ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ପକ୍ଷରୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ପକ୍ଷରୁ ଏକ ଶୋଭାଯାତ୍ରା ତିନିମୁହାଣି ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଅଙ୍ଗନୱାଡି କର୍ମୀ ଓ ସଙ୍ଘର ନେତୃତ୍ୱମାନେ ସେମାନଙ୍କ ନ୍ୟାୟ ସଙ୍ଗତ ଦାବିକୁ ନେଇ ସଙ୍ଘ ପକ୍ଷରୁ ଭୁବନେଶ୍ୱର ଠାରେ ଗତ ନଭେମ୍ବରମାସ ୨୧ତାରିଖ ଠାରୁ ଅଦ୍ୟାବଧି ୩୭ଦିନ ଧରି ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିଥିବା ବେଳେ ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନଙ୍କ ଦାବି ଅନୁଯାୟୀ ୨୦୧୮ ମସିହା ଆନ୍ଦୋଳନ ବେଳେ ବହିଷ୍କୃତ ୬ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, କର୍ମୀଙ୍କୁ ମାସିକ ୧୮ହଜାର ଓ ସହାୟିକାଙ୍କୁ ୯ହଜାର ଟଙ୍କା ପ୍ରଦାନ, ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା, ଅବସରକାଳୀନ ସହାୟତା ୫ଲକ୍ଷ ଓ ମାସିକ ପେନସନ ୫ହଜାର ଟଙ୍କା ପ୍ରଦାନ, କାର୍ଯ୍ୟରତ ଭାବେ ମୃତ୍ୟୁବରଣ କଲେ ସେହି ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରୀ ପ୍ରଦାନ, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯିବା, ୨୦୧୮ରେ ଘୋଷିତ ଗ୍ରୀଷ୍ମ ଅବକାଶକୁ ଲାଗୁ କରାଯିବା, ସମସ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟିତ୍ରୀର ମାନ୍ୟତା ପ୍ରଦାନ, ସ୍ନାତ୍ତକ ଓ ତଦୁର୍ଦ୍ଧ ଅଙ୍ଗନୱାଡିକର୍ମୀଙ୍କୁ ସୁପରଭାଇଜର ପଦକୁ ପଦୋନ୍ନତି ପ୍ରଦାନ ପ୍ରଭୃତି ଦାବି ରହିଛି । ପ୍ରତିବାଦ ସଭା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୮ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସଙ୍ଘର ଜିଲ୍ଲା ସଭାନେତ୍ରୀ ସରୋଜିନୀ ବେଉରା ଓ ସମ୍ପାଦିକା ପୁଷ୍ପଲତା ରଥ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ