ଅଟୋ ଚାଳକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ଯାଜପୁର,(ଓ୍ବାଇଏନ୍ଏସ୍):ଯାଜପୁର ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବଢି ଚାଲିଥିବା ବେଳେ ଜିଲ୍ଲାରେ ପ୍ରାୟ ଗତ ଦେଢ ମାସ ହେବ ଲକଡାଉନ୍ ସ୍ଥିତି ଜାରି ରହିଛି । ତେଣେ ଜିଲ୍ଲାକୁ ରେଡ୍ ଜୋନ୍ ଭାବରେ ଘୋଷଣା ହେବା ଫଳରେ ଅନେକ ଲୋକଙ୍କର ଜୀବନ ଜିବିକା ପ୍ରଭାବିତ ହୋଇଛି । ବରୀ ବ୍ଲ୍କରେ କୋଲକାତା ଫେରନ୍ତା ୪ ଜଣ ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ସେଠାରେ ମଧ୍ୟ ସ୍ଥିତି ଜଟିଳ ହୋଇଛି । ଏହି ଅଞ୍ଚଳର ଅନେକ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇ କଟକଣା ଜାରି ରହିଥିବା ବେଳେ ବରୀର ପାଖାପାଖି ୩୦୦ରୁ ଉର୍ଦ୍ଧ ଅଟୋ ଚାଳକ ପ୍ରଭାବିତ ହୋଇଛନ୍ତି । ଅଟୋ ଚାଲିବା ବନ୍ଦ ରହିଥିବା ଫଳରେ ଏମାନେ ଘରେ ବସିରହି ନାନା ହଇରାଣ ହରକତ ହେଉଛନ୍ତି । ଏଭଳି ସ୍ଥିତିରେ ବରୀ ବିଧାୟିକା ସୁନନ୍ଦା ଦାସ ସେମାନଙ୍କ ପରିବାରକୁ ସାହାର୍ଯ୍ୟ ହାତ ବଢାଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ପଞ୍ଚାୟତରେ ଅଟୋ ଚାଳକଙ୍କ ତାଲିକା କରି ସେମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ କରିଛନ୍ତି । ପ୍ରଥମେ ବରୀ ନିର୍ବାଚନ ମଣ୍ଡଳୀର ଅଙ୍ଗାଳୋ ଓ ମଧୁସୁଦନପୁର ପଞ୍ଚାୟତରୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି ବିଧାୟିକା । ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ଅଟୋ ଚାଳକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ବିଧାୟିକା କହିଛନ୍ତି । ଅନ୍ୟ ପଟେ ବିଧାୟିକାଙ୍କ ଏଭଳି ସାହାର୍ଯ୍ୟ କୁ ପ୍ରଂଶସା କରିଛନ୍ତି ଅଟୋ ଚାଳକ ଓ ପ୍ରଭାବିତ ଅଞ୍ଚଳର ଲୋକ ।


