ଏଚପିସିଏଲ ବାଲେଶ୍ୱର ଡିପୋକୁ ମିଳିଲା ଅଞ୍ଚଳସ୍ତରୀୟ ହିନ୍ଦୀ ସମନ୍ୱୟକ ପୁରସ୍କାର
ବାଲେଶ୍ୱର, (ସରୋଜ ପଣ୍ଡା):ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ପୂର୍ବ ଆଞ୍ଚିଳିକ କ୍ଷେତ୍ର ପକ୍ଷରୁ ରାଜଭାଷା ହିନ୍ଦୀ ସମ୍ମେଳନ ଗୌହାଟୀରେ ଗତ ୪ ଓ ୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ରାଜଭାଷା ବିଭାଗ ଉପ-ନିର୍ଦ୍ଦେଶକ ବଦ୍ରି ଯାଦବ, ପୂର୍ବାଞ୍ଚଳ ମୁଖ୍ୟ ମହାପ୍ରବନ୍ଧକ ମୋହିତ ଧବନ ଓ ହେମନ୍ତ କୁମାର ସିଂହ, ଏଲପିଜି ମହାପ୍ରବନ୍ଧକ ସଲିମ ଖାନ, ରାଜଭାଷା ପୂର୍ବାଞ୍ଚଳ କ୍ଷେତ୍ର ମହାପ୍ରବନ୍ଧକ ଅତନୁ ଚଚ୍ଚୋପାଧ୍ୟାୟ ପ୍ରମୁଖଙ୍କ ସମେତ ବହ ବରିଷ୍ଠ ଅଧିକାରୀ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ରାଜଭାଷାର ବିକାଶ ଓ ସମୃଦ୍ଧି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତେବେ ରାଜଭାଷା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏଚପିସିଏଲ, ବାଲେଶ୍ୱର ଡିପୋକୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ପୂର୍ବାଞ୍ଚଳ ମୁଖ୍ୟ ମହାପ୍ରବନ୍ଧକ ମୋହିତ ଧବନ ଏହି ପୁରସ୍କାର ପ୍ରଦାନ କରିଥିଲେ । ବାଳେଶ୍ୱର ଡିପୋର କ୍ଷେତ୍ରୀୟ ମୁଖ୍ୟ ପ୍ରବନ୍ଧକ ଫାଲଗୁନୀ ଚନ୍ଦ୍ର ସାହୁ ହିନ୍ଦୀ ସମନ୍ୱୟକ ପୁରସ୍କାର ଗ୍ରହଣ କରିଥିବା ବେଳେ ବାଲେଶ୍ୱର ଡିପୋ କାର୍ଯ୍ୟକର୍ତ୍ତା ମୁକେଶ କୁମାର ମଧ୍ୟ ଉପସ୍ଥିତ ଥିଲେ । ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ହିନ୍ଦୀ ସମନ୍ୱୟକଙ୍କ ଦ୍ୱାରା ହୋଇଥିବା ବିଭିନ୍ନ କାର୍ଯ୍ୟର ବିବରଣୀ ପୁସ୍ତିକା ପ୍ରଦର୍ଶିତ ହୋଇଥିଲା । ଏଥିରେ ଫାଲଗୁନୀ ଚନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ରହି ପୁରସ୍କାର ଓ ବିବରଣୀ ପୁସ୍ତିକା ପ୍ରଦର୍ଶିତ କରିଥିଲେ । ରାଜଭାଷା ହିନ୍ଦୀ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ମିଳିଥିବା ଏହି ପୁରସ୍କାର ଓଡ଼ିଶା ପାଇଁ ଗୌରବର ବିଷୟ ହୋଇଛି । ରାଜଭାଷା ହିନ୍ଦୀ ପ୍ରତି ଓଡ଼ିଶାର ଏହା ପ୍ରକୃତ ସମ୍ମାନ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।


