ଏକକ ନାଗରିକ ସଂହିତାକୁ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ବିରୋଧ
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଏକକ ନାଗରିକ ସଂହିତା (ୟୁସିସି) ପ୍ରଣୟନ ପାଇଁ ଆରମ୍ଭ ହେଉଥିବା ଉଦ୍ୟମକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଜାରି ରହିଛି । ସାମ୍ଭାବ୍ୟ ଆଇନ ପ୍ରଣୟନକୁ ବିରୋଧ କରିଛି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ବାଲେଶ୍ୱର ଶାଖା । ଏନେଇ ପରିଷଦ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ପରିଷଦର ସଭାପତି କାରୁ ମାର୍ଣ୍ଡି ଯୋଗଦେଇ ସମାନ ନାଗରିକ ସଂହିତା ମାଧ୍ୟମରେ ଆଦିବାସୀମାନଙ୍କୁ ମିଳିଥିବା ସ୍ୱତନ୍ତ୍ର ପରିଚୟ ଓ ସୁବିଧା ସୁଯୋଗ ସମାପ୍ତ ସହ ସେମାନଙ୍କୁ ହିନ୍ଦୁ ଭାବେ ରୂପାନ୍ତରିତ ଏକ ସୁନିୟୋଜିତ ଷଢ଼ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ କରିଛନ୍ତି । ଏହା ଦ୍ୱାରା ଆଦିବାସୀଙ୍କ ନିଜସ୍ୱ ଆଇନ, ସ୍ୱତନ୍ତ୍ର ସାମ୍ବିଧାନିକ ପରିଚୟ ଏବଂ ଅଧିକାର ସମାପ୍ତ ହୋଇଯିବ । ଏହାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ମାସ ୭ତାରିଖରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ସଫଳ କରିବା ପାଇଁ ଶ୍ରୀ ମାର୍ଣ୍ଡି ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଆଦିବାସୀମାନେ ବସବାସ କରୁଥିବା ଅଞ୍ଚଳକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ ପରିବର୍ତ୍ତେ ଜଙ୍ଗଲ ଜମିକୁ ଘରୋଇକରଣ ମାଧ୍ୟମରେ ଅଣଆଦିବାସୀ ଓ ପୁଞ୍ଜିପତିଙ୍କୁ ଅନୁପ୍ରବେଶ କରାଯାଉଛି । ଆଦିବାସୀ ବହୁଳ ଅଂଚଳରେ ବହୁମାତ୍ରାରେ ହିନ୍ଦୁ ଦେବାଦେବୀ ମନ୍ଦିର ନିର୍ମାଣ ସହିତ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ସେମାନଙ୍କ ମୂଳ ସଂସ୍କୃତି ନଷ୍ଟ ପାଇଁ ଉଦ୍ୟମ ଚାଲିଛି ବୋଲି ସେ ଆରୋପ କରିଥିଲେ । ଏହି ଅବସରରେ ଆଦିବାସୀ ଏକତା ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୨୧ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ରାଜେନ୍ଦ୍ର ମାର୍ଣ୍ଡି, କରୁଣାକର କବାଟ, ଅର୍ଣ୍ଣପୂର୍ଣ୍ଣା ସିଂ, ଭୂବନ ମଢ଼େଇ, ନିରଞ୍ଜନ କୁଜୁର, ଶାନ୍ତିଲତା ଚାତାର ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।


