ଇନଚାର୍ଜ ବିଇଓରେ ଚାଲିଛି ହାଟଡିହି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ : ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଟି ଜଣେ ଭାରପ୍ରାପ୍ତ ବିଇଓଙ୍କ ଦ୍ୱାରା ଚାଲୁଥିବାରୁ ଅଧିକାଶଂ ଦିନ ତାଙ୍କର ଅନୁୁପସ୍ଥିତିକୁ ନେଇ ସମଗ୍ର ବ୍ଲକରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି । ବିଇଓ ସୁରଥ କୁମାର ସାହୁ ୨୦୨୧ ଅଗଷ୍ଟରେ ଅବସର ନେବାପରେ ଆଜି ପର୍ଯ୍ୟନ୍ତ କୌଣସି ବିଇଓଙ୍କୁ ନିଯୁକ୍ତି ଦିଆଯାଇ ପାରିଲାନାହିଁ । ପ୍ରଥମେ କିଛି ମାସ କ୍ଷେତ୍ରମୋହନ ହାଁସଦା ଓ ଏବେ ଘଟଗାଁ ବ୍ଲକର ବିଇଓ ଅଭୟ କୁମାର ବେହେରାଙ୍କୁ ଭାରପ୍ରାପ୍ତ ବିଇଓ ଭାବେ ନିଯୁକ୍ତି ଦିଆଯାଇ କାମଚଳା କରାଯାଉଛି । ଫଳରେ ଭାରପ୍ରାପ୍ତ ବିଇଓ ଜଣକ କେବଳ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଦରମା କରିବା ବ୍ୟତିତ ଅନ୍ୟ କୌଣସି କାର୍ଯ୍ୟ ତଦାରଖ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁ ନି ବୋଲି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଛନ୍ତି । ଶିକ୍ଷା ଅଧିକାରୀ ମାନଙ୍କର ତଦାରଖ ଅଭାବରୁ ଶିକ୍ଷାଦାନ ବିପର୍ଯ୍ୟସ୍ଥ ହୋଇ ପଡିଛି । ଅନେକ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମନଇଛା ସ୍କୁଲକୁ ଯିବା ଆସିବା କରୁଥିବାରୁ ଶିକ୍ଷାଦାନ, ମଧ୍ୟାହ୍ନ ଭୋଜନ, ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ଠିକ ଭାବେ ହୋଇପାରୁନି । ବ୍ଲକରେ ଅନେକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଥିବାବେଳେ ଆଜି ପର୍ଯ୍ୟନ୍ତ ତାହା ପୁରଣ ହୋଇପାରିଲାନି । ଏପରିକି ଗତ ୪ମାସ ତଳେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ କିଛି ଶିକ୍ଷକ ଶିକ୍ଷୟତ୍ରୀଙ୍କର ଜଣେ ଲେଖାଏଁ ଥିବା ବିଦ୍ୟାଳୟ ଗୁଡିକୁ ବଦଳି କରାଯାଇ ଥିଲେବି କିଛି ଶିକ୍ଷକ ଏହି ଆଦେଶକୁ ଅବମାନନା କରି ନୁତନ ବିଦ୍ୟାଳୟରେ ଯୋଗଦେଇ ନଥିଲେ । ଯାହାଦ୍ୱାରାକି ଏବେବି ୧୦ରୁ ଉର୍ଦ୍ଧ ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି । ଏହି ବ୍ଲକ ଟି ଜିଲ୍ଲାର ସର୍ବ ବୃହତ ବ୍ଲକ ହୋଇଥିବାବେଳେ ଏହା ଅଧିନରେ ୨୮୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ ୪୭ଟି ହାଇସ୍କୁଲ ମଧ୍ୟ ରହିଛି । ଦୁଇବର୍ଷର କରୋନା କଟକଣା ପରେ ସ୍କୁଲ ଗୁଡିକ ଖୋଲିଯିବାପରେ ଏବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନର ସମୟ । କିନ୍ତୁ ଏହି ସମୟରେ ବିଭାଗୀୟ ଅଧିକାରୀ ମାନଙ୍କ ପକ୍ଷରୁ ବିଦ୍ୟାଳୟ ଗୁଡିକୁ ଠିକ ଭାବରେ ପରିଦର୍ଶନ କରାଯାଉ ନଥିବାରୁ କିଛି କିଛି ବିଦ୍ୟାଳୟରେ ଶିକ୍ଷାଦାନ ଠପ ହୋଇପଡିଛି । ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଠିକ ସମୟରେ ସ୍କୁଲ ନଯାଇ ଛକ ବଜାରରେ ବୁଲୁଥିବା ଦେଖିବରାକୁ ମିଳୁଛି । ଅନେକ ବିଦ୍ୟାଳୟ ସମସ୍ୟା ଘେରରେ ରହିଥିଲେବି ଉପଯୁକ୍ତ ତଦାରଖ ଅଭାବରୁ ସେସବୁ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରୁନି । ଶୀଳପୋଖରୀ ବିଦ୍ୟାଳୟରେ ଦୁଇବର୍ଷର ମଧ୍ୟାହ୍ନ ଭୋଜନ ଅନୁଦାନ ଛାତ୍ରଛାତ୍ରୀମାନେ ପାଇ ନଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି ଅଧିକାରୀ ଏହି ବିଦ୍ୟାଳୟକୁ ତଦନ୍ତ କରିବାକୁ ଯାଇ ନାହାନ୍ତି । ସେହିପରି ଜଣେ ଶିକ୍ଷକ ୬ମାସ ହେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବସି ବସି ମାସକୁ ମାସ ଦରମା ନେଉଥିଲେବି ଶିକ୍ଷା ଅଧିକାରୀ ସେ ବାବଦରେ ଜାଣି ନାହାନ୍ତି । ତେଣୁ ବ୍ଲକରେ ଶିକ୍ଷାଦାନ କିପରି ଚାଲୁଥିବ ତାହା ସହଜରେ ଅନୁମେୟ । ଏ ସମ୍ପର୍କରେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏତେ ବଡ ବ୍ଲକକୁ ସମ୍ଭାଳିବା ପାଇଁ ଜଣେ ନିୟମିତ ବିଇଓଙ୍କ ଆବଶ୍ୟକତା ରହିଛି । ମୋର ଘଟଗାଁ ବ୍ଲକ ହୋଇଥିବାବେଳେ ମୁଁ ଏହାକୁ ଅତିରିକ୍ତ ଦାୟିତ୍ୱ ଭାବେ ବୁଝୁଛି । ତେଣୁ ସମସ୍ତ ଘଟଣା ବୁଝିବା ସମ୍ଭବପର ହେଉ ନାହିଁ । ଏଣୁ ଶିକ୍ଷା ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଜଣେ ନିୟମିତ ବିଇଓଙ୍କୁ ହାଟଡିହି ବ୍ଲକରେ ନିଯୁକ୍ତି ଦେଇ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।


