ଇଣ୍ଡିଆ ବୁକ୍ ଅଫ ରେକଡରେ ସ୍ଥାନ ପାଇଲେ ଛାତ୍ରୀ ଶୁଭଶ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : “ଇଣ୍ଡିଆ ବୁକ୍ ଅଫ ରେକଡ-୨୦୨୧”ରେ ସ୍ଥାନ ପାଇଛନ୍ତି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶିଶୁ ବିଦ୍ୟାମନ୍ଦିରର ୨ୟ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ଶତପଥୀ । ଏହି କୁନି ଛାତ୍ରୀ ଦେଶର ସମସ୍ତ ରାଜ୍ୟର ରାଜଧାନୀକୁ ମନେ ପକାଇବା ଓ କହିବା ସମୟରେ ପଜଲ୍ ସମାଧାନ କରିବାରେ ଦ୍ରୁତତମ ଶିଶୁ ଭାବେ ସ୍ଥାନ ପାଇଛନ୍ତି । ତାଙ୍କର ଏହି କୃତୀତ୍ୱକୁ ନେଇ “ଇଣ୍ଡିଆ ବୁକ୍ ଅଫ ରେକଡ-୨୦୨୧” ତରଫରୁ ପ୍ରମାଣପତ୍ର ସହ ପଦକ ପ୍ରଦାନ କରାଯାଇଥିବାର ଜଣାପଡିଛି । ଏହି କୃତୀତ୍ୱ ପାଇଁ ସମଗ୍ର ଜିଲ୍ଲା ସମେତ ପାରଳାଖେମୁଣ୍ଡି ସହରର ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏପରି ଏକ ବିରଳ କୃତୀତ୍ୱ ପାଇଁ ତାଙ୍କ ବାପା ସଂସ୍କୃତ ଶିକ୍ଷକ ସନ୍ତୋଷ କୁମାର ଶତପଥୀ ଓ ମା ଗୃହିଣୀ ଅମିତା ଶତପଥୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ପ୍ରଶଂସା କରାଯାଉଛି । ଏଠାରେ ସୂଚନା ଯୋଗ୍ୟ ଯେ, “ଇଣ୍ଡିଆ ବୁକ୍ ଅଫ ରେକଡ-୨୦୨୧”ରେ ସ୍ଥାନ ପାଇବାରେ ଜିଲ୍ଲାରେ ପ୍ରଥମ ବୋଲି ଜଣାପଡିଛି । ଏଥି ପୂର୍ବରୁ ଜୁନିୟର କିମ୍ବା ସିନିୟର ଏହି ବୁକ୍ରେ ସ୍ଥାନ ପାଇନଥିବାର ନଜିର ରହିଛି ।


