ଆତ୍ମନିର୍ଭର ଭାରତର ଏକ ଆତ୍ମବିଶ୍ୱାସୀ, ଆତ୍ମନିର୍ଭରଶୀଳ ଓ କଲ୍ୟାଣକାରୀ ରାଷ୍ଟ୍ରର ପ୍ରତୀକ

ନୂଆଦିଲ୍ଲୀ : କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଭିଡିଓ କନଫରେନ୍ସ ଜରିଆରେ ଶିଳ୍ପ ଓ ବାଣିଜ୍ୟ ସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଲକଡାଉନ ପରେ ଏଭଳି ସଂଘ ସହିତ ଏହା ହେଉଛି ମନ୍ତ୍ରୀଙ୍କର ପଞ୍ଚମ ବୈଠକ । କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜାରି ହୋଇଥିବା ଲକଡାଉନ ଏବଂ ଏହାପରେ କେତେକ କାର୍ଯ୍ୟକଳାପ ପାଇଁ କଟକଣାକୁ କୋହଳ କରିବା ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା କରାଯିବା ସହିତ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇ ଆଣିବା ଲାଗି ସେମାନଙ୍କ ପରାମର୍ଶ ଗ୍ରହଣ କରାଯାଇଥିଲା। ବୈଠକରେ ବାଣିଜ୍ୟ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ ଏବଂ ଏଚ.ଏସ ପୁରୀ ତଥା ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସିଆଇଆଇ, ଫିକ୍କି, ଆସୋଚାମ, ନାସକମ, ପିଏଚଡିସିଆଇ, ସିଏଆଇଟି, ଫିସମି, ଲଘୁ ଉଦ୍ୟୋଗ ଭାରତୀ, ସିଆମ, ଏସିଏମଏ, ଆଇଏମଟିଏମଏ, ଏସଆଇସିସିଆଇ, ଏଫଏଏମଟି, ଆଇସିସି ଏବଂ ଆଇଇଇଏମଏର ଭଳି ସଂଘର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ। ପ୍ରତିନିଧିମାନଙ୍କୁ ଉଦବୋଧନ ଦେଇ ଗୋୟଲ କହିଥିଲେ ଯେ ଭବିଷ୍ୟତ ପାଇଁ ଆମ ନିକଟରେ ଯଥେଷ୍ଟ ବିକଳ୍ପ ରହିଛି। କୋଭିଡ ପରବର୍ତ୍ତୀ ସମୟରେ ଉନ୍ନତ ଉପାୟ, ଦୃଢ଼ କାର୍ଯ୍ୟାନ୍ଵୟନ ଯୋଜନା ଏବଂ ଭାରତକୁ ବିଶ୍ବଶକ୍ତିରେ ପରିଣତ କରିବା ଲାଗି ଆମେ ପ୍ରସ୍ତୁତ ରହିବା ତଥା କାର୍ଯ୍ୟ କରିବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ‘ଜାନ ଭି, ଜାହାଁନ ଭି’ ଆହ୍ଵାନ ବିଷୟରେ ଆଲୋଚନା କରି ମନ୍ତ୍ରୀ କହିଥିଲେ ଯେ ଅର୍ଥବ୍ୟବସ୍ଥାର ଖରାପ ସମୟ ଅତିବାହିତ ହୋଇସାରିଛି। ଭାରତ ସରକାରଙ୍କ ଦ୍ଵାରା ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଦେଶର ଅର୍ଥବ୍ୟବସ୍ଥାର ସୁଧାର କ୍ଷେତ୍ରରେ ସହାୟକ ହୋଇପାରିବ। ମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ଭାରତର ଅର୍ଥ ଆତ୍ମକୈନ୍ଦ୍ରିକ କିମ୍ବା ବିଦେଶୀବିରୋଧୀ ନୁହେଁ। ବରଂ ଏହା ଆତ୍ମବିଶ୍ବାସୀ, ଆତ୍ମନିର୍ଭରଶୀଳ ଓ କଲ୍ୟାଣକାରୀ ରାଷ୍ଟ୍ରର ପ୍ରତୀକ ଯାହା ସମାଜର ପ୍ରତ୍ୟେକ ବର୍ଗଙ୍କ କଲ୍ୟାଣ ବିଷୟରେ ଧ୍ୟାନ ଦେବ ଏବଂ ଦେଶର ସବୁ ଭାଗର ବିକାଶ କରିବ । ସେ କହିଥିଲେ ଯେ ଆତ୍ମନିର୍ଭର ଭାରତ ଭାରତର ୧୩୦ କୋଟି ନାଗରିକଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବ। ଏହାର ଭାରତୀୟ କମ୍ପାନୀକୁ ସହଯୋଗ କରିବ । ଆମ ଦେଶ ନିକଟରେ ବୈଷୟିକ ଶକ୍ତି ଏବଂ ଦକ୍ଷ ମାନବ ସମ୍ବଳ ରହିଛି। ତଥାପି କେତେକ କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହି ଦିଗରେ ପ୍ରୟାସ କରିବା ଏବଂ ଦୀର୍ଘସ୍ଥାୟୀ ଓ ଅଭିନବ ଉପାୟ ବିଷୟରେ ଚିନ୍ତା କରିବା ଲାଗି ଉଦ୍ୟୋଗ ଜଗତକୁ ଗୋୟଲ ଉଦ୍ୟୋଗଜଗତକୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ କୋଭିଡ-୧୯ ବିରୋଧରେ ସରକାର ଏକାକୀ ଲଢ଼ିପାରିବେ ନାହିଁ, ଏହା ସାରା ଦେଶର ଲଢ଼େଇ ଏବଂ ସମସ୍ତ ଅଂଶୀଦାରମାନେ ଏଥିରେ ସକାରାତ୍ମକ ଭୂମିକା ଗ୍ରହଣ କରିବା ଉଚିତ। ସଂଘ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଅନୁଧ୍ୟାନ କରାଯିବ ଏବଂ ଠିକ ସମୟରେ ଯୁକ୍ତିଯୁକ୍ତ ଏବଂ ଯଥାର୍ଥ ଦାବିଗୁଡ଼ିକୁ ପୂରଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ