ଆସିଲା ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟିଂ କିଟ୍
ଭୁବନେଶ୍ୱର: ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟିଂ କିଟ ଆସି ପହଞ୍ଚିଛି । ପୂର୍ବରୁ ୫ ହଜାର କିଟ ଆସିଥିଲା । ଏହି କିଟରେ ସ୍ୱାବ ପରୀକ୍ଷା କରି ୧ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଓ ନେଗେଟିଭ ଜଣାପଡ଼ିବ । ଠିକଠାକ ରହିଥିଲେ, ଆଗକୁ ଆହୁରି କିଟ ଆସିବ । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି । ଡାକ୍ତର ପତି କହିଛନ୍ତି, ପହଞ୍ଚିଥିବା କିଟରୁ ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏଁ ଦିଆଯିବ । ୩୦ ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟ ସହ କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚକୁ ୧୫୦ଟି ଲେଖାଏଁ କିଟ୍ ମିଳିବ । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରକୁ ୫୦୦ କିଟ ଦିଆଯିବ । ଗଞ୍ଜାମ ଜିଲ୍ଲା ପାଇଁ ୨୫୦୦ ଓ ଗଜପତି ଜିଲ୍ଲାକୁ ୫୦୦ କିଟ୍ ଅଲଗା ଦିଆଯିବ । ଏସବୁ ବାଦ ରାଜଧାନୀ ପାଇଁ ପାଖାପାଖି ୪ ରୁ ସାଢେ଼ ଚାରି ହଜାର କିଟ ରଖାଯାଇଛି । ରିପୋର୍ଟ ଓ ଖର୍ଚ୍ଚର ସବୁ ଅନୁଧ୍ୟାନ ପରେ ଆଉ ଅଧିକ କିଟ ଆସିବ । ଏହି କିଟରେ ପଜିଟିଭ ଆସିଲେ ଆଉ ଆରଟିପିସିଆର ଟେଷ୍ଟର ଆବଶ୍ୟକତା ନାହିଁ । ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଭୂତାଣୁ ରୁହେ, ରୋଗକୁ ସହଜରେ ଚିହ୍ନଟ କରାଯାଇପାରିବ ।


