ଓଡିଶାର ବାଲି ଆନ୍ଧ୍ରରେ ସୁନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ବଂଶଧାରା ନଦୀର ୪ଟି ବାଲିଘାଟ ନିଲାମ ହୋଇଛି । ଓଡିଶାର ଗଜପତି ଜିଲ୍ଲା ବଂଶଧାରା ନଦୀ ବାଲି ଘାଟର ବାଲିର ଚାହିଦା ପଡୋଶୀ ଆନ୍ଧ୍ରରେ ବେଶ ଚାହିଦା ରହିଛି । ଏହି ବାଲିର ଦର ଓ ଚାହିଦା ଆନ୍ଧ୍ରରେ ସୁନା ଭଳି ମୁଲ୍ୟବାନ ରହିଛି । ଏହି ବାଲି ଆନ୍ଧ୍ରକୁ ଚୋରା ଚାଲାଣ କରି ଆନ୍ଧ୍ର ଓ ଗଜପତିର କେତେକ ମୁଷ୍ଟିମେୟ ବ୍ୟବଶାୟୀଙ୍କ ସମେତ ଆନ୍ଧ୍ର ଦଲାଲ କୋଟିପତି ପାଲଟିଛନ୍ତି । ବର୍ତ୍ତମାନ ନିଲାମ ପ୍ରକ୍ରିୟା ଶେଷ ହୋଇଥିବାରୁ ପୁଣି ଏହି ଆନ୍ଧ୍ର ଦଲାଲମାନେ ସକ୍ରୀୟ ହୋଇ ଚୋରାରେ ଆନ୍ଧ୍ରକୁ ବାଲି ଚାଲାଣ କରିବେ । ଓଡିଶାର ବାଲି ଆନ୍ଧ୍ରରେ ସୁନା ଦରରେ ବିକ୍ରୀ ହେଉଥିବା ଯୋଗୁଁ କାଶୀନଗର ଠାରେ ବଂଶଧାରା ନଦୀ ଥିଲେ ସୁଦ୍ଧା କାଶୀନଗର ଅଞ୍ଚଳବାସୀ ଆନ୍ଧ୍ର ଭଳି ଅଧିକ ମୁଲ୍ୟ ଦେଇପାରୁ ନ ଥିବା ଯୋଗୁଁ ବଂଶଧାରା ବାଲି ଅଞ୍ଚଳବାସୀଙ୍କୁ ମିଳୁ ନ ଥିବା ବହୁ ଅଭିଯୋଗ ହୋଇ ଆସୁଛି । ଜିଲ୍ଲା ପ୍ରଶାସନ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଓଡିଶାରୁ ଆନ୍ଧ୍ରକୁ ବାଲିର ଚୋରା ଚାଲାଣକୁ ରୋକିବା ସହ ଅଞ୍ଚଳବାସୀଙ୍କୁ ଉଚିତ ମୁଲ୍ୟରେ ବାଲି ଯୋଗାଇ ଦେବା ପାଇଁ ସାଧାରଣଙ୍କ ତରଫରୁ ନିବେଦନ କରାଯାଇଛି । ବ୍ରହ୍ମପୁରର ଜାନକୀ ଦେବୀ ମିଶ୍ର କ୍ୟୁବିକ୍ ମିଟର୍ ପିଛା ୭୦୧ ଟଙ୍କାରେ ବୁଦୁରା ବାଲିଘାଟର ନିଲାମ୍ ଧରି ୧ମ ସ୍ଥାନରେ ଥିବାବେଳେ ଭୁବନେଶ୍ୱର ନାରାୟଣ ବିଶ୍ୱାଳ କ୍ୟୁବିକ୍ ମିଟର ପିଛା ୫୫୭ ଟଙ୍କାରେ କିତାଙ୍ଗି ବାଲିଘାଟ ନିଲାମ ଧରି ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଖାଣ୍ଡବା ବାଲିଘାଟ ନିଲାମ ଭୁବନେଶ୍ୱରର ମଦନ ମୋହନ ପ୍ରଧାନ ପାଇଛନ୍ତି । ଏହି ଘାଟ ପାଇଁ କ୍ୟୁବିକ୍ ମିଟର୍ ପିଛା ସବୁଠୁ କମ୍ ୧୫୬ ଟଙ୍କା ମୂଲ୍ୟ ରହିଛି । ପୁରିଟିଗୁଡା ବାଲିଘାଟ ନିଲାମ ଭୁବନେଶ୍ୱରର ବଂଶୀଧର ସ୍ୱାଇଁଙ୍କ ସପକ୍ଷରେ ଯାଇଛି । ଉଲ୍ଲିଖିତ ଘାଟ ପାଇଁ କ୍ୟୁବିକ୍ ମିଟର ପିଛା ୫୦୧ ଟଙ୍କା ମୂଲ୍ୟ ରହିଥିବା ଜଣାପଡିଛି । ବିଶ୍ୱସ୍ତ ସୂତ୍ରରୁ ଏହି ସ୍ପଷ୍ଟ ସୂଚନା ମିଳିଥିବା ବେଳେ ୬ ତାରିଖ ଦିନ ଅଫିସିଆଲ୍ ନୋଟିସ୍ ପ୍ରକାଶ ପାଇବାର ସମ୍ଭାବନା ରହିଛି । ପ୍ରକାଶ ଯେ, ଏହି ନିଲାମ ପାଇଁ ବହୁବ୍ୟକ୍ତି ଅନେକ ଦିନ ହେଲା ଅପେକ୍ଷାରେ ଥିଲେ ।


