ଋାସ୍ତା ଓ କଲ୍ୟାଣ ମଣ୍ଡପ ସମସ୍ୟାର ସମୀକ୍ଷା କଲେ ଉପଜିଲାପାଳ
ଯୋଡା, (ଯୁଗାଦ୍ଦ): କେନ୍ଦୁଝର ଜିଲା ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରିତୀମୟ ଗୁରୁବାର ସନ୍ଧ୍ୟା ୬ ଘଟିକା ସମୟରେ ଯୋଡାଠାରେ ଥିବା କଲ୍ୟାଣ ମଣ୍ଡପ ଓ ରଣାଶାଳ ଘାଟିଠାରୁ ବାଂଶପାଣି ରାସ୍ତାର ସମୀକ୍ଷା କରିଛନ୍ତି । ପ୍ରଥମେ ଉପଜିଲାପାଳ ପ୍ରତାପ ପ୍ରିତୀମୟ, ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟ ଯୋଶୀ କଲ୍ୟାଣମଣ୍ଡପର ଘରୋଇ ସଦସ୍ୟ ଦୁଶାସନ ସାହୁ, ମାତା ପ୍ରସାଦ ଜୟସ୍ୱାଲ, ନିରଂଜନ ବହିଦାର, ଶିରିଶ ଚନ୍ଦ୍ର ମହାନ୍ତିଙ୍କ ସହିତ କଲ୍ୟାଣ ମଣ୍ଡପର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କଲ୍ୟାଣ ମଣ୍ଡପର ପ୍ରମୁଖ ସମସ୍ୟା ଥିବା ଇକୋ ସିଷ୍ଟମ୍, ଶୌଚାଳୟ ମରାମତି, ଅଗ୍ନୀ ନିର୍ବାପକ ଯନ୍ତ୍ରର ସଂଯୋଗୀକରଣ କିପରି କରାଯିବ ଏନେଇ ଆଲୋଚନା ହୋଇଥିଲା । ଏହାପରେ ଉପଜିଲାପାଳ ଯୋଡା ସହରର ମୁଖ୍ୟ ରାସ୍ତା ସୁନାନଦୀ ପୋଲଠାରୁ ମଙ୍ଗଳା ମନ୍ଦିର ଛକ , ମହାବୀର ଛକ , ସରକାରୀ ଡାକ୍ତରଖାନା ଛକରେ ହୋଇଥିବା ରାସ୍ତାର ଦୂରାବସ୍ଥା ଓ ଖାଲଖମାକୁ ଅନୁଧ୍ୟାନ କରି ପିଡବ୍ଲୁଡି କୁ ଏହାର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ଯୋଡା ପୌରପାଳିକା କାର୍ଯ୍ୟାଳୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ବହୁ ପ୍ରତିକ୍ଷିତ ଯୋଡା ଟାଉନ ହଲ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଛି ଓ ଯୋଡାଠାରେ ନିର୍ମାଣ ହେବାକୁ ଥିବା ଫ୍ଲାଏ ଓଭର ର ମଧ୍ୟ ପ୍ରକ୍ରିୟାକରଣ ଆଗେଇ ଚାଲିଛି ବୋଲି ଉପଜିଲାପାଳ ପ୍ରତାପ ପ୍ରିତିମୟ ସୂଚନା ଦେଇଥିଲେ ।


