ଆଇଜିଆଇ ବିମାନବନ୍ଦରରେ ୬୬ଲକ୍ଷ ଟଙ୍କାର ସିଗାରେଟ ଜବତ
ନୂଆଦିଲ୍ଲୀ : କୋଭିଡ-୧୯ କାରଣରୁ ଦୁବାଇରେ ଫସି ରହି ଫେରିଥିବା ୧୩ଜଣ ଭାରତୀୟ ଯାତ୍ରୀଙ୍କ ଠାରୁ ଦିଲ୍ଲୀ କଷ୍ଟମ୍ସ ବିଭାଗ ଦ୍ୱାରା ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଚିତ୍ରିତ ଚେତାବନୀ ନଥିବା ବିଦେଶୀ ସିଗାରେଟ ୩୭୦୦ଦଣ୍ଡା ଜବତ କରି ଚୋରା ଚାଲାଣ ମାମଲା ରୁଜୁ କରିଛି । ଯାତ୍ରୀମାନେ ବିମାନ ନମ୍ବର ଇକେ-୫୧୦ଦେଇ ଦୁବାଇରୁ ଦିଲ୍ଲୀ ଯାତ୍ରା କରୁଥିଲେ ଏବଂ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ-୩ରେ ପହଞ୍ଚିଥିଲେ । ଏହି ୧୩ ଜଣ ଭାରତୀୟ ଯାତ୍ରୀ ଗ୍ରୀନ ଚ୍ୟାନେଲ ପାର ହେବା ପରେ ସେମାନଙ୍କୁ ଧରା ଯାଇଥିଲା । କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୧୦ଅନୁଯାୟୀ ଉଦ୍ଧାର ହୋଇଥିବା ସିଗାରେଟ ଜବତ କରାଯାଇଛି । ଜବତ ସାମଗ୍ରୀର ସାମୂହିକ ମୂଲ୍ୟ ୬୬.୬୦ଲକ୍ଷ । କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୦୪ଅନୁଯାୟୀ ୧୩ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ କରାଯାଇ ଅଧିକ ଅନୁସନ୍ଧାନ ଚାଲିଥିବା ଜଣାପଡିଛି ।


