ଶ୍ରୀକୋଣା ଅଙ୍ଗନବାଡ଼ି ସହାୟିକା ନିଯୁକ୍ତ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବ୍ଲକ ଅନ୍ତର୍ଗତ ଶ୍ରୀକୋଣା ପଞ୍ଚାୟତରେ ଏକ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ର ସହାୟିକା ନିଯୁକ୍ତିରେ ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ (ସିଡିପିଓ)ଙ୍କ ଟାଳଟୁଳ ନୀତିକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଗ୍ରାମବାସୀ । ଶ୍ରୀକୋଣା ସରପଞ୍ଚ କମଳ ଲୋଚନ ସାହୁ ଓ ସମିତି ସଦସ୍ୟା କୌଶଲ୍ୟା ମଣ୍ଡଳଙ୍କ ନେତୃତ୍ୱରେ ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ବିଭାଗୀୟ ଅଧିକାରୀଙ୍କ ଅବହେଳା ସମ୍ପର୍କରେ କହିଛନ୍ତି । ଅଧିକାରୀଙ୍କ ଅବହେଳାରୁ ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । କର୍କଟ ରୋଗରେ ପୀଡ଼ିତ କେନ୍ଦ୍ରର କର୍ମୀ ଏବେ ଚିକିତ୍ସିତ ହେଉଥିବା ବେଳେ ଖାଲି ପଡିଥିବା ସହାୟିକା ପଦ ନିଯୁକ୍ତି ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ଏ ନେଇ ଗତ ଜୁଲାଇ ୨୫ ତାରିଖରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା । ନିଯୁକ୍ତି ପ୍ରକିୟା ସମ୍ପର୍କରେ ଅଙ୍ଗନବାଡି କର୍ମୀଙ୍କ ସମେତ ଗ୍ରାମବାସୀଙ୍କୁ ଅବଗତ ପରେ କେନ୍ଦ୍ରର ରେଜିଷ୍ଟାରରେ ୧୮୦ଜଣ ଗ୍ରାମବାସୀ ସ୍ୱାକ୍ଷର ମଧ୍ୟ କରିଥିଲେ । ଏହା ଉପରେ କୌଣସି ପ୍ରକାର ଅଭିଯୋଗ ନିମନ୍ତେ ଅଗଷ୍ଟ ୨୨ ରୁ ୨୯ ତାରିଖ ପର୍ଯ୍ୟନ୍ତ ସମୟ ରଖାଯାଇଥିଲା । ସେପ୍ଟେମ୍ବର ୨୮ ତାରିଖରେ ଚୟନ ପ୍ରକିୟା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ ସେହିଦିନ ସହାୟିକା ପଦ ପାଇଁ ମାତ୍ର ଜଣେ ଆବେଦନ କରିଥିବାରୁ ସିଡିପିଓ ନିଯୁକ୍ତି ନିମନ୍ତେ ପୁଣି ଥରେ ଅକ୍ଟୋବର ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ସେହି କ୍ରମରେ ଗତ ଅକ୍ଟୋବର ୨୧ ତାରିଖରେ ଆୟୋଜିତ ମହିଳା ସଭାରେ ସିଡିପିଓ ଉପସ୍ଥିତ ରହି ଏକମାତ୍ର ପ୍ରାର୍ôଥନୀଙ୍କୁ ଚୟନ କରିଥିଲେ । ମାତ୍ର ତାଙ୍କୁ ନିଯୁକ୍ତି ପତ୍ର ଦେଇ ନଥିଲେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଅସୁସ୍ଥ ରହୁଥିବାରୁ ବିନା ସହାୟିକାରେ କେନ୍ଦ୍ରଟି ଅଚଳ ଅବସ୍ଥାରେ ପହଂଚିଥିବା ସେମାନେ କହିଛନ୍ତି । ସରକାରଙ୍କ ସମସ୍ତ ନିୟମ ପାଳନ ସହ ଚୟନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ସହାୟିକାଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏ ନେଇ ସେମାନେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।


