ଏସିଡ୍ ଆକ୍ରମଣରେ ଶିକାର ହୋଇଥିବା ମହିଳାଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ରିୟା
ନୂଆଦିଲ୍ଲୀ : ଇଣ୍ଡିଆ ଟୁଡେ ମାଇଣ୍ଡ ରକ୍ସ ୨୦୧୯ ମଞ୍ଚରେ ଯୋଗ ଦେଇଥିଲେ ସମାଜସେବୀ ରିୟା ଶର୍ମା । ବୟସ ମାତ୍ର ୨୬ ହୋଇଥିଲେ ମଧ୍ୟ ଏତେ କମ ବୟସରୁ ସେ ଅନ୍ୟକୁ ବଞ୍ଚିବାର ବାଟ ଦେଖାଉଛନ୍ତି । ମାତ୍ର ୨୧ବର୍ଷ ବୟସରୁ ସେ ମେକ୍ ଲଭ୍ ନଟ୍ ସ୍କାର୍ସ ନାମକ ଏକ ସଂସ୍ଥା ଆରମ୍ଭ କରି ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳାମାନଙ୍କୁ ନୂଆ ଜୀବନ ଦେଇ ଆସୁଛନ୍ତି । ରିୟା ଭାରତର ଏମିତି ଜଣେ ସମାଜସେବୀ, ଯାହାଙ୍କୁ ୨୦୧୭ରେ ୟୁନିସେଫ୍ ଗ୍ଲୋବାଲ ଗୋଲ୍ସ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।
ଦିଲ୍ଲୀରେ ଅକ୍ଟୋବର ୧୩, ୧୯୯୨ରେ ଜନ୍ମଗ୍ରହଣ କରିଥିଲେ ରିୟା ଶର୍ମା । ହରିୟାଣା ପାଥ୍ୱେଜ୍ ୱାର୍ଲଡ୍ ସ୍କୁଲରୁ ସେ ନିଜର ସ୍କୁଲ ଶିକ୍ଷା ପୂରା କରିବା ପରେ ଲଣ୍ଡନର ଲିଡ୍ସ କଲେଜ ଅଫ୍ ଆର୍ଟରେ ସ୍ନାତକ ହାସଲ କରିଥିଲେ । ପରେ ସେ ଭାରତ ଫେରି ମେକ୍ ଲଭ୍ ନଟ୍ ସ୍କାର୍ସ ନାମକ ଏକ ସଂସ୍ଥା ଆରମ୍ଭ କରିଥିଲେ । ତାଙ୍କର ଏହି ସଂସ୍ଥା ଏସିଡ୍ ଆକ୍ରମଣର ପୀଡ଼ିତାଙ୍କୁ ସମାଜରେ ଗ୍ରହଣୀୟ କରିବା ସହ ନୂଆ ପରିଚୟ ଦେବାର କାମ ଆରମ୍ଭ କରିଥିଲା । ଦିଲ୍ଲୀରେ ଏକ ଥଇଥାନ କେନ୍ଦ୍ର ମଧ୍ୟ ରହିଛି, ଯେଉଁଠି ଏସିଡ୍ ଆକ୍ରମଣର ପୀଡ଼ିତା ରହିବା ସହ ସେଠାରେ ତାଙ୍କର ଦେଖାଶୁଣା ମଧ୍ୟ କରାଯାଇଥାଏ ।


