୨ଶହ ବର୍ଷର ପୁରାତନ ନୈପଡା-ପାରଳା-ଗୁଣୁପୁରୁ ରେଳପଥ ଥେରୁବାଲି ସଂପ୍ରସାରଣରେ ଲୋକେ ଆଶାବାଦୀ
ରେଳମନ୍ତ୍ରୀ ବୈଷ୍ଣବଙ୍କ ପ୍ରତିଶ୍ମୃତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ୨ଶହ ବର୍ଷରୁ ଉର୍ଦ୍ଧ ପୁରାତନ ପାରଳା ରାଜ ପରିବାର ଦ୍ୱାରା ନିର୍ମିତ ନୈପଡା-ପାରଳାଖେମୁଣ୍ଡି-ଗୁଣୁପୁରୁ ରେଳପଥରେ ବିଭିନ୍ନ ଉନ୍ନତି ଘଟିବା ସହ ରେଳପଥର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଥିବା ଆଭାସ ମିଳିଛି । ନିକଟରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ । ସେତେବେଳେ ଅଭିଭକ୍ତ କୋରାପୁଟ ଜିଲ୍ଲାର ପ୍ରଶାସକ, ବିଭିନ୍ନ ରାଜ ନେତା, ବିଭିନ୍ନ ସଂଗଠକ ପ୍ରମୁଖ ବ୍ୟକ୍ତିବିଶେଷ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଶତାୟୁ ରେଳପଥର ଲମ୍ବା ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀ ଏହା ଶୁଣି ଆଶ୍ଚର୍ଯ୍ୟ ପ୍ରକଟ ହେବା ସହ ଏହାର ନିଶ୍ଚିତ ଉନ୍ନତି ପାଇଁ ମୁଁ ସମସ୍ତ ପଦକ୍ଷେପ ଗ୍ରହଣ କରିବି ବୋଲି ସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ବୈଷ୍ଣବଙ୍କ ଏହି ପ୍ରତିଶ୍ରୁତି ନେଇ ଦକ୍ଷିଣ ଓଡିଶାର ସାଧାରଣଙ୍କ ଠାରେ ନୂତନ ଆଶାର ସଂଚାର ହୋଇ ରେଳପଥଟି ଥେରୁବାଲି ପର୍ଯ୍ୟନ୍ତ ନିଶ୍ଚିତ ସଂପ୍ରସାରଣ ହେବ ବୋଲି ଲୋକେ ବିିଶେଷ ଆଶାବାଦୀ । ଲୋକେ ଏହି ରେଳପଥର ଭାଗ୍ୟ ନିଶ୍ଚିତ ଭାବେ ବଦଳିବାକୁ ଯାଉଛି ବୋଲି ଗ୍ରହଣ କରି ନେଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ପାରଳାଖେମୁଣ୍ଡି ରାଜ ପରିବାର ଶାସନ ଅମଳରେ ଅଞ୍ଚଳର ଉନ୍ନତି ତଥା ଜନମାନସର ବିକାଶ ପାଇଁ ବହୁ ଉନ୍ନୟନ କାର୍ଯ୍ୟ କରିଥିବାର ନଜିର ରହିଛି । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଆଦି ମୁଖ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ତତ୍କାଳ ରାଜାମାନେ ନିଜ ନିଜର ରାଜୁତି ସମୟରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରି ଆସୁଥିବାର ବହୁ ଦୃଷ୍ଟାନ୍ତ ରହିଛି । ସେମାନେ ରଜା ଶାସନ କାଳରେ ପ୍ରଜାମାନଙ୍କୁ ତିଳେ ହେଲେ ସମସ୍ୟାର ଅନୁଭବ କରିବାକୁ ଦେଉ ନଥିଲେ । ସ୍ୱାଧୀନ ଭାରତରେ ଯେପରି ଗଣତନ୍ତ୍ରର ମୌଳିକ ସୁବିଚାର ରହିଛି ସେ ପରି ସେମାନେ ଶତାଧିକ ବର୍ଷ ପୂର୍ବେ ଜନହିତ କର କାର୍ଯ୍ୟକରି ଆସିଥିବାର ଇତିହାସ ରହିଛି । ତେବେ ୧୯୦୦ ମସିହାରେ ପାରଳା ଅଞ୍ଚଳରେ ରେଳଗାଡି ଚଳାଇବା ଏକ ଅସମ୍ଭବ କାର୍ଯ୍ୟକୁ ତତ୍କାଳୀନ ରାଜା ଗୌରଚନ୍ଦ୍ର ଗଜପତି ସାକାର କରି ଦେଖାଇଥିଲେ । ବ୍ରିଟିଶ ଶାସନର କରାଳ କାଳରେ ଏମାନେ ନିଜ ଅଞ୍ଚଳର ପ୍ରଜାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେବଳ ଗମନାଗମନରେ ହିଁ ଅଞ୍ଚଳର ବିକାଶ ଘଟିବ ବୋଲି ଉପଲବ୍ଧ କରି ରାଜକୋଷରୁ ଅର୍ଥ ଖର୍ଚ୍ଚ କରିବା ସହ ଭୂଦାନ କରି ରେଳ ଚଳାଇଥିଲେ । ସେ ସମୟରେ ପାରଳାଖେମୁଣ୍ଡି-ଗୁଣୁପୁର ଅତି ଦୁର୍ଗମ ଇଲାକା ଭାବେ ପରିଚିତ ଥିବା ବେଳେ ଗମନାଗମନ ପାଇଁ ରେଳପଥ ନିର୍ମାଣ କରିବା କାଠିକର ପାଠ ହୋଇଥିଲେ ହେଁ ଗୌରଚନ୍ଦ୍ର ଗଜପତି ଓ କୃଷ୍ଣଚନ୍ଦ୍ର ଗଜପତି ଉଭୟ ବାପ ପୁଅ ଏହାକୁ ସାକାର କରିଥିଲେ । ଗୌରଚନ୍ଦ୍ର ଗଜପତି ୧୯୦୦ ମସିହାରେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଥିବା ନୈପଡା ଠାରେ ଥିବା ମୁଖ୍ୟ ରେଳପଥକୁ ସଂଯୋଗି କରଣ କରିବା ପାଇଁ ନେରୋଗେଜ୍ ରେଳ ଲାଇନ ପ୍ରତିଷ୍ଠା କରିଥିଲେ । ଲୋକେ ନୈପଡା ଯାଇ ସେଠାରୁ ଦେଶର ପ୍ରମୁଖ ସହର କଲିକତା, ମାଦ୍ରାସ ଆଦି ବିଭିନ୍ନ ସହରକୁ ଭିନ୍ନ କାମରେ ସହଜରେ ଯାଇପାରିବେ । ଏହି ଲକ୍ଷ୍ୟରେ ସେ ସମସ୍ତ କଳ, ବଳ, କୌଶଳ ଖଟାଇ ପ୍ରତିଷ୍ଠା କରିଥିଲେ । ଏହାପରେ ତାଙ୍କ ପୁଅ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଆଉ ୨ପାଦ ଆଗକୁ ଯାଇ ବର୍ତ୍ତମାନର ରାୟଗଡ ଜିଲ୍ଲାର ଗୁଣୁପୁରୁକୁ ପାରଳାଖେମୁଣ୍ଡି ଠାରୁ ରେଳରଥ ସଂପ୍ରସାରଣ କରି ଗୁଣୁପୁରୁ ଅଞ୍ଚଳ ବାସୀଙ୍କୁ ରେଳସେବା ଯୋଗାଇଥିଲେ । ସେ ଉପଲବ୍ଧି କରିଥିଲେ ଯେ, ଅଭିଭକ୍ତ କୋରାପୁଟ ଜିଲ୍ଲା ଅତ୍ୟନ୍ତ ଦୁର୍ଗମ ତଥା ପଛୁଆ ଭାବେ ରହିଛି । ଏହି ରେଳପଥ ଅନ୍ତତଃ ଗୁଣୁପୁର ପର୍ଯ୍ୟନ୍ତ ସଂପ୍ରସାରଣ କରିଲେ ସେଠାରୁ ସେମାନେ ରେଳ ଯୋଗେ ଯାତ୍ରା କରି ନୈପଡାରେ ପହଞ୍ôଚ ଦେଶର ବିଭିନ୍ନ ସହରକୁ ନିଜ ନିଜ କାର୍ଯ୍ୟରେ ଯାଇପାରିବେ । ଏହା ଦ୍ୱାରା ସମଗ୍ର ପାରଳା ଅଞ୍ଚଳ ସମେତ ଅଭିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଗମନା ଗମନ ସହଜସାଧ୍ୟ ହେବ । ତେବେ ଏହି ଐତିହାସିକ ରେଳ ନେରୋଗେଜ ରେଳପଥକୁ ୨୦୦୨ରେ ଉଠାଇ ଦିଆଯାଇଥିଲା । ପ୍ରାୟ ୧୦ବର୍ଷ ପରେ ୨୦୧୧ରେ ପୁଣି ବ୍ରଡଗେଜ ରେଳସେବା ଆରମ୍ଭ ହୋଇଥିଲା । ହେଲେ ରାୟଗଡ ଜିଲ୍ଲାର ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ ହୋଇନଥିଲା । ସେଇ ଦିନ ଠାରୁ ଏଥି ପାଇଁ ଅନବରତ ଭାବେ ଦାବି ହୋଇ ଅ।।ସୁଥିବା ବେଳେ ଏବେ ଏହି ପ୍ରକଳ୍ପର ଭାଗ୍ୟ ବଦଳିବ ବୋଲି ଆଶା ସଂଞ୍ଚାର ହୋଇଛି । କେନ୍ଦ୍ର ସରକାରଙ୍କ ମଞ୍ଚୁରୀ ପାଇ ସାରିଥିବା ଗୁଣୁପୁରୁ-ଥେରୁବାଲି ସଂପ୍ରସାରଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଦେବା ପାଇଁ ରାଜି ହୋଇଥିଲେ ମଧ୍ୟ ଏବେ ପ୍ରକଳ୍ପର ଅଧାଖର୍ଚ୍ଚ କେନ୍ଦ୍ର ସରକାର ଦାବି କରିବାରୁ ପରିସ୍ଥିତ ଜଟିଳ ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷଣବ ପ୍ରତିଶ୍ରୁତି ଦେଇଥିବାରୁ ଅତି ଶୀଘ୍ର କାମ ଆରମ୍ଭ ହୋଇପାରେ ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଗୁଣୁପୁରୁ-ନୈପଡା ଶତାୟୁ ରେଳଲାଇନ୍ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ମୂଲ୍ୟବାନ ଖଣିଜ ସମ୍ପଦ ପରିବହନ କ୍ଷେତ୍ରରେ ଏହି ନୂଆ ଲାଇନ୍କୁ ବିକଳ୍ପ ଭାବେ ନିଆଯିବ । କୋରାପୁଟରୁ ରାୟଗଡା ଦେଇ ଯାଇଥିବା ଲାଇନ୍ଟି ବିଶାଖାପାଟଣା ସହ ସିଧା ଯୋଡିବା ଲକ୍ଷ୍ୟ ରଖାଯାଇଛି । ଫଳରେ ଦୁଇ ଉପକୂଳ ଅଞ୍ଚର ବନ୍ଦର ସହ ଏହି ଲାଇନ୍ର ସିଧା ସଂଯୋଗ ହୋଇପାରିବ । ନିକଟରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ । ସେତେବେଳେ ବିଭାଗୀୟ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କ ନିକଟରେ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭିନ୍ନ ସଂଗଠନ ଗୁଣୁପୁରୁ-ଥେରୁବାଲି ପ୍ରକଳ୍ପକୁ ତ୍ୱାରାନ୍ୱିତ କରିବା ପାଇଁ ଦାବି କରିଥିଲେ । ଏହା ସହ ଏହି ରେଳଲାଇନ୍ ହେବା ଦ୍ୱାରା କୋରାପୁଟ-ଭୁବନେଶ୍ୱର ଦୂରତା କମିବା, ଏହି ଲାଇନ୍ର ସଂପ୍ରସାରଣ ହେଲେ ଖଣିଜ ସମ୍ପଦ ସୁବିଧାରେ ପରିବନ ହୋଇପାରିବା, ଗୋପାଳପୁର ବନ୍ଦର ସହ ଯୋଡି ହେବା ଆଦି ସମ୍ପର୍କରେ ଅବଗତ କରାଇଥିଲେ । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ହୃଦବୋଧ ହୋଇଥିବାର ମଧ୍ୟ ଜଣାପଡିଛି ।


