ଉଫୁନା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ସାରସ୍ୱତ ଉତ୍ସବ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଉତ୍କଳ ଫେଡ଼େରେସନ ଅଫ୍ ୟୁନାଇଟେଡ଼ ନେସନସ୍ ଆସୋସିଏସନ (ଉଫୁନା) ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟା ଭବନ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡ଼ଭୋକେଟ ମନୋରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠୀ ଉଦ୍ଘାଟନ କରି କହିଲେ ଯେ, ବର୍ତ୍ତମାନ କେନ୍ଦ୍ର ସରକାର ଦୈନିକ ଏକ ଶ୍ରମିକର କାର୍ଯ୍ୟ ସମୟକୁ ବୃଦ୍ଧି, ଶ୍ରମ ଆଇନକୁ ସଙ୍କୁଚିତ କରିବା ଆଦି ଶ୍ରମ ଆଇନ୍ର ବିରୋଧୀ । ଉଫୁନାର ସାଧାରଣ ସମ୍ପାଦକ କବି ବାହାଦୂର ପାଟ୍ଟସାହାଣୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭଜମନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଇ ଦିବସ ଅବସରରେ ସୋଭିଏତ୍ ୟୁନିୟନର ଅକ୍ଟୋବର ବିପ୍ଲବ ସମ୍ପର୍କରେ ଆଲୋଚନା କରିଥିଲେ । କରୋନା ସମୟରେ ପ୍ରାୟ ୩୦ ଲକ୍ଷ ଶ୍ରମିକ ଛଟେଇ ହୋଇଥିଲେ ବୋଲି ଅତିଥିମାନେ ଆଲୋଚନା କରିଥିଲେ ଏବଂ ଶ୍ରମିକ ମାନଙ୍କର ଏକତା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରାଉତ, ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ, ନଗର ଉନ୍ନୟନ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମୀନକେତନ ଦାସ, ଶ୍ରମିକନେତା ପ୍ରଭାସ ସାମନ୍ତରାୟ, ଉଫୁନାର ମହାସଚିବ ଡ. ଦୀପାୟନ ପଟଟ୍ଟନାୟକ, ପ୍ରଫେସର ତାରା ପ୍ରସାଦ ଶତପଥୀ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଅକ୍ଷୟ ଶତପଥୀ ପ୍ରମୁଖ ବିଶ୍ୱ ଶ୍ରମିକ ଦିବସର ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ସମାଜବାଦୀ ନେତା ସରୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ବାମଦେବ ସ୍ୱାଇଁ, ବିଜୟଲକ୍ଷ୍ମୀ ସାହୁ, କବିତା ମିଶ୍ର, ନମିତା ନାୟକ, ସୁଜାତା ପଶାୟତ, ଲଳିତ ନାରାୟଣ ରଥ, କାଳୀ ଚରଣ ତ୍ରିପାଠୀ, ଦୁର୍ଗା ଚରଣ ରାଉତ, କରୁଣାକର ଦାସ, ଡ଼ମ୍ବରୁଧର ପାଣିଗ୍ରାହୀ, ଗଡ଼େ ରଙ୍ଗାଧାମ, ରାକେଶ ରଞ୍ଜନ ବିଶ୍ୱାଳ, ଡ. ନୃସିଂହାନନ୍ଦ ମହାପାତ୍ର, ପଣ୍ଡିତ ନାରାୟଣ ଶତପଥୀ, ଲୋକନାଥ ମହାପାତ୍ର ପ୍ରମୁଖଙ୍କୁ ଉଫୁନା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଫୁନାର ସାଂସ୍କୃତିକ ସଚିବ ଭାବେ ଲଳିତ ନାରାୟଣ ରଥ, ଉପସଭାପତି ଭାବେ ଶ୍ରୀମତୀ ସୁଜାତା ପଶାୟତ, ଅଧ୍ୟାପିକା ମୀରା ବେଉରାଙ୍କୁ ଅନ୍ୟତମ ସମ୍ପାଦକ ଭାବେ ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଓଡ଼ିଶା ପ୍ରତିଭା ପୂଜା ସଂସଦ, କଟକର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସଙ୍କ ସଭାପତିତ୍ୱରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ. ନୃସିଂହାନନ୍ଦ ମହାପାତ୍ର ଓ କବିରତ୍ନ ବିଦ୍ୟାଧର ଖଟୁଆ ଅତିଥି ଭାବେ ଯୋଗ ଦେଇଥିଲେ । ଏହାକୁ ବାମଦେବ ସ୍ୱାଇଁ, ମୀରା ବେଉରା ଓ ବିଜୟଲକ୍ଷ୍ମୀ ସାହୁ ସଂଯୋଜନା କରିଥିଲେ । ଏଥିରେ ବହୁ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ ।


