶେ ଉପଯୁକ୍ତ, ସେମାନେ ନିଶ୍ଚିତ ରୂପେ ଅଗ୍ନିବୀର ଯୋଜନାରେ ଭର୍ତ୍ତି ହୋଇପାରିବେ । ଏଥି ସକାଶେ କସ୍ମିନ୍ କାଳେ ଉତ୍କୋଚ ଗ୍ରହଣ କରାଯାଉନାହିଁ ବୋଲି ଦୃଢତାର ସହ ମହବ୍ୟକ୍ତ ହୋଇଥିଲା । ଯଦି କୌଣସି ବ୍ଯକ୍ତି କିମ୍ବା ଖଳ ପ୍ରକୃତିର ବ୍ୟକ୍ତି ବିଶେଷ ଆର୍ମିରେ ଭର୍ତ୍ତି କରିବା ନିମନ୍ତେ ପ୍ରଲୋଭନ ଦେଖାଇ ଉତ୍କୋଚ ମାଗନ୍ତି ତେବେ ପ୍ରଶାସନ କିମ୍ବା ଆର୍ମି ଅଧିକାରୀଙ୍କ ନଜରକୁ ଆଣିବାକୁ କୁହାଯାଇଛି । ଜୁଲାଇ ୨ ତାରିଖ ଠାରୁ ଆରମ୍ଭ ହେଉଥିବା ଏହି ଚୟନ ସକାଶେ ଦୈନିକ ୪୦୦ରୁ ଉର୍ଦ୍ଧ୍ବ ଯୁବପ୍ରାର୍ଥୀ ଅଂଶ ଗ୍ରହଣ କରିବାର ପୂର୍ବାନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି, ଡାକବାଜି ଯନ୍ତ୍ର, ପରିସର ସଫେଇ ସମେତ ପ୍ରାର୍ଥୀ ମାନଙ୍କ ବିଶ୍ରାମ ସ୍ଥଳୀ, ଦୌଡ ଟ୍ରାକ, ସ୍ବାସ୍ଥ୍ୟ ପରୀକ୍ଷା, ଡାକ୍ତରୀ ପରୀକ୍ଷା, ପାନୀୟ ଜଳଯୋଗାଣ, ଆଲୋକ ଓ ବିଦ୍ଯୁତ ବ୍ୟବସ୍ଥା, ଶୈଚାଳୟ ବ୍ୟବସ୍ଥା ସହିତ ପ୍ରାର୍ଥୀମାନେ କିଭଳି ସୁବିଧାରେ ବ୍ରହ୍ମପୁର ରେଳ ଷ୍ଟେସନ୍ ଏବଂ ବସ ଷ୍ଟାଣ୍ଡ ଠାରୁ ସୁବିଧାରେ ଯାତାୟତ କରିପାରିବେ ସେଥିନିମନ୍ତେ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥାକୁ ସୂଚାରୁରୂପେ ସମ୍ପାଦନ କରିବା ନିମନ୍ତେ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ବୈଠକରେ ଆର୍ମି ଏ ଡି କଲେଜର ସଂପୃକ୍ତ ଅଧିକାରୀମାନଙ୍କ ସମେତ ବ୍ରହ୍ମପୁର ମହାନଗର କମିଶନର ଭବାନୀ ପ୍ରସାଦ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ ଚନ୍ଦ୍ର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ . ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ