ଆମେରିକାର କଟକଣା: ‘ହୁ’ କୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବାକୁ ଘୋଷଣା
ଓ୍ବାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚୀନ୍କୁ ସମର୍ଥନ କରୁଥିବା ଅଭିଯୋଗ ଆଣିବା ପରେ ଏବେ ଆମେରିକା ଏହି ସଂଗଠନ ଉପରେ କଟକଣା ଲଗାଇଛି। ‘ହୁ’ କୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବ ବୋଲି ଆମେରିକା ଘୋଷଣା କରିଛି। ଏନେଇ ଆମେରିକା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ବାର୍ଷିକ ୪୦୦ରୁ ୫୦୦ ମିଲିଅନ ଡଲାର ସହାୟତା ଦେଉଥିବା ବେଳେ ଚୀନ ମାତ୍ର ୪୦ ମିଲିଅନ ଡଲାର ଦେଉଥିବା ଟ୍ରମ୍ପ କହିଛନ୍ତି। ଏପରି ସ୍ଥିତିରେ ‘ହୁ’ ଚୀନକୁ ସମର୍ଥନ କରି କୋରୋନା ସଂକ୍ରମଣ ସମ୍ପର୍କରେ ବିଶ୍ୱକୁ ସଠିକ ତଥ୍ୟ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ କୋରୋନା ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭୂମିକା ଓ ପରିଚାଳନାଗତ ତ୍ରୁଟି ରହିଥିବା ମଧ୍ୟ ସେ କହିଛନ୍ତି।ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ପାଣ୍ଠି ଯୋଗାଣ ସ୍ଥଗିତ ରଖିବା ଦ୍ୱାରା ବିଶ୍ୱର ଅନେକ ଦେଶରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପ୍ରଭାବିତ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ‘ହୁ’ ର ମହାନିର୍ଦେଶକ ଟେଡ୍ରୋସ୍ ଆଡନୋମ୍ ଗେବ୍ରେସିୟସ୍ କହିଛନ୍ତି, କୋଭିଡ-୧୯ କୁ ରାଜନୀତିର ରଙ୍ଗ ଦେବା ଉଚିତ୍ ନୁହେଁ। ଏହାଦ୍ୱାରା କେବଳ ମୃତ୍ୟୁସଂଖ୍ୟା ବଢିବ।


