ଆଉ ଜଣେ ଷ୍ଟାର୍ କିଡ୍ଙ୍କୁ ଲଞ୍ଚ୍ କରିବେ କରଣ
ବଲିଉଡ୍ ନିର୍ଦ୍ଦେଶକ କରଣ ଜୋହର ନୂଆ ନୂଆ ମୁହଁଙ୍କୁ ସୁଯୋଗ ଦିଅନ୍ତି । ତେବେ ଷ୍ଟାର୍ କିଡମାନଙ୍କୁ ଲଞ୍ଚ୍ କରିବାରେ ସେ ସବୁଠୁ ଆଗରେ ରହିଛନ୍ତି । ଆଲିଆ ଭଟ୍ଟ, ବରୁଣ ଧୱନ୍, ଜାହ୍ନବୀ କପୁର, ଇଶାନ୍ ଖଟ୍ଟର୍ ଓ ଅନନ୍ୟା ପାଣ୍ଡେ ପ୍ରମୁଖଙ୍କୁ ସେ ଲଞ୍ଚ୍ କରିଥିଲେ । ଏବେ କରଣ ଆଉ ଜଣେ ଷ୍ଟାର୍ କିଡ୍ଙ୍କୁ ଲଞ୍ଚ୍ କରିବାକୁ ଯାଉଛନ୍ତି । ସେ ହେଉଛନ୍ତି ପହିଲମାନ୍ ତଥା ଅଭିନେତା ଦାରା ସିଂହଙ୍କ ନାତି ତଥା ବିନ୍ଦୁ ଦାରା ସିଂହଙ୍କ ପୁଅ ଫତେହ ରନ୍ଧାୱା । କରଣ ତାଙ୍କର ଆଗାମୀ ଫିଲ୍ମ “ଦୋସ୍ତାନା ୨’ରେ ଫତେହଙ୍କୁ ଲଞ୍ଚ୍ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଜରିଆରେ ଫତେହଙ୍କ ବ୍ୟତୀତ ଟେଲିଭିଜନ୍ ଷ୍ଟାର୍ ଲକ୍ଷ୍ୟ ଲାଲୱାନି ମଧ୍ୟ ବଲିଉଡରେ ଡେବ୍ୟୁ କରିବେ ।
ପୁଅ ଫତେହଙ୍କ ବଲିଉଡ୍ ଡେବ୍ୟୁକୁ ନେଇ ବିନ୍ଦୁ କହିଛନ୍ତି, ସେ ଗତ ୪ ବର୍ଷ ହେବ ଅଭିନୟର ସବୁ ବିଭାଗରେ ଅନେକ ପରିଶ୍ରମ କରିଛନ୍ତି । ଆଉ ପରିଶ୍ରମର ଫଳ ତ ନିଶ୍ଚିତ ମିଳିଥାଏ । ଏହି ଫିଲ୍ମରେ ଫତେହ ଓ ଲକ୍ଷ୍ୟଙ୍କ ବ୍ୟତୀତ କାର୍ତିକ ଆର୍ଯ୍ୟନ୍ ଓ ଜାହ୍ନବୀ କପୁର ମଧ୍ୟ ଅଛନ୍ତି । ଫିଲ୍ମଟିକୁ କରଣ ପ୍ରଯୋଜନା କରୁଥିବାବେଳେ ତରୁଣ ମନସୁଖାନୀ ନିର୍ଦ୍ଦେଶନା ଦେବେ । ଏହା ଆସନ୍ତା ବର୍ଷ ଶେଷ ଆଡ଼କୁ ରିଲିଜ୍ ହେବ ।


