ଆଉ ଦିନିକିଆ ଖେଳିବେନି ଧୋନି !
ନୂଆଦିଲ୍ଲୀ: ଭାରତକୁ ଦୁଇ ଥର ବିଶ୍ୱକପ୍ ବିଜୟୀ କରାଇଥିବା ବହୁ ଲୋକପ୍ରିୟ କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି ଖୁବଶୀଘ୍ର ଏକଦିବସୀୟ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି । ତେବେ ଆସନ୍ତା ଆଇପିଏଲରେ ଭଲ ପ୍ରଦର୍ଶନ କଲେ ତାଙ୍କୁ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଲାଗି ବିଚାରକୁ ନିଆଯାଇପାରେ । ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଗୁରୁବାର ଏହି ସଙ୍କେତ ଦେଇଛନ୍ତି । ଏଥିନେଇ ସେ ଧୋନିଙ୍କ ସହ ଆଲୋଚନା କରିସାରିଥିବା ଶାସ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି । ସେହିଭଳି ଧୋନି ବହୁ ମାଇଲଖୁଣ୍ଟର ଅଧିକାରୀ । ତାଙ୍କୁ ନେଇ ଅଯଥା ଓ ଅଦରକାରୀ ଆଲୋଚନା ନ କରିବାକୁ ସେ ଆହ୍ୱାନ କରିଛନ୍ତି । ସେପଟେ ଆଇସିସିର ଚାରି ଦିନିଆ ଟେଷ୍ଟ୍ ମ୍ୟାଚ୍ ଯୋଜନାକୁ ସେ ତୀବ୍ର ବିରୋଧ କରିଛନ୍ତି । ଏଥିନେଇ ପ୍ରତିକ୍ରିୟା ପ୍ରକାଶ କରି ଶାସ୍ତ୍ରୀ କହିଛନ୍ତି ଯେ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ, ତାହା ହେଲେ ଆମେ ସୀମିତ ଓଭର ଟେଷ୍ଟ୍ ମ୍ୟାଚ୍ ଖେଳିବା ସାର ହେବ । ପାଞ୍ଚ ଦିନିଆ ଟେଷ୍ଟକୁ ଅଦଳବଦଳ କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଆଇସିସି କିଛି ଅଦଳ ବଦଳ କରିବାକୁ ଚାହୁଁଛି, ତାହାଲେ ଶୀର୍ଷ ୬ ଦଳ ପାଞ୍ଚ ଦିନିଆ ଏବଂ ଅନ୍ୟ ସବୁ ଦଳ ଚାରି ଦିନିଆ ଟେଷ୍ଟ ଖେଳିବାକୁ ଏକ ବିକଳ୍ପ ଭାବେ ନିଆଯାଇପାରେ ।


