ଗୁରୁ ରାମହରି ଦାଶଙ୍କୁ ଗୁରୁ ସିଂହାରୀ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍‌) : ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀ ତରଫରୁ ସପ୍ତମ ଓଡ଼ିଶୀ ରାଗ ମହୋତ୍ସବ-୨୦୧୯ ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ୧୪ ଓ ୧୫ ନଭେମ୍ବର ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପଦ୍ମବିଭୂଷଣ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ବିଜୟ ନାକୟ, ବିଶିଷ୍ଟ ଗବେଷକ ତଥା ସଙ୍ଗୀତଜ୍ଞ ଡ. କୀର୍ତ୍ତନ ନାରାୟଣ ପାଢୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ‘ଓଡ଼ିଶୀ ରାଗ ରତ୍ନାବଳୀ’ର ପଞ୍ଚମ ଭାଗ ଉନ୍ମୋଚିତ ହୋଇଥିଲା । ପରେ ପରେ ସଙ୍ଗୀତା ପଣ୍ଡାଙ୍କ ପରିଚାଳନାରେ ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀର ବରିଷ୍ଠ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ରାଗସିନ୍ଧୁ କାମୋଦୀ ପରିବେଷଣ କରାଯାଇଥିଲା । ମର୍ଦ୍ଦଳରେ ଗୁରୁ ଧନେଶ୍ୱର ସ୍ୱାଇଁ ତବଲାରେ ଗୁରୁ କୁଳମଣି ସାହୁ ଓ ମୃଦଙ୍ଗରେ ଏସ୍ ସାଇରାମ ଓ ଶେଷ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟଗୁରୁର ଆଲୋକ କାନୁନ୍‌ଗୋ ଓ ସାଥୀଙ୍କ ଦ୍ୱାରା ପଲ୍ଲବୀ ତାରା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଂସ୍କୃତି ବିଭାଗର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏବଂ ପ୍ରଖ୍ୟାତ ସାହିତ୍ୟିକ ତଥା ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡ଼େମୀର ଉପସଭାପତି ଡ. ଶାନ୍ତନୁ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ଗୁରୁ ଶ୍ରୀ ରାମହରି ଦାସଙ୍କୁ ‘ଗୁୁରୁ ସିଂହାରୀ ସମ୍ମାନ’, ସୁଶ୍ରୀ ବୀଣାପାଣି ନାୟକଙ୍କୁ ‘ଭଗବତୀ ସ୍ମୃତି ସମ୍ମାନ’ ଏବଂ ଶ୍ରୀ ରୁପକ ପରିଡ଼ାଙ୍କୁ ‘ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରିଥିଲେ ଏବଂ ଏକାଡ଼େମୀ ତରଫରୁ ସମ୍ମାନିତ ପ୍ରତିଭାମାନଙ୍କୁ ୧୦ ହଜାର ଲେଖାଏଁ ଅର୍ଥରାଶି, ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା । ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତ ତ୍ରିବେଣୀ- ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଓ ଓଡ଼ିଶୀ ପରିବେଷଣ କରାଯାଇଥିଲା । ଏହି ତିନୋଟି ଶାସ୍ତ୍ରୀୟ ସଙ୍ଗୀତର ଗାୟନ ଶୈଳୀରେ ଥିବା ମୌଳିକ ପାର୍ଥକ୍ୟକୁ ପ୍ରତିପାଦନ କରିବା ସହ ଓଡ଼ିଶୀକୁ ଦୁଇଧାରର ସମକକ୍ଷ ବୋଲି ଉପସ୍ଥାପନ କରିବାର ପ୍ରୟାସ କରିଥିଲା । ହିନ୍ଦୁସ୍ତାନ ଶାସ୍ତ୍ରୀୟ ଗାୟନ କରିଥିଲେ ମୁମ୍ବାଇରୁ ଆସିଥିବା ଶ୍ରୀମତୀ ସଙ୍ଗୀତା ଚମୁହା । ଦ୍ୱିତୀୟ ସନ୍ଧ୍ୟାର ଶେଷ କାର୍ଯ୍ୟକ୍ରମ ଓଡ଼ିଶୀ ନୃତ୍ୟରେ ସ୍ୱର ସଂଯୋଜନା କରିଥିଲେ ଗୁରୁ ନିରଞ୍ଜନ ରାଉତ ଓ ସାଥୀମାନେ । ପଲ୍ଲବୀ ଓ ଅଭିନୟରେ ଓଡ଼ିଶୀ ସଙ୍ଗୀତର ଅତ୍ୟନ୍ତ ନିଜସ୍ୱ ଓ ଶହ ଶହ ବର୍ଷର ପରମ୍ପରାଗତ ରାଗ ପଞ୍ଚମ ବିରାଡ଼ି ଉପରେ ଆଧାରିତ ତାଙ୍କର ଏହି ଦୁଇଟି ଉପସ୍ଥାପନ ଗୁରୁ ଗୋପାଳ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସଙ୍ଗୀତ ସଂଯୋଜନା କରିଥିଲେ ଶ୍ରୀମତୀ ସଙ୍ଗୀତା ପଣ୍ଡା ଓ ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ । କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ