ଓକିଲ ସଂଘର ପରିଚାଳନା ନିମନ୍ତେ ପାଂଚ ଜଣିଆ କମିଟି ଗଠନ
ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ଭୁତାଣୁ ଲାଗି ଚାରିଆଡ଼େ ଲକଡାଉନ । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ସମସ୍ତ ଓକିଲ ସଂଘର ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲ ହୋଇଥିବା କାର୍ଯ୍ୟକୁ ଓଡ଼ିଶା ଷ୍ଟେଟ ବାର କାଉନସିଲ ବାତିଲ କରି ଲକଡାଉନ ହେତୁ ଏକ ପାଂଚ ଜଣିଆ କମିଟି ଗଠନ କରି ସମସ୍ତ ଓକିଲ ସଂଘ କାର୍ଯ୍ୟକାରୀ କରିବା ନିମନ୍ତେ ଓଡ଼ିଶା ଷ୍ଟେଟ ବାର କାଉନସିଲ ଚିଠି ନଂ ଓଏସବିସି-୧୯୬୭(୧୫୮/୨୦୨୦) ୪.୫.୨୦୨୦ ଅନୁଯାୟୀ ଆଜି ଛତ୍ରପୁର ଓକିଲ ସଂଘ ପକ୍ଷରୁ ପାଂଚ ଜଣିଆ କମିଟି ନିମନ୍ତେ ଚୟନ କରାଯାଇଛି । ସୂଚନାଯୋଗ୍ୟ ଯେଉଁମାନେ ଥରେ ସଂଘର ସଭାପତି କିମ୍ବା ସମ୍ପାଦକ ହୋଇଥିବେ, ଏହି କମିଟିରେ ସେମାନଙ୍କୁ ସ୍ଥାନ ଦିଆଯିବ । ସେହି ଅନୁଯାୟୀ ଶନିବାର ଛତ୍ରପୁର ଓକିଲ ସଂଘ ପରିସରରେ ନିର୍ବାଚନ ଅଧିକାରୀ ସିଏଚ.ସୂର୍ଯ୍ୟନାରାୟଣ ରେଡ୍ଡି, ସହକାରୀ ନିର୍ବାଚନ ଅଧିକାରୀ ସଂଜୟ କୁମାର ବେହେରାଙ୍କ ଉପସ୍ଥିତିରେ ବର୍ତମାନର କର୍ମକର୍ତାମାନେ ପାଂଚ ଜଣିଆ କମିଟି ନିମନ୍ତେ ସେମାନଙ୍କ ମତାମତ ନିର୍ବାଚନ ଅଧିକାରୀମାନଙ୍କୁ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଅଧିକାରୀ ଶ୍ରୀ ରେଡ୍ଡି ପାଂଚ ଜଣିଆ କମିଟି ଭାବେ ଅମରେଶ ପ୍ରସାଦ ମିଶ୍ର, ରଘୁନାଥ ମହାନ୍ତି, ଦେବେନ୍ଦ୍ର କୁମାର ମିଶ୍ର, ପ୍ରଦୀପ କୁମାର ପାଢ଼ୀ, ଚୈତନ୍ୟ ପ୍ରଧାନ ପ୍ରମୁଖଙ୍କୁ ଚୟନ କରାଯାଇଛି ବୋଲି ସହକାରୀ ନିର୍ବାଚନ ଅଧିକାରୀ ସଂଜୟ କୁମାର ବେହେରା ସୂଚନା ଦେଇଛନ୍ତି । ଏହି କମିଟି ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସଂଘର ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି ଶ୍ରୀ ବେହେରା ମଧ୍ୟ କହିଛନ୍ତି ।


