ବିଷାକ୍ତ ଖାଦ୍ୟଖାଇ ୭ ଶିଶୁଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ
ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବ୍ଳକ ଅର୍ନ୍ତଗତ ବୁଆଁଳ ପଞ୍ଚାୟତ ନୂଆପୁର ସିନ୍ଧିଆ ଗ୍ରାମରେ ମୃତାହକର୍ମରେ ବିଷାକ୍ତ ଖାଦ୍ୟଖାଇ ଅସୁସ୍ଥ ୭ ଶିଶୁଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିିର୍ କରାଯାଇଛି । ସେମାନଙ୍କ ମଧ୍ୟରୁ ରବୀନ୍ଦ୍ର ପ୍ରଧାନ (୫୨), ଅନ୍ନପୂର୍ଣ୍ଣା ପ୍ରଧାନ(୫୦), ବଳିଆ ପ୍ରଧାନ (୩୫), ରଶ୍ମୀ ହାଲଦାର (୧୯), ଚନ୍ଦନେଶ୍ୱର ପ୍ରଧାନ (୩୦), ବାପୁ ପ୍ରଧାନ (୭୮), ଦୟାଲ ପ୍ରଧାନ(୧୨), ରିଙ୍କି ପ୍ରଧାନ(୧୭), ମହେଶ ପ୍ରଧାନ (୭), ପୂଜା ପ୍ରଧାନ(୨୬), ଆଶାମଣୀ ପ୍ରଧାନ (୪୫), ରାଜେଶ ପ୍ରଧାନ (୨୧), ସର୍ବେଶ୍ୱର ପ୍ରଧାନ (୩୨)ଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ନୂଆପୁର ସିନ୍ଧିଆ ଗ୍ରାମର ଅଚ୍ୟୁତ ପ୍ରଧାନଙ୍କର ଗତ ସୋମବାର ଦେହାନ୍ତ ହୋଇଥିଲା । ତାଙ୍କର ଶେଷକୃତ୍ୟୁ ପରେ ଦ୍ୱିତୀୟ ଦିନରୁ ପ୍ରତ୍ୟେହ ଦୁଇସଳି ପରିବାର ଓ ଜ୍ଞାତି କୁଟୁମ୍ବମାନେ ଏକାଠି ଖାଇଆସୁଛନ୍ତି । ସେହିକ୍ରମରେ ବୁଧବାର ଦିନ ଅପରାହ୍ଣରେ ରୋଷେଇ ହୋଇଥିବା ଭାତ, ଡାଲମା, ଆଳୁ ଚଟଣିକୁ ପରିବାରର ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ଓ ବନ୍ଧୁବର୍ଗ, ପାଖାପାଖି ୩୫ରୁ ଅଧିକ ଲୋକେ ଖାଇଥିଲେ । ମଧ୍ୟରାତ୍ରିରୁ ଖାଦ୍ୟ ଖାଇଥିବା ବ୍ୟକ୍ତିଙ୍କ ଠାରେ ଅସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଥିଲା । ପ୍ରାୟ ସମସ୍ତଙ୍କୁ ଝାଡ଼ାବାନ୍ତି ହେବା ସହ ଅଧିକାଂଶ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଭୋରସୁଦ୍ଧା ଅବସ୍ଥା ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଅସୁସ୍ଥଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦିବଂଗତ ଅଚ୍ୟୁତ ପ୍ରଧାନଙ୍କ ପୁତ୍ର ବଳିଆ ପ୍ରଧାନଙ୍କ କହିବା ଅନୁସାରେ ତୃତୀୟ ଦିନ ଅପରାହ୍ଣରେ ଖାଇବା ପରେ ପ୍ରାୟ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ । ରାତିରୁ ଝାଡ଼ାବାନ୍ତି ହେବା ସହ ଅଧିକାଂଶ ଲୋକଙ୍କୁ ଜ୍ୱର ଆସିଥିଲା । ସ୍ୱର୍ଗତ ପ୍ରଧାନଙ୍କ ମୃତାହକର୍ମର ତୃତୀୟ ଦିନରେ ରନ୍ଧା ହୋଇଥିବା ଖାଦ୍ୟରେ କୌଣସି ଅପମିଶ୍ରଣ ହେଉ କିମ୍ବା କୌଣସି କିଟ ପତଙ୍ଗ ପଡ଼ି ଖାଦ୍ୟ ବିଷାକ୍ତ ହୋଇଥିବା ଡାକ୍ତରମାନେ ପ୍ରାଥମିକ ପରୀକ୍ଷାରୁ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ଚିକିତ୍ସା ଆରମ୍ଭ ପରେ ଅସୁସ୍ଥ ମଧ୍ୟରୁ କେତେକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ।


