ଆନ୍ଧ୍ର ବ୍ୟବସାୟୀଙ୍କ କବଜାରେ କାଶୀନଗର ତହସିଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ସହର ଓ ସମଗ୍ର ତହସିଲ ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ର ବ୍ୟବସାୟୀ କିଣି ସେଥ୍‌ରେ ପ୍ଲଟିଂ କରି ବେପାର କରି ମାଲାମାଲ ହେଉଛନ୍ତି । କିନ୍ତୁ ଉକ୍ତ ଜମିରେ ବେଆଇନ ମାଟି ଭର୍ତ୍ତିକରି ପ୍ଳଟିଂ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ରାଜସ୍ବ ସରକାର ହରାଉଥ‌ିବା ଅଭିଯୋଗ ହେଉଛି। ଏହି ପ୍ଲଟିଂ ବ୍ୟବସାୟରେ ଆନ୍ଧ୍ର ବ୍ୟବସାୟମାନେ କୋଟି କୋଟି ଟଙ୍କା ଲାଭବାନ ହେଉଥିବାବେଳେ ନାମକୁ ମାତ୍ର କିଛି ଟଙ୍କାରେ ଓଡ଼ିଶାର ରାଜନେତା, ଅଫିସର ଓ ଦଲାଲଙ୍କୁ କରାୟତ୍ତ କରିଚାଲିଛନ୍ତି. କାଶୀନଗର ସହରର ଆଖପାଖ ବହୁ ସ୍ଥାନରେ ଏହିପରି ବେଆଇନ ମାଟି ଚାଲାଣ ହେଉଥିବା ବେଳେ ମାଇନିଂ ବିଭାଗ ନୀରବ ସାଜିଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ବେଳେ ଆନ୍ଧ୍ର ବ୍ୟବସାୟୀଙ୍କ ରାଜୁତି ଦିନକୁ ଦିନ ବଢ଼ି ଚାଲିଛି ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ, ସେହିପରି ବଂଶଧାରା ନଦୀ ମୁହାଣରୁ ମଧ୍ୟ ବାଲି ଟ୍ରାକ୍ଟର ଯୋଗେ ଚୋରା ଚାଲାଣ ହେଉଛି। ଏନେଇ ମାଇନିଂ ବିଭାଗ ବେଆଇନ ବାଲି ଓ ମାଟି ଚାଲାଣକାରୀଙ୍କ ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ । ଚାଲାଣକାରୀ ଗୋଟିଏ ଗାଡ଼ିର ଜରିମାନା ରସିଦରେ ୧୦ ଗାଡ଼ିରେ ମାଟି ଚାଲାଣ କରୁଥିବା ଅଭିଯୋଗ ହେଉଛି । ପୂର୍ବରୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ମାଟି ଉଠାଇବା ପାଇଁ ରାଜସ୍ବ ଅର୍ଥ ପୈଠ କରି ମାଟି ଉଠାଯାଇଥିଲା କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିଲା.ବର୍ତ୍ତମାନ ମାଇନିଂ ବିଭାଗ ଦାୟିତ୍ଵ ନେବା ପରେ ବେଆଇନ ମାଟି ଓ ବାଲି ଚାଲାଣ ଦିନ‌କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସମୟରେ କାଶୀନଗର ଥାନା ତରଫରୁ ପାଟ୍ରୋଲିଂ ସମୟରେ ବେଆଇନ ଚୋରାଚାଲାଣ ଗାଡ଼ିକୁ ଜବତ କରି ସେଥ୍ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିବା ସତ୍ତ୍ବେ ଚୋରାଚାଲାଣ ବନ୍ଦ ହେଉନାହିଁ। ମାଇନିଂ ବିଭାଗ ସହ ବେଆଇନ ଚୋରାଚାଲାଣକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକରେ ବହୁ ମାଟି ବାଲି କାଶୀନଗର ଅଞ୍ଚଳରୁ ଚୋରାଚାଲାଣ ହେଉଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ରାଜନୈତିକ ଦଳର କୁଜିନେତା ଓ ଏ କ୍ଲାସ ଠିକାଦାର ଏଥିରେ ସମ୍ପୃକ୍ତ ଥିବା ସହ ଆନ୍ଧ୍ର ବ୍ୟବସାୟୀଙ୍କୁ ବେଆଇନ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ମାଇନିଂ ବିଭାଗର ଅବହେଳା ଯୋଗୁଁ ଓଡ଼ିଶା ସରକାର ବହୁ ରାଜସ୍ବ କ୍ଷତି ହେଉଥିବା ନେଇ ବୁଦ୍ଧିଜୀବୀ ପ୍ରତିକ୍ରିୟା ରଖୁଛନ୍ତି । ଉକ୍ତ ବେଇଆଇନ ଚୋରାଚାଲାଣ ପ୍ରତି ଜିଲ୍ଲା ପ୍ରଶାସନ ଓ ମାଇନିଂ ବିଭାଗ ଦୃଢ ପଦକ୍ଷେପ ନେବା ସହ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ