ଏସକେସିଜି ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନ ବିଭାଗରେ ସେମିନାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳର ରାଜନୈତିକ ବିଜ୍ଞାନ ବିଭାଗରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ସେମିନାର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ବିଭାଗୀୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ରାଜନୈତିକ ବିଜ୍ଞାନ ବିଭାଗର ମୁଖ୍ୟ ବୈଦ୍ୟନାଥ ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଭଜମନ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରଫେସର ଡକ୍ଟର ଅମେୟ ପରିଚ୍ଛା ଓ ଅଧ୍ୟାପକ ତ୍ରିପତି ମୁର୍ମୁ, +୩ ଅଧ୍ୟାପିକା ମମତା ବାରିକ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ସେମିନାରରେ ବିଷୟବସ୍ତୁ ଥିଲା “ତୃତୀୟ ରାଷ୍ଟ୍ର ମାନଙ୍କର ଆବିର୍ଭାବ ଓ ଶୀତଳ ଯୁଦ୍ଧର ପରିସମାପ୍ତି” । ଉକ୍ତ ବିଷୟବସ୍ତୁକୁ ନେଇ ମୁଖ୍ୟଅତିଥି, ମୁଖ୍ୟବକ୍ତାଙ୍କ ସମେତ ମଞ୍ଚାସୀନ ଅତିଥିମାନେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜନୈତିକ ବିଭାଗ ର ବହୁ ଛାତ୍ର ଛାତ୍ରୀ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ନିଜର ମତ ବ୍ୟକ୍ତ କରିଥିଲେ। ପରିଶେଷରେ ରାଜନୈତିକ ବିଜ୍ଞାନ ବିଭାଗ ର +୩ ବର୍ଷର ଛାତ୍ରୀ ରାଣି ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


