ରଥଯାତ୍ରାରେ ପରିବେଶ ସୁରକ୍ଷାର ବାର୍ତ୍ତା : ତୂଳୀରେ ଦାରୁବ୍ରହ୍ମ ପାଇଁ ଗଛଟିଏ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ଦାରୁ ଦିଅଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତ ସେ ବ୍ରହ୍ମାଣ୍ଡ ଠାକୁର । ଅତି ଆପଣାର ସେ ଦାରୁ ଦେବତା । ଏହି ପବିତ୍ର ରଥଯାତ୍ରା ଅବସରରେ ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ୮ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ ତୂଳୀରେ ଭାବ, ଭକ୍ତି ଓ ଶ୍ରଦ୍ଧାର ସହ ନିଖୁଣ ସହ ଆଙ୍କିଛନ୍ତି ଦାରୁ ମଧ୍ୟରେ ମହାପ୍ରଭୁ ଦାରୁବ୍ରହ୍ମଙ୍କ ଚିତ୍ର । ସାରା ବିଶ୍ୱକୁ ଚିତ୍ରରେ ଦେଇଛନ୍ତି ଏକ ନିଆରା ବାର୍ତ୍ତା । ଶାନ୍ତନୁଙ୍କୁ ଏ ଚିତ୍ର ସମ୍ପର୍କରେ ପଚାରିଲେ କୁହନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ କେବଳ ଯେ ଦାରୁଦେବତା ନୁହଁନ୍ତି, ତାଙ୍କର ରଥ ମଧ୍ୟ ଦାରୁରେ ନିର୍ମିତ ହୋଇଥାଏ । ଭକ୍ତଙ୍କୁ ଦର୍ଶନ ଦେବା ଲାଗି ଦାରୁବ୍ରହ୍ମ ଏ ଦାରୁ ରଥରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି । ଦାରୁବ୍ରହ୍ମ ଓ ଦାରୁ ରଥର ନିର୍ମାଣ ପାଇଁ ଲୋଡ଼ା ପଡ଼ିଥାଏ ଦାରୁ । ଏ କାଠ ବିଭିନ୍ନ ଜଙ୍ଗଲରୁ ସଂଗ୍ରହ ହୋଇ ଆସିଥାଏ । ତତ୍ସହିତ ନୂତନ ଦାରୁ ବିଗ୍ରହ ନିମନ୍ତେ ନିମ୍ବକାଠ ମଧ୍ୟ ଦରକାର ହୋଇଥାଏ । ଏସବୁ ସତ୍ତ୍ୱେ ଏବେ ବି ଦାରୁ ସନ୍ଧାନ ପାଇଁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି । ଦାରୁଦେବତାଙ୍କ ଆଶୀର୍ବାଦ ପାଇଁ ଏବଂ ପ୍ରକୃତି ଓ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଯଥେଷ୍ଟ ବୃକ୍ଷ ରୋପଣର ଆବଶ୍ୟକତା ରହିଛି । ପ୍ରକୃତି ଓ ପରିବେଶ ପାଇଁ ବୃକ୍ଷର ଆଶୀର୍ବାଦ ସର୍ବଦା ଲୋଡ଼ା ପଡ଼ିଥାଏ । ଏହି ପବିତ୍ର ଦିବସ ଅବସରରେ ପ୍ରତିଟି ଭକ୍ତ, ଶ୍ରଦ୍ଧାଳୁ ଦାରୁବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଗଛଟିଏ ଲଗାଇବେ ତେବେ ଦାରୁବ୍ରହ୍ମଙ୍କ ଆଶୀର୍ବାଦ ନିଶ୍ଚିତ ପ୍ରାପ୍ତି ହେବ । ସେ ଦାରୁ ରୂପରେ ହେଉ ଅବା ଦାରୁବ୍ରହ୍ମ ରୂପରେ ହେଉ ବୋଲି ଶାନ୍ତନୁ କୁହନ୍ତି । କଅଁଳ ବୟସରେ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ, ଶାନ୍ତନୁ ଏବେ ଭୁବନେଶ୍ୱର ଭୀମଟାଙ୍ଗିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବାର ଜଣାପଡ଼ିଛି ।


