ଆର୍‌.ଉଦୟଗିରି ଗାନ୍ଧୀ ପାର୍କ ନିର୍ମାଣ କାହା ପାଇଁ…?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆର୍‌.ଉଦୟଗିରି ଠାରେ ଥିବା ଗାନ୍ଧୀ ପାର୍କର ନିର୍ମାଣ କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଛୋଟରୁ ବଡ ପାଇଁ ଶାରିରୀକ ବ୍ୟାୟାମ ଓ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ପାଇଁ ପାର୍କ ନିର୍ମାଣ ହୋଇଛି । ହେଲେ କିଛି ମୁଷ୍ଟିମେୟ ସରକାରୀ ବଡବାବୁମାନେ ଏହି ପାର୍କଟିକୁ ବ୍ୟବହାର କରୁଛନ୍ତି । ସେମାନଙ୍କ ବ୍ୟବହାର ସରିବା ପରେ ପାର୍କ ଗେଟକୁ ତାଲାପକାଇ ବନ୍ଦ କରିଦେଉଛନ୍ତି । ଯଦ୍ୱାରା ଛାତ୍ରଛାତ୍ରୀ ଓ ଜନସାଧାରଣ ଏହି ପାର୍କର କୌଣସି ସୁଫଳ ପାଇପାରୁ ନାହାନ୍ତି । ଏନେଇ ସାଧାରଣରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଆର୍‌.ଉଦୟଗିରି ସ୍ଥାନୀୟ ଗାନ୍ଧୀ ପଡିଆ ଠାରେ ଗାନ୍ଧୀ ପାର୍କଟି ରହିଛି । ଏଠାରେ ସନ୍ଧ୍ୟା ହେଲେ ଦେଖିବାକୁ ମିଳୁଛି ଅଜବ ଦୃଶ୍ୟ । କେଉଁ ପିଲା ପଡିଆ କାନ୍ଥ ଡେଇଁ ଯାଉଛି ତ ଆଉ କିଏ ଗେଟ ଡେଇଁ ଗାନ୍ଧୀ ପାର୍କ ଭିତରକୁ ପ୍ରବେଶ କରୁଛନ୍ତି । ଏହାର କାରଣ ଜାଣିଲେ ସମସ୍ତେ ତାଜୁବ ହୋଇଯିବେ । ସରକାର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶିଶୁମାନଙ୍କ ବିକାଶ କରିବା ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଶିଶୁମାନେ ଯେପରି ମାନସିକ ଅନଗ୍ରସର ବା ଶାରିରୀକ ଅକ୍ଷମ ନହୋଇ ଯେପରି ହୃଷ୍ଟ ପୃଷ୍ଟ ଓ ମାନସିକ ଶାନ୍ତି ପାଇପାରିବେ ସେଥିଲାଗି ସରକାରଙ୍କ ପକ୍ଷରୁ ଶିଶୁ ପାର୍କ ନିର୍ମାଣ କରାଯାଉଛି । ହେଲେ ଉକ୍ତ ଶିଶୁ ପାର୍କ ନାଁରେ କେତେକ ଜାଗାରେ ବର୍ଷ ବର୍ଷ ହେବ ପାର୍କ ନିର୍ମାଣ କାମ ସରୁ ନ ଥିବା ବେଳେ ଆଉ କେତେକାଂଶରେ ଶିଶୁ ପାର୍କ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପାର୍କ ମଧ୍ୟକୁ ଛୋଟ ଛୁଆଙ୍କୁ ପ୍ରବେଶ କରାଯାଉ ନାହିଁ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ମହକୁମାରେ । ଛୋଟରୁ ବଡ ଯାଏଁ ସମସ୍ତେ ଚାହାନ୍ତି ନିଜ ଦେହକୁ ନିଜେ ସୁସ୍ଥ ରଖିବେ ସେଥିଲାଗି ସକାଳ ଓ ସନ୍ଧ୍ୟା ସମୟରେ ସମସ୍ତ ବାହାରିଥାନ୍ତି ବ୍ୟାୟାମ କରିବା ଲାଗି ଗାନ୍ଧୀ ପଡିଆ ମଧ୍ୟରେ ଥିବା ଶିଶୁ ପାର୍କ ମଧ୍ୟକୁ । କିନ୍ତୁ ଏବେ କିଛିମାସ ହେଲା ଚିତ୍ର ପୁରା ଅଲଗା ହୋଇଛି । ଛୋଟ ପିଲାମାନେ ଏବଂ ବୟସ୍କ ଗ୍ରାମବାସୀମାନେ ବ୍ୟାୟାମ କରିବା ପାଇଁ ଆସିବା ପୂର୍ବରୁ ପାର୍କରେ ଗେଟରେ ତାଲା ପଡି ରହୁଛି । ଯାହାରି ଫଳରେ ଛୋଟରୁ ବୟସ୍କମାନେ ବ୍ୟାୟାମରୁ ବଞ୍ଚିତ ରହୁଛନ୍ତି । ଛୋଟ ପିଲାମାନେ ନିଜ ଦେହକୁ ଖଣ୍ଡିଆ ଖାବରା କରି ମଧ୍ୟ ଗେଟ ଓ ପାଚେରୀ ଡେଇଁ ପାର୍କ ମଧ୍ୟକୁ ଯାଇ ବ୍ୟାୟାମ କରୁଥିବାର ଦେଖିବାକୁ ମିଳୁଛି । ଏହାର କାରଣ ଜାଣିବାକୁ ପିଲାଙ୍କୁ ପଚାରିବାରେ ସେମାନେ କହିଥିଲେ ଯେ, ସହକାରୀଯନ୍ତ୍ରୀ ବି. ସନୁଜ କୁମାର ଏବଂ କିଛି କନିଷ୍ଠଯନ୍ତ୍ରୀ ଓ ବ୍ଲକର ସରକାରୀ ବାବୁମାନେ ବନ୍ଦ ରହୁଥିବା ଶିଶୁ ପାର୍କର ଗେଟ ଖୋଲି ବିଭିନ୍ନ ଖେଳ ଖେଳୁଛନ୍ତି । ସେମାନେ ଯେତେବେଳେ ଖେଳିବେ ପାର୍କ ଖୋଲା ହେବ । ଆମେ ଛୋଟ ଛୁଆମାନେ ଖେଳିବାକୁ ଗଲେ ପାର୍କର ଗେଟରେ ତାଲା ପକାଇଦେଉଛନ୍ତି । ପାର୍କ ଭିତରକୁ ଯିବାକୁ କାହାକୁ ଦେଉ ନାହାନ୍ତି । ଯେଉଁ ପିଲା ଯିବାକୁ ଚେଷ୍ଟା କରିବ ତାକୁ ନାନା ପ୍ରକାର ଗାଳି ଗୁୁଲଜ କରୁଛନ୍ତି । ସେଥିଲାଗି ଆମ୍ଭେମାନେ ଏହି ଗେଟ ଡେଇଁ ଓ ତଳ ପଟେ ଗଳି ଯିବାକୁ ବାଧ୍ୟ ହେଉଛୁ । ଯଦି ଏପରି ଅବସ୍ଥାରେ କୁନି କୁନି ପିଲାମାନେ ଗେଟ ଡେଇଁ ଗଲା ବେଳେ ଯଦି କୌଣସି ଅଘଟଣ ଘଟେ ଏଥି ପାଇଁ ଉତ୍ତର ଦାୟୀ କିଏ ରହିବ । ନିଜର ପତିଆରା ଅଛି ବୋଲି ଏହି ସରକାରୀ ବାବୁମାନେ ମନକୁ ଯାହା ଆସିଲା ତାହା କରିବେ ନା କଣ । ନିଜେ ସରକାରୀ ବାବୁମାନେ ଖେଳିଲା ବେଳେ ଗେଟ ଖୋଲା ହେଉଛି ସାଧାରଣ ଲୋକଟି ଖେଳିବାକୁ ଗଲେ ଗେଟରେ ତାଲା ପଡୁଛି । ଏହା କେଉଁ ପ୍ରକାର ନିୟମ । ଏହାର ଉତ୍ତର ରଖିବେ କି ସ୍ଥାନୀୟ ପ୍ରଶାସନ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ