ଉଦ୍ଧବଙ୍କ ୟୁଟର୍ଣ୍ଣ  ଆମ ନେତା ମୋଦି, ତୁମର କିଏ?

ଏନ୍ଡିଏରେ ବିଜେପିର ସବୁଠୁ ପୁରୁଣା ମେଣ୍ଟ ସହଯୋଗୀ ଶିବସେନା ମଧ୍ୟରେ ବେଶ୍ କିଛି ବର୍ଷର ତୁତୁମେଁମେଁରେ ଅନ୍ତ ଘଟିଥିବା ସ୍ପଷ୍ଟ ହୋଇଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ବହୁଦିନ ପରେ ୟୁଟର୍ଣ୍ଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ବିରୋଧୀଙ୍କୁ ତାଙ୍କର ନେତା କିଏ ବୋଲି ପ୍ରଶ୍ନ କରିଛନ୍ତି ।
ଗୁଜରାଟ ଗାନ୍ଧିନଗରଠାରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଏକ କାର୍ଯ୍ୟକ୍ରମରେ ସେ ଅନ୍ୟ ଏନ୍ଡିଏ ସହଯୋଗୀଙ୍କ ସହିତ ଯୋଗଦେଇ ଏପରି ୟୁଟର୍ଣ୍ଣ ବିଷୟରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ବିଜେପି ସହ କିଛି ମତାନ୍ତର ଥିଲା, ବର୍ତ୍ତମାନ ସେସବୁ ଆଉ ନାହିଁ । ସମସ୍ତ ବାଦବିବାଦର ଅନ୍ତ ଘଟିଛି । ଆମ ଦୁଇଦଳର ଆଦର୍ଶରେ ରାଷ୍ଟ୍ରବାଦ୍ ଓ ହିନ୍ଦୁତ୍ୱ ରହିଛି । ସେ ବାପା ବାଲାସାହେବ୍ ଠାକ୍ରେଙ୍କ ସ୍ମୃତିଚାରଣ କରି କହିଥିଲେ, ସେ ସବୁବେଳେ କୁହନ୍ତି ହିନ୍ଦୁତ୍ୱ ଆମ ନିଶ୍ୱାସ, ତା ବିନା ବଞ୍ଚି ହେବନି । ତେବେ ଏହା କହିବା ପରେ ତାଙ୍କ ସମର୍ଥକମାନେ ଭାରତ ମାତାକୀ ଜୟ ନାରା ଦେଇଥିବା ଶୁଣାଯାଇଥିଲା ।
୨ଠ୧୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୨୨ଟି ଆସନ ଜିତିବା ପରେ ଉଭୟ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଉଦ୍ଧବ ଏବଂ ଦଳର ଅନ୍ୟ ନେତା ମଧ୍ୟ ବିଜେପି ବିରୋଧରେ ବର୍ଷି ଆସୁଥିଲେ । କିନ୍ତୁ ଗତମାସରେ ଦୁଇଦଳ ମଧ୍ୟରେ ୫ଠ-୫ଠ ବୁଝାମଣା ହେବା ପରେ ସମ୍ପର୍କରେ ସୁଧାର ଆସିଛି । ସେ କହିଥିଲେ, ବୁଝାମଣାରେ ଯାହା ଅଭାବ ଥିଲା, ତାହା ବର୍ତ୍ତମାନ ଅତୀତ । ଆମ ଦୁଇଦଳ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ନେଇ ଯେଉଁମାନେ ଖୁସି ମନାଉଥିଲେ, ମୋତେ ଏଠାରେ ଦେଖି ସେମାନଙ୍କୁ ଝଟ୍କା ଲାଗିଥିବ । ମୋଟ ୫୬ ବିରୋଧୀ ଦଳ ହାତ ମିଶାଇଛନ୍ତି, କିନ୍ତୁ ହୃଦୟ ମିଶାଇ ନାହାନ୍ତି । ଆମର ଜଣେ ନେତା ଅଛନ୍ତି, ତୁମର ନେତା କିଏ? ତୁମ ପ୍ରଧାନମନ୍ତ୍ରୀ କିଏ ହେବ? ସମସ୍ତେ ଏଠି ଆଶାୟୀ, ଏହି ପଦବୀ ପାଇଁ ଅନ୍ତଃକନ୍ଦଳ ଆରମ୍ଭ ହୋଇସାରିଲାଣି । ଏହି କାର୍ଯ୍ୟକ୍ରମରେ ଶିରୋମଣି ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂହ ବାଦଲ, ଏଲ୍ଜେପି ମୁଖ୍ୟ ରାମବିଳାସ ପାଶ୍ୱାନ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତୀନ ଗଡକରୀ ମଧ୍ୟ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ