ଇ-ଫାଇଲିଂ କେନ୍ଦ୍ର ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୁରୁଣା ଅଦାଲତ କାର୍ଯ୍ୟାଳୟ ପରିସରରେ ଇ-ଫାଇଲିଂ କେନ୍ଦ୍ର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ. ଏସ. ମୁରଲିଧର ଆଭାଷୀ ମାଧ୍ୟମରେ କଟକ ହାଇକୋର୍ଟ ପରିସରରୁ ଏହି ଇ-ଫାଇଲିଂ କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତିଙ୍କ ସହିତ ଡଃ. ଜଷ୍ଟିସ ଏସ.କେ. ସାହୁ ମଧ୍ୟ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ କେନ୍ଦ୍ରାପଡା ପୁରୁଣା ଅଦାଲତ ପରିସରରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା, କୋର୍ଟ ରେଜିଷ୍ଟ୍ରାର ପୂଣ୍ୟଶ୍ଳୋକ ରଥ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଶୁତୋଷ ମହାନ୍ତି, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାଜଜ ଶ୍ରୀ ବେହେରା କହିଥିଲେ ଯେ ମାମଲାର ପରିଚାଳନା ପାଇଁ ଡାଟାବେସର ବହୁତ ଆବଶ୍ୟକତା ରହିଛି । ଉତ୍ତମ ଡାଟାବେସ ହେଉଛି ମାମଲା ପରିଚାଳନା କରିବାର ହୃଦସ୍ପନ୍ଦନ । ବୈଦ୍ୟୁତିକ ମାଧ୍ୟମରେ ମାମଲା ଦାୟର କରିବା ପାଇଁ ଆଇନଜୀବୀମାନଙ୍କ ପାଇଁ ବୈଷୟିକ ଜ୍ଞାନ ହାସଲ କରିବା ନିହାତି ଜରୁରୀ । ଏହାଦ୍ୱାରା ସମୟ ଅପଚୟକୁ ରୋକାଯାଇପାରିବ । ଏହି ଜ୍ଞାନକୁ ଅର୍ଜ୍ଜନ କଲେ ଆଇନଜୀବୀମାନେ ଅଦାଲତକୁ ନଆସି ମଧ୍ୟ ମାମଲା କିପରି କୋର୍ଟରେ ବିଚାର ହେଉଛି ତାହା ଜାଣି ପାରିବେ । ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ମହାନ୍ତି ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆଇନଜୀବୀ ଏବଂ ମହକିଲମାନଙ୍କ ସୁବିଧା ପାଇଁ ଏଭଳି ତ୍ୱରିତ ପଦକ୍ଷେପକୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଗୋକୁଳରଞ୍ଜନ ଦାସ, ନିରଞ୍ଜନ ବଳ, ମାନସରଞ୍ଜନ ଧଳ, କୁଞ୍ଜବିହାରି ପରିଡା, ମନୋଜ କୁମାର ସାହୁଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ