ଆଣ୍ଡାମାନରେ ଓଡ଼ିଆ ବୈଜ୍ଞାନିକ ଜୟନ୍ତ କୁମାର ମିଶ୍ରଙ୍କ ପରଲୋକ
ଯାଜପୁର,(ଓ୍ବାଇଏନ୍ଏସ୍):ସାମୁଦ୍ରିକ ଜୀଵ ନୀଳରକ୍ତ କଙ୍କଡା ସମ୍ବନ୍ଧରେ ବିସ୍ତୃତ ଗବେଷଣା କରିଆସିଥିବାପ୍ରଥମ ଓଡ଼ିଆ ବୈଜ୍ଞାନିକ ତଥା ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ଆଣ୍ଡାମାନ ସ୍ଥିତ ବ୍ରୁକସାବାଡକ୍ୟାମ୍ପସରେ ମହାସାଗରୀୟ ଅଧ୍ୟୟନ ଓ ସାମୁଦ୍ରିକ ଜୀବ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ଼ଃ ଜୟନ୍ତ କୁମାର ମିଶ୍ରଙ୍କର ୫୭ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ମଧୁମେହ ରୋଗର ଜଟିଳତା କାରଣରୁ ପୋର୍ଟବ୍ଲେୟାରର ଜି.ବି. ପନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଡଃ ମିଶ୍ର ଚଳିତ ମାସ ୫ ତାରିଖ ସକାଳ ୫ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଛି। ଲକ୍ ଡାଉନ୍ ଚାଲିଥିବା ହେତୁ ସେଠାରେ ରହୁଥିବା ତାଙ୍କ ସହଧର୍ମିଣୀ ଓ ବିଶ୍ବବିଦ୍ୟାଳୟର ଅଳ୍ପ ସହକର୍ମୀ ଉପସ୍ଥିତ ଥିଲେ । ସେଠାରେ ହିଁ ତାଙ୍କର ଶବ ସତ୍କାର କରାଯାଇଥିବା ବେଳେ ପାରଂପରିକ କ୍ରିୟାକର୍ମ ଓଡ଼ିଶାରେ ତାଙ୍କ ପୁତ୍ର , କନ୍ୟାତଥା ପରିବାରବର୍ଗ ଦ୍ବାରା କରାଯାଉଛି। ଶୋକସଭା ସମ୍ଭବ ହେଉ ନ ଥିବାରୁ ପଣ୍ଡିଚେରୀ ବିଶ୍ବବିଦ୍ୟାଳୟ ତରଫରୁ ଉପକୁଳପତି ଗୁରମିତ ସିଂ ଏକ ଶୋକ ବାର୍ତ୍ତା ପ୍ରଦାନ କରିଛନ୍ତି। ସ୍ବର୍ଗତଃ ମିଶ୍ର ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ଵର ପୁର ଗ୍ରାମର ଭରତଚନ୍ଦ୍ର ମିଶ୍ର ଓ ସ୍ବର୍ଗତା ସଚୀଦେବୀଙ୍କ ପୁତ୍ର ଅଟନ୍ତି। ସେ ରାମବାଗ ହାଇସ୍କୁଲରୁ ମ୍ୟାଟ୍ରିକ ପାସ କରି ଯାଜପୁରର ଏନ୍. ସି. କଲେଜରେ ବି.ଏସ୍ ସି. ପଢିବା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଏମ୍.ଏସ୍ ସି. , ଏମ୍. ଫିଲ୍. ଓ ପିଏଚ୍ .ଡି. ଏବଂ ଜାପାନର ନାଗାସାକୀ ବିଶ୍ବବିଦ୍ୟାଳୟରୁ ଡି୍.ଏଫ୍ ସି. ଡିଗ୍ରୀ ହାସଲ କରିଥିଲେ। ଉଚ୍ଚତରମହାସାଗରୀୟ ଗବେଷଣା ପାଇଁ ସେ ବିଭିନ୍ନ ଦେଶ ଭ୍ରମଣ କରିଥିଲେ।ତାଙ୍କର ବହୁ ଗବେଷଣାତ୍ମକ ନିବନ୍ଧଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକା ରେ ପ୍ରକାଶିତ। ତାଙ୍କର ପ୍ରମାଣିତ ଫିଲ୍ମ୍ ମଧ୍ୟରୁ ନୀଳ ରକ୍ତ କଙ୍କଡା ଉପରେ କରାଯାଇଥିବା ” ଦି ସର୍ଭାଇବର” ଜାତୀୟ ପୁରସ୍କାର ଲାଭ କରିଥିଲା। ତାଙ୍କ ବିୟୋଗରେ ଦେଶବିଦେଶର ବହୁ ବୈଜ୍ଞାନିକ, ଗବେଷକ, ଶିକ୍ଷକ, ବୁଦ୍ଧିଜୀବି ଓ ପରିବେଶବିତ୍ ଶୋକ ପ୍ରକାଶ କରିଛନ୍ତି। ରାମବାଗ ହାଇସ୍କୁଲର ପୁରାତନ ଛାତ୍ର ସଂସଦ, ୧୯୭୯ ମ୍ୟାଟ୍ରିକ ବ୍ୟାଚର ତାଙ୍କ ସହପାଠୀ ଏବଂ ସ୍ଥାନୀୟ ଜନସାଧାରଣ ଡଃ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ସ୍ଥାନରେ ଥାଇ ନିରବ ପ୍ରାର୍ଥନା ମାଧ୍ୟମରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।


