ଅଙ୍ଗନଓ୍ୱାଡି କର୍ମିଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ, ଅଙ୍ଗନଓ୍ୱାଡି କେନ୍ଦ୍ରରେ ପଡ଼ିଲା ତାଲା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ’ ବ୍ଲକ ଅନ୍ତର୍ଗତ ବଡ ଡାଳିମା ଗ୍ରାମପଞ୍ଚାୟତ ବାଲିଆସାହି ଅଙ୍ଗନଓ୍ବାଡି କର୍ମିଙ୍କ ବିରୁଦ୍ଧରେ ଅନିୟମିତତା ଅଭିଯୋଗ।କାର୍ଯ୍ୟରୁ ନିଲମ୍ବନ ଦାବିରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା।
ବାଲିଆସାହି ଅଙ୍ଗନଓ୍ବାଡି କର୍ମି କାର୍ମିମଣୀ ମୁର୍ମୁ ଓ ସହାୟିକା ମିନତୀ ମୁର୍ମୁ’ଙ୍କ ବିରୁଦ୍ଧରେ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନରେ ଅନିୟମିତତା ସହିତ ଅନ୍ୟାନ୍ୟ ବିଭିନ୍ନ ସଙ୍ଗିନ ଅଭିଯୋଗରେ ଦୋଷି ଠଉରାଇଛନ୍ତି ଗ୍ରାମବାସୀ।ତାଙ୍କ ବିରୁଦ୍ଧରେ ଏକଜୁଟ ହେବା ସହିତ ତାଙ୍କଠାରୁ ସାମଗ୍ରୀ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ।ତେବେ ଗ୍ରାମରେ ବାରମ୍ବାର ବୈଠକ କରାଯାଇ ବିବାଦକୁ ସମାଧାନ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଅଙ୍ଗନଓ୍ବାଡି କର୍ମିଙ୍କ ଦ୍ବାରା ଅନିୟମିତତା ଏବଂ ହିତାଧିକାରୀ ଓ ମୁରବିଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣା ଜାରି ରହିଥିବାରୁ ସମସ୍ୟା ଜଟିଳ ହେବାରେ ଲାଗିଛି।ପୂର୍ବରୁ ଅଙ୍ଗନଓ୍ବାଡି କର୍ମି ଓ ସହାୟିକାଙ୍କୁ ତାଙ୍କ ବ୍ୟବହାର ଓ ତାଙ୍କ ଦ୍ବାରା କରାଯାଉଥିବା ଭୂଲକୁ ସୁଧାରିବା ପାଇଁ ସୂଯୋଗ ଦିଆଯାଇଥିଲେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିଲା।ପରେ ତିରିଂ ସିଡିପିଓ ଆଲ୍ଫାସିଆ ଟେଟେ ଓ ରାଇରଙ୍ଗପୁର ଉପଖଣ୍ଡ ଜିଲ୍ଲାପାଳଙ୍କୁ ଏବିଷୟରେ ଲିଖିତ ଅଭିଯୋଗ କରାଯାଇଛି।ଅଙ୍ଗନଓ୍ବାଡି କର୍ମି ଓ ସହଯୋଗୀ’ଙ୍କ ବିରୁଦ୍ଧରେ ପରିମାଣ ଠାରୁ କମ୍ ମାତ୍ରାରେ ସାମଗ୍ରୀ ବଣ୍ଟନ,ହିତାଧିକାରୀଙ୍କୁ ସୂଚିତ କରାନଯାଇ ଅସୟମରେ ସାମଗ୍ରୀ ବଣ୍ଟନ ତଥା ଟିକିଏ ବିଳମ୍ବରେ ଆସିଲେ ସାମଗ୍ରୀ ନଦେବା,ହିତାଧିକାରୀ ତଥା ପରିଜନଙ୍କୁ ଦୂର୍ବବ୍ୟବହାର ଓ ଧମକ ଦେବା,ସମୟ ପୂର୍ବରୁ ପ୍ରାକ୍ ଛାତ୍ର’ଙ୍କୁ ଅଙ୍ଗନଓ୍ବାଡିରୁ ଟି.ସି ଦେଇ ନିଷ୍କାସିତ କରିବା ସହିତ ଅନ୍ୟାନ୍ୟ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଙ୍କୁ ମଧ୍ୟ ଅଙ୍ଗନଓ୍ବାଡି ସ୍କୁଲରେ ତାଲିକାଭୂକ୍ତ କରିବା,କୌଣସି ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଉପସ୍ଥିତି ଦର୍ଶାଇବା,ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମିମାନେ ଠିକ୍ ସମୟରେ ଯୋଗଦାନ କରାନଯିବାରୁ ବିଦ୍ୟାଳୟର ପ୍ରର୍ଥନା ମଧ୍ୟ ବାତିଲ ହୋଇଥାଏ।ଯାହା ଫଳରେ ଶିକ୍ଷାଦାନ ମଧ୍ୟ ବାଧା ପ୍ରାପ୍ତ ହୋଇଥାଏ।ସେହିପରି ସହାୟିକା ମଧ୍ୟ ଛାତ୍ରଛାତ୍ରୀ’ଙ୍କୁ ସାବୁନରେ ହାତ ଧୁଆଇ ନଥାନ୍ତି ଏବଂ ଅଇଁଠା ଥାଳି,ବାସନ ପିଲାମାନଙ୍କୁ ନିଜେ ଧୋଇବାକୁ ବାଧ୍ୟ କରିଥାନ୍ତି ଏବଂ ଅନେକ ସମୟ କେନ୍ଦ୍ରରେ ଅନୁପସ୍ଥିତ ରହିଥାନ୍ତି।
ଏସବୁ ଅଭିଯୋଗକୁ ଭିତ୍ତି କରି ଅଙ୍ଗନଓ୍ବାଡି କର୍ମି ଦ୍ବୟଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବାର ଦାବିରେ ଚଳିତ ମଊସ ୧୪’ତାରିଖରୁ ଗ୍ରାମବାସୀଙ୍କ ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ଅନିର୍ଦ୍ଧିଷ୍ଠକାଳ ପାଇଁ ତାଲା ପକାଯାଇଛି।ତେବେ ସିଡିପିଓ ଶ୍ରୀମତୀ ଟେଟେ ଓ ସୁପର ଭାଇଜର ଶ୍ରୀମତୀ ଲକ୍ଷ୍ମୀମଣୀ ସି’ଙ୍କ ଦ୍ବାରା ଗ୍ରାମରେ ବୈଠକ କରାଯାଇ ଆଲୋଚନା କରାଯାଇଥିଲେ ମଧ୍ୟ ବିବାଦର ସମାଧାନ ହୋଇ ପାରିନଥିଲା।ହେଲେ ବର୍ତ୍ତମାନ ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ସିଡିପି’ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କିମ୍ବା ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।ଏବଂ ସମ୍ପୃକ୍ତ ଅଙ୍ଗନଓ୍ବାଡି କର୍ମିଙ୍କ ଠାରୁ ଉପସ୍ଥାପନ ରେଜିଷ୍ଟର ଜବତ କରାଯିବା ସହିତ ଯଥାଶିଘ୍ର ବିବାଦର ସମାଧାନ କରାଯାଇ ଅଙ୍ଗନଓ୍ବାଡି କର୍ମି ଦ୍ବୟଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯିବାକୁ ଦାବି କରିଛନ୍ତି ଗ୍ରାମବାସୀ।


