କନ୍ଧମାଳ-ଗଞ୍ଜାମ ସୀମା ପରଖିଲେ ବାଲିଗୁଡା ଏସଡିପିଓ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳକୁ ବୁଧବାର ସକାଳେ ବାଲିଗୁଡ଼ା ଏସ୍ଡିପିଓ ମାନସ ରଞ୍ଜନ ବାରିକ ଅଚାନକ ଗସ୍ତ କରିଛନ୍ତି। ସେ ପ୍ରଥମେ ଦାରିଙ୍ଗବାଡ଼ି ଦେଇ କନ୍ଧମାଳ -ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ସୀମା ସିଲ୍ ସ୍ଥାନ ଡବେରିରେ ପହଞ୍ଚି ସ୍ଥିତି ପରଖିଥିଲେ। ସେଠାରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ଉକ୍ତ ଅଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ୍ ସେଣ୍ଟରର ସ୍ଥିତି ବୁଲି ଦେଖିଥିଲେ । ସ୍ଥାନୀୟ ଆଇଆଇସି କୌଶିକ ମାଝିଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତି, କ୍ୱାରାଣ୍ଟାଇନ୍ ସେଣ୍ଟର, ଲକ୍ଡାଉନ୍ ସହ ରାତିରେ ପାଟ୍ରୋଲିଂ ଆଦି ବିଷୟରେ ପଚାରି ବୁଝିବା ସହ ସତର୍କ ରହିବା ପାଇଁ ତାଗିଦ କରିଥିଲେ l ସୂଚନାଯୋଗ୍ୟ,ଯେ, ଲକ୍ଡାଉନ୍ର ଚତୁର୍ଥ ପର୍ଯ୍ୟାୟ ଚାଲିଥିବାବେଳେ ଏବେ ସୁଦ୍ଧା କନ୍ଧମାଳ-ଗଞ୍ଜାମ ସୀମାକୁ ସିଲ୍ କରି ରଖାଯାଇଛି। ଜିଲା ପ୍ରଶାସନର ପରବର୍ତ୍ତୀ ଚିଠି ନ ଆସିବା ପର୍ଯ୍ୟନ୍ତ ଏହି ସୀମା ସିଲ୍ ଅବ୍ୟାହତ ରହିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


