ଋଣ ଦେବା ନାଁ ରେ ଖଲ୍ଲିକୋଟ ଅଞ୍ଚଳର ୯୦ ଜଣଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଠକେଇ , ଦୁଇ ଠକ ଗିରଫ
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡ଼ଙ୍ଗା):ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ଋଣ ଦେବା ନାଁରେ ୪ ଟି ଗାଁର ୯୦ ଜଣ ମହିଳାଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଠକେଇ ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା।ପୋଲିସ ତଦନ୍ତ କରି ଆଜି ଦୁଇ ଠକ ଙ୍କୁ ଗିରଫ କରିଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନିଜକୁ ୟେସ ବ୍ୟାଙ୍କ ର ଫିଲଡ଼ ଅଫିସର ଭାବେ ପରିଚୟ ଦେଇଥିବା କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତ ପାଟଣା ର ଅନୀଲ କୁମାର ଦଳେଇ ଓ ମଠ ସାହି ର ସ୍ମୃତି ରଞ୍ଜନ ପାତ୍ର ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଖଲ୍ଲିକୋଟ ରେ ଥିବା କଲଟେକ କମ୍ପୁଟର ଅନୁଷ୍ଠାନ ର ମାଲିକ ବିଶ୍ୱନାଥ ଦାସ ଙ୍କ ନିକଟକୁ ଆସିଥିଲେ ।ଆପଣଙ୍କ କମ୍ପ୍ୟୁଟର ଅନୁଷ୍ଠାନ ଥିବାରୁ ଏଠାରେ ୟେସ ବ୍ୟାଙ୍କ ର ଏକ ବିସି ପେ ସେଣ୍ଟର ଖୋଲିବାକୁ ପ୍ରବର୍ତ୍ତାଇ ଥିଲେ ।ଏଥିରେ ବିଶ୍ୱନାଥ ଦାସ ରାଜି ହେବା ପରେ ଲୋକ ଙ୍କୁ ବ୍ୟାଙ୍କ ତରଫରୁ ୫୦ ହଜାର ଟଙ୍କା ଲେଖାଏଁ ଲୋନ ଦିଆଯିବ ବୋଲି ଉକ୍ତ ଦୁଇ ଜଣ ବ୍ୟକ୍ତି କହିଥିଲେ ।ଏହାପରେ ସେମାନେ ଫାସିଡି, ତେନ୍ତୁଳିଆପଡା, ମୋହନପୁର, କେଶପୁର ଓଡ଼ିଆରପି କଲୋନୀ ,ବାରସର, ରଘୁନାଥପୁର ଓ ଭରସା ପ୍ରଭୃତି ଗ୍ରାମ କୁ ଯାଇ ସେଠାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ର ଲୋନ କରିଦେବାର ଲୋଭ ଦେଖାଇ ଆଧାର କାର୍ଡ ଏବଂ ଭୋଟ ପରିଚୟ ପତ୍ର ର ନକଲ ନେବା ସହ ପ୍ରଥମେ ଖାତା ଖୋଲିବା ପାଇଁ ୧୩୦ ଟଙ୍କା ଏବଂ ଇନ୍ସୁରାନ୍ସ ପାଇଁ ୫୪୦ ଟଙ୍କା, ଋଣ ମଞ୍ଜୁର କରିବା ପାଇଁ ୫୦୦ ଟଙ୍କା ଲେଖାଏଁ ନେଇଥିଲେ । ଏହା ବ୍ୟତୀତ ୫୦ ହଜାର ରୁ ଅଧିକ ଲୋନ ନେବା ପାଇଁ ଜଣଙ୍କ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇଥିଲେ । କଲଟେକ କମ୍ପ୍ୟୁଟର ଅନୁଷ୍ଠାନର ମାଲିକ ବିଶ୍ୱନାଥ ଦାସଙ୍କ ଠାରୁ ପ୍ରଥମେ କରେଣ୍ଟ ଆକାଉଣ୍ଟ ଖୋଲିବା ପାଇଁ ଅଢେ଼ଇ ହଜାର ଟଙ୍କା ଏବଂ ପରେ ବ୍ୟାଙ୍କର ଡିଭାଇସ ଦେବା ପାଇଁ ୩୦ ହଜାର ଟଙ୍କା ଠକି ନେବା ସହ ତାଙ୍କୁ ୟେସ ବ୍ୟାଙ୍କ ର ଏକ ଜାଲ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ । ସେମାନଙ୍କ ନାମରେ ବ୍ୟାଙ୍କରୁ ଋଣ ଉଠିଥିବା ଏବଂ ଋଣର କିସ୍ତି ପୈଠ କରିବା ପାଇଁ ସେମାନଙ୍କ ନିକଟକୁ ଫୋନ କଲ ଆସୁଥିବା ମହିଳା ମାନେ ଥାନାରେ ଗତ ଏପ୍ରିଲ ମାସ ୪ ତାରିଖରେ ଅଭିଯୋଗ କରିଥିଲେ । ଯଦି ସେମାନଙ୍କ ନାମରେ ଋଣ ଉଠାଯାଇଥାଏ ତାହେଲେ ସେଥିପାଇଁ ସେମାନେ ଦାୟୀ ରହିବେ ନାହିଁ ବୋଲି କହିଥିଲେ ଠକେଇର ଶିକାର ହୋଇଥିବା ମହିଳା ମାନେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ବିଶ୍ୱନାଥ ଦାସଙ୍କ ସମେତ ସମସ୍ତ ମହିଳା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ଥାନା କେସ ନମ୍ବର ୧୭୬/୨୦୨୨ ଅନୁଯାୟୀ ଏକ ଠକେଇ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲେ ।ଆଜି ଅଭିଯୁକ୍ତ ଦୁଇ ଜଣ ଅନୀଲ କୁମାର ଦଳେଇ ଓ ସ୍ମୃତି ରଞ୍ଜନ ପାତ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି ।ସେମାନଙ୍କ ନିକଟରୁ ଗୋଟିଏ ଫିଙ୍ଗର ପ୍ରିଣ୍ଟ ଡିଭାଇସ, ଗୋଟିଏ ଏଟିଏମ ସ୍ୱାଇପ ମେସିନ,୬ ଗୋଟି ସିମ କାର୍ଡ, ତିନୋଟି ମୋବାଇଲ ଫୋନ, ୬ ଗୋଟି ଏଟିଏମ କାର୍ଡ, ୟେସ ବ୍ୟାଙ୍କ ର ଦୁଇଟି ନକଲି ପରିଚୟ ପତ୍ର, ସି ଏମ୍ ସି ଏସ ଏଚ ଜି ନିଧି ଲିମିଟେଡ଼ ନାମରେ ଗୋଟିଏ ନକଲି ପରିଚୟ ପତ୍ର, କେବିସି ନ୍ୟୁଜ ନାମରେ ଗୋଟିଏ ନକଲି ପ୍ରେସ କାର୍ଡ,ଗୋଟିଏ ଷ୍ଟାମ୍ପ ପ୍ୟାଡ଼, ୟେସ ବ୍ୟାଙ୍କ ନାମରେ ତିନୋଟି ରବର ଷ୍ଟାମ୍ପ ଜବତ କରାଯାଇଛି ବୋଲି ଆଇଆଇସି କହିଛନ୍ତି ।ଅଭିଯୁକ୍ତ ଅନୀଲ ଓ ସ୍ମୃତି ରଞ୍ଜନ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ୟତୀତ ଅନ୍ୟ କଟକ, କେନ୍ଦ୍ରାପଡା, ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଜଗତସିଂହପୁର ପ୍ରଭୃତି ଜିଲ୍ଲା ର ୨୬ ଟି ଅଞ୍ଚଳ ରୁ ଏହିଭଳି ଭାବେ ଠକେଇ କରିଥିବା ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଛି ।


