ଆତ୍ମହତ୍ୟା ପ୍ରବଣ ବିଶ୍ୱ
ବିପିନ ବିହାରୀ ମହାନ୍ତି
ଜନ୍ମଥିଲେ ମୃତ୍ୟୁ ଧ୍ରୁବ । ଏହି ମୃତ୍ୟୁ ଭିନ୍ନ ଭିନ୍ନ ଉପାୟରେ ଆସେ । ପ୍ରଥମଟି ହେଲା ସ୍ୱାଭାବିକ ମୃତ୍ୟୁ ଏବଂ ଦ୍ୱିିତୀୟଟି ଅକାଳ ବିୟୋଗ । ଏହା ସବୁ ଦୁର୍ଘଟଣା ବା ଆକସ୍ମିକ ଶ୍ରେଣୀର । ଏଥିପାଇଁ ବାହ୍ୟ କାରଣ ଦାୟୀ । ଯେଉଁ ମୃତ୍ୟୁର କାରଣ ମଣିଷ ପାଇଁ ନିଜେ, ତାକୁ କୁହନ୍ତି ଆତ୍ମହତ୍ୟା । ଏହା ଆଇନ୍ ଅନୁସାରେ ଏକ ଅପରାଧ । ଆତ୍ମ ହତ୍ୟାର କାରଣ ନେଇଆତ୍ମଘାତକ କିଛି କାରଣ ଲିଖିତ ଆକାରେ ଛାଡ଼ି ଯାଇପାରେ ବା ନପାରେ ।
ନିକଟରେ ପ୍ରକାଶିତ ମିଳିତ ଜାତି ସଂଘର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପୃଥିବୀରେ ପ୍ରତି ୪ ସେକେଣ୍ଡ୍ରେ ଜଣେ ଆତ୍ମହତ୍ୟା କରେ । ଏମାନଙ୍କ ମଧ୍ୟରୁ ପ୍ରତି ୩ଜଣରେ ଜଣେ ଭାରତୀୟ ଅଛନ୍ତି । ଭାରତରେ ପ୍ରତି ଦୁଇ ମିନିଟ୍ରେ ଜଣେଆତ୍ମହତ୍ୟା କରନ୍ତି । ଏହି ଆତ୍ମହତ୍ୟାର ପ୍ରମୁଖ କାରଣ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା କୁହେ ଯେ, କୌଣସି କାରଣରୁ ବ୍ୟକ୍ତି ମାନସିକ ଚାପ ଏବଂ ସାମାଜିକ ପ୍ରତିବନ୍ଧକ ତଥା ପ୍ରଚେଷ୍ଟାରେ ବିଫଳତା ଏହାର କାରଣ ସବୁବୋଲି ଜଣାପଡ଼ିଛି । ତେବେ ଗଣମାଧ୍ୟମରେ ଆତ୍ମହତ୍ୟା ଖବର ବାରମ୍ବାର ପ୍ରକାଶ ପାଇବା ଦ୍ୱାରା ତାହା ଅନ୍ୟମାନଙ୍କୁ ଏଭଳି କରିବାରେ ପ୍ରୋତ୍ସାହନ ଦେଉଛି ବୋଲି ସେ ସର୍ବେକ୍ଷଣ ମଧ୍ୟ କୁହେ । ଦୃଷ୍ଟାନ୍ତ ସ୍ୱରୂପ ସାମାଜିକ ପ୍ରତିବନ୍ଧକ କାରଣରୁ ପ୍ରେମୀଯୁଗଳ ଆତ୍ମହତ୍ୟା କରିବା, ଫସଲ ହାନୀ କାରଣରୁ କୃଷକମାନେ ଆତ୍ମହତ୍ୟା କରିବା, କୌଣସି ବଦନାମ୍, ନିର୍ଯ୍ୟାତନା ବା ଅସହ୍ୟ ପାରିବାରିକ କାରଣରୁ ମଧ୍ୟ ଅନେକ ଆତ୍ମହତ୍ୟା କରିଥାଆନ୍ତି । ଏହାବ୍ୟତୀତ ଅସୁସ୍ଥତା, ଆର୍ଥିକ ସଂକଟ, ଦାରିଦ୍ର୍ୟ ଓ ଯୌତୁକ ନିର୍ଯ୍ୟାତନା ଇତ୍ୟାଦି କାରଣମାନ ଅଛି । ଗତ ୧୦ବର୍ଷଧରି ୧୭୨ଟି ଦେଶକୁ ନେଇ ଗବେଷଣା କରିବାରେ ଏ ତଥ୍ୟ ଜଣାପଡ଼ିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମାର୍ଗରେଟ୍ ଚୀନ ପ୍ରକାଶ କରିଛନ୍ତି । ଏହିତଥ୍ୟ ଅନୁସାରେ କେବଳ ଭାରତରେ ୨.୫ଲକ୍ଷ ଆତ୍ମହତ୍ୟା କରିଛନ୍ତି । ପୁନଶ୍ଚ ତାଙ୍କ ମତେ ଅଧିକ ଆୟକାରୀ ଦେଶରେ ପ୍ରତି ଏକଲକ୍ଷରେ ଆତ୍ମହତ୍ୟା ୧୨.୭ ଥିବାବେଳେ ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶରେ ଏହି ସଂଖ୍ୟା ୧ ଲକ୍ଷ ପ୍ରତି ୧୧.୨ । ଭାରତ ସମତେ ଇଣ୍ଡୋନେସିଆ, ନେପାଳ ଓ ଉତ୍ତରକୋରିଆରେ ଆତ୍ମହତ୍ୟା ହାର ଏହାଠାରୁ ଅଧିକ ବୋଲି ଉଲ୍ଲେଖ ଅଛି ।
ସାରାବିଶ୍ୱରେ ପ୍ରତିବର୍ଷ ପ୍ରାୟ ଆଠଲକ୍ଷ ଲୋକ ଆତ୍ମହତ୍ୟା କରିଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ କେବଳ ଭାରତରେ ହେଉଛି ୧ ଲକ୍ଷ ୩୫ ହଜାର ଅର୍ଥାତ୍ ୧୭% । ୧୯୮୭ରେ ଦେଶର ପ୍ରତି ଏକଲକ୍ଷରେ ୭.୯ଜଣ ଆତ୍ମହତ୍ୟା କରୁଥିବାବେଳେ ୨୦୦୭ ବେଳକୁ ଏହିମାତ୍ରା ବଢ଼ି ୧୦.୩ରେ ପହଞ୍ôଚଛି । ଏହି ତଥ୍ୟ ଅନୁଯାୟୀ ୨୦୧୨ ମସିହାରେ ଭାରତରେ ୧,୮୫,୦୯୫ ପୁରୁଷ ଓ ୯୯,୯୭୭ ମହିଳା ଆତ୍ମହତ୍ୟା କରିଛନ୍ତି । ପୁରୁଷ ଓ ସ୍ତ୍ରୀ ଅନୁପାତରେ ଏହା ୨:୧ । ବର୍ତ୍ତମାନ ଏକ ଲକ୍ଷପ୍ରତି ଆତ୍ମହତ୍ୟା ହାର ୨୧ ଜଣ । ଜଣା ପଡ଼ିଛି ଯେ, ଭାରତର ଦକ୍ଷିଣ ଓ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆତ୍ମହତ୍ୟା ହାର ସର୍ବାଧିକ । ୨୦୧୨ରେ ଦେଶରେ ହୋଇଥିବା ମୋଟ୍ ଆତ୍ମହତ୍ୟାର ୧୨.୫% କେବଳ ତାମିଲ୍ନାଡ଼ୁରେ ହୋଇଥିଲା । ଏହା ପଛକୁ ମହାରାଷ୍ଟ୍ର ୧୧.୯%, ପଶ୍ଚିମବଙ୍ଗ ୧୧% ଏବଂ ଏହାର ପରେ ଓଡ଼ିଶା ଅଛି ।
୨୦୧୨ରେ ଦେଶରେ ମୋଟ୍ ଆତ୍ମହତ୍ୟାର ୩୩% ବିଷଖାଇବା ଦ୍ୱାରା ଘଟିଚି, ୩୧% ରଶି ଦେଇ ଓ ୯% ନିଜକୁ କିରୋସିନୀ ବା ପେଟ୍ରୋଲ୍ ଢ଼ାଳି ପୋଡ଼ିବା ଦ୍ୱାରା ଘଟିଛି । ଏହା ବ୍ୟତୀତ ରେଳ ଲାଇନ୍ ତଳେ ଶୋଇ, ନଈ ବା ସମୁଦ୍ରକୁ ଡ଼େଇଁ, ନିଜକୁ ଗୁଳିକରି ବା ଭୁଷିଦେଇ ଅଥବା ସେହିଭଳି କିଛି ଭିନ୍ନ ଉପାୟରେ ଘଟୁଛି । କୃଷିରେ ବ୍ୟବହୃତ କୀଟନାଶକ ବିଷ ଖାଇ ୩୦% ଆତ୍ମହତ୍ୟା କରୁଥିବାରୁ ସେଥିପାଇଁ ବିଶ୍ୱ ଉଦ୍ବେଗ ପ୍ରକାଶ କରିଛି । ତେବେ ଅଧିକାଂଶ ଆତ୍ମହତ୍ୟା ଯୁବ ଓ ବୟସ୍କମାନଙ୍କ ମଧ୍ୟରେ ଘଟୁଛି ବୋଲି ଜଣା ପଡ଼ିଛି ।
ଆଇନ୍ ଆଖିରେ ଆତ୍ମହତ୍ୟା ଏକ ଅପରାଧ । ଧର୍ମଦୃଷ୍ଟିରୁ ଏହା ଏକ ମହାପାପ । ଆତ୍ମହତ୍ୟା ଏକ ପାପ କାରଣରୁ ମୃତ ବ୍ୟକ୍ତିର ଆତ୍ମା ପ୍ରତି ଏଥୁଅନ୍ତେ ଯମଦଣ୍ଡ ଲାଗେ । ତାର ଅପ୍ରାକୃତିକ ବା ଅକାଳ ମୃତ୍ୟୁ କାରଣରୁ ତାକୁ ସଂଗେ ସଂଗେ ପରଜନ୍ମ ମିଳେ ନାହିଁ । ତା ଜୀବଦଶାରେ ବାକିଥିବା ଅବଶିଷ୍ଟ କାଳଯାଏଁ ସେ ପ୍ରେତାତ୍ମା ହୋଇ ଘୁରିବୁଲେ । ତା’ର ପୁନଶ୍ଚ ଜନ୍ମ ସମୟ ଆସିନଥିବାରୁ କୌଣସି ମାତୃଗର୍ଭ ତା’ପାଇଁ ଖାଲି ନଥାଏ । ଏହା ଉଭୟ ଈଶ୍ୱର ଓ ଯମପାଇଁ ସମସ୍ୟା ସୃଷ୍ଟିକରେ । ତା’ପାଇଁ ମୋକ୍ଷ ନାହିଁ ।
ଆତ୍ମହତ୍ୟା ପାଇଁ ବ୍ୟକ୍ତିଗତ କାରଣ ଯେତିକି ଦାୟୀ ସମପରିମାଣ ସାମାଜିକ ଚଳଣି, ପ୍ରଚଳିତ ଆଇନ୍ , ଆମର ଅନ୍ଧବିଶ୍ୱାସ ଓ କୁସଂସ୍କାର, ମଧ୍ୟ ଦାୟୀ । ଅନେକ ସାମାଜିକ କଟକଣା, ମାନସିକ ଚାପ ତଥା ଜୀବନର ବିପରୀତ ଧର୍ମୀ କାର୍ଯ୍ୟକଳାପରୁ ମୁକ୍ତି ନେଇପାରିଲେ ଅନ୍ତତଃ ଆତ୍ମହତ୍ୟାର ହାର ହ୍ରାସ କରାଯାଇପାରେ । ଅନ୍ୟଥା ଏହା ସମୟକୁ ଭୟଙ୍କର ରୂପ ଧାରଣ କରିପାରେ । ଏଣୁ ଏହାର ସମସ୍ୟା ଖୋଜି ତାହାର ନିରାକରଣ ବେଳହୁଁ କରିପାରିଲେ, ସବୁଠୁ ଭଲ ହେବ ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା, ମୋ., ୯୯୩୮୩୪୪୧୩୮