କଇଁଛର ସୁରକ୍ଷା ନିମନ୍ତେ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଓଲିଭ୍ ରିଡ୍ଲେ କଇଁଛଙ୍କ ପ୍ରଜଜନ ସମୟରେ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟିର ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଓଲିଭ୍ ରିଡ୍ଲେର ବଂଶ ବୃଦ୍ଧି, ସୁରକ୍ଷା ଏବଂ ସଂରକ୍ଷଣକୁ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟରେ ପରିଣତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥାନୀୟ ବାସିନ୍ଦା ଏବଂ ସେ୍ୱଚ୍ଛାସେବୀ ସଂଗଠନ ମାନଙ୍କୁ ସକ୍ରିୟଭାବେ ସାମିଲ କରି ଏହି କାର୍ୟ୍ୟକ୍ରମକୁ ଏକ ଜନ-ଅଭିଯାନର ରୂପ ଦେବାକୁ ସେ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜଙ୍ଗଲ, ମସ୍ୟି ଓ ପଶୁ ସଂପଦ ବିକାଶ, ଗୃହ ଏବଂ ତଟ ସୁରକ୍ଷା ବାହିନୀ ଆଦି ବିଭାଗଙ୍କୁ ପରସ୍ପର ସହ କ୍ଷେତ୍ରସ୍ତରୀୟ ସମନ୍ୱୟ ରଖି କାର୍ୟ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଡ଼ି.ଆର.ଡ଼ି.ଓ ଏବଂ ଉପକୂଳବର୍ତ୍ତୀ ୩ଟି ବନ୍ଦର କର୍ତ୍ତୁପକ୍ଷ ମାନେ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ସହ ରାତ୍ରୀ ସମୟରେ ତୀବ୍ର ଆଲୋକ ରଶ୍ମିକୁ ଅବନତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ତୀବ୍ର ଆଲୋକ ରଶ୍ମି ଓଲିଭ୍ରିଡ୍ଲେଙ୍କ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ଥିବାରୁ ଆଲୋକ ରଶ୍ମି ନିୟନ୍ତ୍ରିତ କରିବାକୁ କୁହାଯାଇଥିଲା । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ପି.ସି.ସି.ଏଫ୍ ଶ୍ରୀ ସନ୍ଦୀପ୍ ତ୍ରିପାଠୀ କଇଁଛ ସଂରକ୍ଷଣ ସମ୍ବନ୍ଧିତ ପ୍ରଶାସନିକ, ଆର୍ଥିକ ଓ ଆଇନଗତ ଦିଗ ଅଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଚଳିତ ପ୍ରଜଜନ ଋତୁ ନିମନ୍ତେ ନଭେମ୍ବର ୧ ତାରିଖ ଠାରୁ ୨୦୧୯ ମେ ମାସ ୩୧ ତାରିଖ ୨୦୨୦ ପର୍ୟ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦ କି.ମି ପର୍ୟ୍ୟନ୍ତ ନିର୍ଦ୍ଧାରିତ ଅଂଚଳ ମଧ୍ୟରେ ମାଛମରା ନିଷେଧ ଜାରି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ଯନ୍ତ୍ର ଚାଳିତ ଡ଼ଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ନିଷେଧ ହେବ । ବିନା ମଟର ବୋଟ୍ ରେ ପାରମ୍ପରିକ ଢ଼ଙ୍ଗରେ ମାଛ ଧରୁଥିବା ମସ୍ୟିଜିବୀ ମାନଙ୍କୁ ଅଯଥାରେ ଅସୁବିଧାରେ ନପକାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସଂପୃକ୍ତ ବିଭାଗ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । ନିଷେଧ ଯୋଗୁ ପ୍ରଭାବିତ ପ୍ରାୟ ୮୦୦୦ ମସ୍ୟିଜିବୀ ପରିବାରଙ୍କୁ ୭୫୦୦ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ସ୍ଥିର କରାଯାଇଥିଲା । ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ସଂରକ୍ଷଣ ଓ ସୁରକ୍ଷା କାର୍ୟ୍ୟ ଯୋଜନା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଏଥିପାଇଁ ବ୍ୟାପକ ଜନସଚେତନତା କାର୍ୟ୍ୟକ୍ରମ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ୬୧ଟି ‘ଅନ୍-ସୋରଦ ଏବଂ ୫ଟି ‘ଅଫ୍-ସୋରଦ ଏହିପରି ୬୬ଟି ପେଟ୍ରୋଲିଂ କ୍ୟାମ୍ପ୍ କରାଯିବ । ଏ.ପି.ଆର, ପୋଲିସ୍, କୋଷ୍ଟ ଗାର୍ଡ, ପେଟ୍ରୋଲିଂ ସିପ୍ ଏବଂ ସାମୁଦ୍ରିକ ଥାନା ମାନଙ୍କ ମଧ୍ୟରେ ସୂଚନା ଦେଣନେଣ ପ୍ରକ୍ରିୟାକୁ ଅଧିକ ନିୟମିତ ଏବଂ ନିର୍ଦ୍ଧିଷ୍ଟ କରାଯିବ । ସ୍ଥାନୀୟ ପ୍ରତିନିଧି, ସେ୍ୱଚ୍ଛାସେବୀ ଅନୁଷ୍ଠାନ ଏବଂ ପ୍ରକୃତି ପ୍ରେମୀ ବ୍ୟକ୍ତି ବିଶେଷଙ୍କୁ ଏଥିରେ ସାମିଲ କରି ଉପକୂଳରେ ଓଲିଭ୍ ରିଡ୍ଲେ ଅଣ୍ଡାର ସୁରକ୍ଷା କରିବା ଏବଂ ଛୁଆ ଫୁଟିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡିବା କାର୍ୟ୍ୟ କରାଯିବ । ଜଙ୍ଗଲ ଓ ପରିବେଷ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବନ୍ୟଜନ୍ତୁ ସଂରକ୍ଷକ ପି.ସି.ସି.ଏଫ୍ ଶ୍ରୀ ସନ୍ଦୀପ୍ ତ୍ରିପାଠୀ, ବନ୍ୟଜନ୍ତୁ ପ୍ରଧାନ ମୁଖ୍ୟ ସଂରକ୍ଷକ ଶ୍ରୀ ହରିଶଙ୍କର ଉପାଧ୍ୟାୟ, ବିଶେଷଜ୍ଞ ଡ଼ଃ ପ୍ରିୟମ୍ବଦା ମହାନ୍ତି (ହେଜ୍ ମାଦୀ), ତଟ ସୁରକ୍ଷା ବାହିନୀ କମାଣ୍ଡାଣ୍ଟ୍, ବନ୍ୟଜନ୍ତୁ ସଂରକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ସମେତ ଡ଼ି.ଆର୍.ଡ଼ି.ଓ, ଆଇ.ଟି.ଆର୍., ଧାମରା, ଗୋପାଳପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୁପକ୍ଷଙ୍କର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


