ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ସ୍ୱାମୀ ଓ ସ୍ତ୍ରୀ

ଛତ୍ରପୁର, (ଦେବଦତ୍ତ ମହାରଣ) : ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ମଧ୍ୟ ବର୍ଷାର ତାଣ୍ଡବ ଯୋଗୁଁ ବିଭିନ୍ନ ଗ୍ରାମରେ ଥିବା ବିଲ ମାନଙ୍କରେ ପାଣି ପଶି ଧାନ ଫସଲକୁ ନଷ୍ଟ କରିଦେଇଛି । ଏହା ସହିତ ଅଦିନିଆ ଲଗାଣ ବର୍ଷା ଯୋଗୁଁ ସୋମବାର ସକାଳ ପ୍ରାୟ ୮ ଟା ସମୟରେ ଏନଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡ ନୂଆ ସାହିରେ ଥିବା କାଳୁ ଚରଣ ନାୟକଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ଯାହା ଫଳରେ କାଳୁର ପରିବାର ବର୍ଗ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିଲେ । କୌଣସି କାରଣ ନେଇ କାଳୁ ଓ ତାଙ୍କ ସ୍ତ୍ରୀ ଦୁଇଟି ପିଲାଙ୍କୁ ଧରି ଘରୁ ବାହାରକୁ ଆସିଥିବା ବେଳେ ବର୍ଷା ଯୋଗୁଁ ସେମାନେ ଚାହହୁଁ ଚାହୁଁ ଘରଟି ସମ୍ପୁର୍ଣ୍ଣ ଭୁଷୁଡି ପଡିଥିଲା । ଘରେ ଥିବା ଆସବାବପତ୍ର ଓ କାଗଜପତ୍ର ସହ ପ୍ରାୟ ୧ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କାଳୁ ସୂଚନା ଦେଇଛନ୍ତି । ଏହାର ଖବର ପାଇ ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା ଓ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌, ଗଣେଷ ବାବୁ ଓ ଏନଏସି କର୍ମଚାରୀ ଘଟଣା ସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ପରେ ପ୍ରଶାସନ ପକ୍ଷରୁ ତାର୍ପାଲ ପ୍ରଦାନ କରାଯିବା ସହ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଆରଆଇ ରିପୋର୍ଟ ସଂଗ୍ରହ କରିଥିଲେ । କାଳୁ ଜଣେ ଦିନ ମଜରୁଆ (ରଙ୍ଗମିସ୍ତ୍ରୀ) ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କର ଏ ଦୁର୍ଦ୍ଦିନ ଅବସ୍ଥାରେ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଗୃହ ପ୍ରଦାନ କରିବା ସହ ସରକାରୀ ସହାୟତା ତୁରନ୍ତ ପ୍ରଦାନ କରିବା ନିମନ୍ତେ ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା ଓ ସ୍ଥାନୀୟ ବାସିନ୍ଦା ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ