ଉପଡାକଘରୁ ତାଲା ଭାଙ୍ଗି ଲୁଟ୍ ଉଦ୍ୟମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ଉପଡାକଘରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ଘଟିଥିବା ଜଣାପଡିଛି। ଲୁଟେରା ମାନେ ଉପଡାକଘରର ବିଭିନ୍ନ ପ୍ରକୋଷ୍ଠର ତାଲା ଭାଙ୍ଗିବା ସହ ଲୁହା ଆଲମାରୀ ଭାଙ୍ଗିଥିଲେ ମଧ୍ୟ ଲୁଟ୍ କରିବାରେ ବିଫଳ ହୋଇଥିବା ଜଣାପଡିଛି । ପ୍ରକାଶ ଯେ, ଶନିବାର କାର୍ଯ୍ୟ ନିର୍ଘଣ୍ଟ ସମୟ ପରେ ହିଞ୍ଜିଳିକାଟୁ ଉପଡାକଘର କର୍ମଚାରୀ କାର୍ଯ୍ୟାଳୟ ବନ୍ଦ କରି ଘରକୁ ଫେରିଥିଲେ। ସୋମବାର ଭୋରରୁ ପାର୍ସଲ ଭ୍ୟାନ ଆସି ଉପଡାକଘର କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ଉପଡାକଘରର ଦରଜା ଖୋଲାଥିବା ଦେଖି ସବ ପୋଷ୍ଟମାଷ୍ଟରଙ୍କୁ ଖବର ଜଣାଇଥିଲେ। ଖବର ପାଇ ଉପଡାକଘର ଭାରପ୍ରାପ୍ତ ଡାକ ନିରୀକ୍ଷକ ଶ୍ରାବଣୀ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉପଡାକଘରର ମୁଖ୍ୟ ଫାଟକ ସମେତ ଦ୍ବିତୀୟ ଫାଟକ ଏବଂ ଉପରଘର ପ୍ରକୋଷ୍ଠର ତାଲା ଭଙ୍ଗା ଯାଇଥିବା ବେଳେ ଲୁହା ଆଲମାରୀ ଏବଂ ବହୁ ଟେବୁଲ ଡ୍ର ଖୋଲା ରହିଥିବା ଦେଖିବାକୁ ପାଇଥିଲେ।‌ ଉପଡାକଘରର ବହୁ ଆବଶ୍ୟକ ନଥିପତ୍ର ଏଣେତେଣେ ବିଛାଡି ହୋଇ ପଡିଥିଲା । ଘଟଣା ନେଇ ଉପଡାକଘର ଭାରପ୍ରାପ୍ତ ନିରୀକ୍ଷକ ଶ୍ରାବଣୀ ପ୍ରଧାନଙ୍କୁ ପଚାରିବାରୁ ସେ କୁହନ୍ତି କୌଣସି ଦୁବୃର୍ତ୍ତ ଉପଡାକଘରୁ ଲୁଟ୍ ଉଦ୍ୟମ କରିଥିଲେ ମଧ୍ୟ ଲୁଟ୍ କରିବାରେ ସକ୍ଷମ ହୋଇନାହାନ୍ତି। ତେବେ ଘଟଣା ନେଇ ସେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇଛି କି ନାହିଁ ଘଟଣାର ୨ ଦିନ ଅତିବାହିତ ହୋଇଯାଇଥିଲେ ମଧ୍ୟ ପୁଲିସ କାହାକୁ ଗିରଫ କରିଛି କି ନାହିଁ ସେ ନେଇ ଥାନା ସୂତ୍ରରୁ କୌଣସି ସୂଚନା ମିଳିନାହିଁ । ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ