୧୭୨ ଗରାବଡ଼ୁ ସେବକଙ୍କ ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ଆଗକୁ ସ୍ନାନ ଯାତ୍ରା । ଏହା ପୂର୍ବରୁ ମୋଟ ୧୭୨ ଗରାବଡ଼ୁ ସେବକଙ୍କ କରୋନା ଟେଷ୍ଟ କରାଯିବ । ଗରାବଡ଼ୁ ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୯ ଓ ୩୦ ତାରିଖରେ ସମସ୍ତଙ୍କ ଟେଷ୍ଟ କରାଯିବା ନିଷ୍ପତ୍ତି ନିଆଯାଇଛି । ଜୁନ ୩ ତାରିଖ ମଧ୍ୟରେ ଟେଷ୍ଟ ରିପୋର୍ଟ ମିଳିଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୫ ତାରିଖ ସ୍ନାନ ଯାତ୍ରା ପୂର୍ବରୁ ରିପୋର୍ଟ ମିଳିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗ ସମ୍ପାଦକ ରଜତ ପ୍ରତିହାରୀ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ସମସ୍ତ ନିଯୋଗର ଟେଷ୍ଟ କରାଯିବା ନେଇ ଅନ୍ୟ ନିଯୋଗ ସହ ଯୋଗାଯୋଗ ଚାଲିଥିବା ଉନ୍ନୟନ ପ୍ରଶାସକ କହିଛନ୍ତି ।
ପ୍ରକାଶ ଯେ, ରଥଯାତ୍ରା ଆୟୋଜନ ସମ୍ପର୍କରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହାନ୍ତି। ଜୁନ୍‌ ୨୩ରୁ ହେବାକୁ ଥିବା ରଥଯାତ୍ରାର ପ୍ରାରମ୍ଭିକ ରୀତିନୀତି ବାଧାପ୍ରାପ୍ତ ହୋଇଛି। ଉଦାହରଣ ସ୍ୱରୂପ, ଏପ୍ରିଲ ୨୬ରୁ ଅକ୍ଷୟ ତୃତୀୟା ରଥ ଅନୁକୂଳ ହୋଇଥିଲେ ହେଁ ରଥ ନିର୍ମାଣ କାମ ୧୨ ଦିନ ବିଳମ୍ବରେ ଆରମ୍ଭ ହେଲା। ତେଣୁ ଠିକ୍‌ ସମୟରେ ରଥ କାମ ଶେଷ କରିବାକୁ ପ୍ରଶାସନ ଜୋରସୋର ଉଦ୍ୟମ ଚଳାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଚନ୍ଦନଯାତ୍ରା କରିପାରିଲେ ନାହିଁ। ଆଗକୁ ଥିବା ପରମ୍ପରା ଚାଲିବ କି ନାହିଁ ତାହାକୁ ନେଇ ବି ଦ୍ବନ୍ଦ୍ବ ଉପୁଜିଛି। ମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ପରିସରରେ କିଛି ପରମ୍ପରା ସମ୍ପନ୍ନ କରିବାକୁ ଯୋଜନା ରହିଛି। ୧୭୩୬ରୁ ବଡ଼ଦାଣ୍ଡରେ ରଥଯାତ୍ରା ହୋଇଆସୁଛି। ବୋଧହୁଏ ଏହା ପ୍ରଥମ ଥର ହେବ ଯେ ମହାପ୍ରଭୁଙ୍କ ରଥ ଚକକୁ କରୋନା ଭୂତାଣୁ ଅଟକାଇବାକୁ ସଂଘର୍ଷ କରୁଛି। ଏପରି ସ୍ଥିତିରେ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ସେବାୟତ, ପ୍ରଶାସକ ଓ ସରକାର ଚିନ୍ତାରେ ପଡ଼ିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ