ଜୁଆଖେଳ ରେ ପୋଲିସ ଚଢାଉ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ କଲ୍ୟାଣ ମଣ୍ଡପ ରେ ଜୁଆ ଖେଳ ଚାଲିଥିବା ଖବର ପାଇଁ ବୁଧବାର ସନ୍ଧ୍ୟା ପ୍ରାୟ ୭ ଟା ରେ କେ.ନୂଆଗାଁ ଥାନା ପୋଲିସ ଟିମ୍ ଚଢ଼ାଉ କରିଥିଲେ। ପୋଲିସ କୁ ଦେଖି ଜୁଆ ଖେଳୁଥିବା ଯୁବକ ମାନେ ଧରିଥିବା ଟଙ୍କା ସବୁ ପକେଟ ରେ ରଖି ଦେଇଥିଲେ । ଆଉ କିଛି ଯୁବକ ଅତି ତରବରିଆ ଭାବେ ଟଙ୍କା ସବୁ ଝରକା ଦେଇ ବାହାରକୁ ଫୋପାଡ଼ି ଦେଇଥିଲେ। ପୋଲିସ କୋଠରୀ ର ଗ୍ରିଲ ପକାଇ ଜୁଆଡି ମାନଙ୍କୁ ମାଡ଼ ମାରିବାରୁ ସେମାନେ ସଂଘବଦ୍ଧ ହୋଇ ପ୍ରତି ଆକ୍ରମଣ କରିବା ସହ ପୋଲିସ କର୍ମଚାରୀ ମାନଙ୍କୁ ମାଡ଼ ମାରିଥିଲେ। ପରେ କିଛି ବ୍ୟକ୍ତି ସେଠାରେ ଜମା ହୋଇ ପୋଲିସ କର୍ମଚାରୀ ମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ୪ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ଗ୍ରାମବାସୀ ପୋଲିସ କର୍ମଚାରୀ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାରୁ ସେମାନଙ୍କ ମଧ୍ୟରୁ କିଛି ପୋଲିସ କର୍ମଚାରୀ ଲହୁ ଲୁହାଣ ହେବା ସହ ପ୍ରାଣ ଭୟରେ ଛତ୍ରଭଙ୍ଗ ଦେଇଥିଲେ। ପରେ ଉତ୍ତେଜିତ ଲୋକେ ପୋଲିସ ଗାଡ଼ି ଉପରକୁ ଢେଲା ମାଡ଼ କରି ଭଙ୍ଗାରୁଜା କରିଥିବା ଜଣାପଡିଛି। ପୋଲିସ ସହ ଗ୍ରାମବାସୀ ଙ୍କ ଧସ୍ତାଧସ୍ତି ର ଭିଡିଓ ଭାଇରାଲ ହୋଇଛି। ଏନେଇ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଙ୍କୁ ପଚାରିବାରୁ ଜୁଆ ଖେଳ ଚାଲିଥିବା ଖବର ପାଇ କେ. ନୂଆ ଗାଁ ଥାନା ପକ୍ଷରୁ ପୋଲିସ ଟିମ୍ ଗାଁ କୁ ଯାଇଥିଲେ। ପୋଲିସ ଗାଡି କୁ ଦେଖି କିଛିବ୍ୟକ୍ତି ଢେଲା ମାଡ କରିଥିବା ସେ ସୂଚନା ପାଇଛନ୍ତି।କିନ୍ତୁ ଏନେଇ ସବିଶେଷ ତଥ୍ୟ ତାଙ୍କ ନିକଟରେ ନଥିବା କହିଛନ୍ତି।


