ଆଜିଠାରୁ ଆରମ୍ଭ ବନ ମହୋତ୍ସବ ସପ୍ତାହ : ବଣ ତିଆରିରେ ବନବାସିନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପ୍ରତିବର୍ଷ ଜୁଲାଇ ମାସ ୧ ତାରିଖରୁ ସପ୍ତାହ ବ୍ୟାପୀ ଆମ ଦେଶରେ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା-ଡମ୍ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀପଲ୍ଲୀ କନ୍ଦଳେଇର ବନବାସିନୀମାନେ ଏ ନେଇ ବନ ମହୋତ୍ସବ ପାଳନ ଅବସରରେ ମହତ୍ ପ୍ରୟାସ ଆରମ୍ଭ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ , ଏମାନେ ସବୁଜିମା ବଳୟ ମଧ୍ୟରେ ରହନ୍ତି । ଗଛ ହେଉଛି ଏମାନଙ୍କ ପ୍ରାଣ । ଜଙ୍ଗଲକୁ ଏମାନେ ଆଦର କରିଥାନ୍ତି । ବିଭିନ୍ନ ସମୟରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଚନ୍ଦକା ଜଙ୍ଗଲର ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା । ଜଙ୍ଗଲର ସବୁଜିମା ପୁନରୁଦ୍ଧାର କରିବା ପାଇଁ ଆଦିବାସୀମାନେ ଚିନ୍ତା କରିଥିଲେ । ତେବେ ବାଟ ପାଇନଥିଲେ । ଏ ନେଇ ଏହି ଅବସରରେ ଗାଁରେ ବନବାସିନୀମାନଙ୍କୁ ନେଇ ଆରମ୍ଭ ହୋଇଛି ବିହନ ପେଣ୍ଡୁ ପ୍ରସ୍ତୁତି କାର୍ଯ୍ୟକ୍ରମ । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ବନବାସିନୀମାନେ ମାଟି, ଗୋବର ଖତ ସହିତ ତେନ୍ତୁଳି ମଞ୍ଜିକୁ ଗୋଳାଇ ପାଖାପାଖି ୧ ହଜାରରୁ ଉର୍ଦ୍ଧ୍ୱ ବିହନ ପେଣ୍ଡୁ ତିଆରି କରିପାରିଛନ୍ତି । ଏହି ବିହନ ପିଣ୍ଡୁଳା ଗୁଡ଼ିକ ଅଭୟାରଣ୍ୟର ଟାଙ୍ଗରା ଭୂଇଁରେ ନିକ୍ଷେପ କରାଯିବ । ଏହି ପ୍ରକ୍ରିୟା ମାଧ୍ୟମରେ ୫୦ ପ୍ରତିଶତ ଗଛ ସୃଷ୍ଟି ହୋଇପାରିଥାଏ । ବର୍ଷା ଋତୁରେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା କମ୍ ସମୟରେ ପ୍ରଭାବୀ ବନୀକରଣ ହେବା ସହ ଆଦିବାସୀମାନଙ୍କ ଜୀବିକାକୁ ମଧ୍ୟ ସୁଦୃଢ ହୋଇ ପାରିବ ବୋଲି ସୁଶାନ୍ତ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ସନ୍ତୋଷୀ ଜୈନ ଏବଂ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ବନବାସିନୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବନୀକରଣ କାର୍ଯ୍ୟକୁ ବହୁ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛି । ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରସାଦ ଡ଼େଙ୍ଗ ବନବାସିନୀମାନଙ୍କର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିବାର ଜଣାପଡ଼ିଛି ।


