କନ୍ଧମାଳ ପୁଲିସ ନାଁରେ ଅତ୍ୟାଚାର ଏବଂ ଚୋରି ଅଭିଯୋଗ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୁଲିସ ନାଁରେ ଅତ୍ୟାଚାର ଏବଂ ଚୋରି ଅଭିଯୋଗ ହୋଇଛି। ପାଙ୍ଗାଉପରସାହି ପଂଚାୟତବାସୀ ଏହି ଅଭିଯୋଗ ଆଣିବା ସହ ଏ ସଂକ୍ରାନ୍ତରେ କନ୍ଧମାଳ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ପଂଚାୟତର ଲୋକେ ଏକତ୍ରିତ ହୋଇ ଆସି ପୁଲିସ ବିରୋଧରେ ଅଭିଯୋଗ କରିଛନ୍ତି ଯେ ଦିନରେ ନୁହେଁ ରାତିରେ ପୋଲିସ ସାଧା ପୋଷାକରେ ଯାଇ ଲୋକଙ୍କ ଘରୁ ଗଂଜେଇ ଯାଞ୍ଚ ଆଳରେ ଘରେ ଥିବା ସୁନା, ରୁପା, ଟଙ୍କା ନେଇ ଯାଉଛି ।କିଛି ଦିନ ହେବ ପୁଲିସ ସାଧା ପୋଷାକରେ ଆମ ଗାଁକୁ ଏକ ନମ୍ବର ବିହୀନ ଡାଲା ଗାଡି ନେଇ ଆସୁଛି। ସେମାନେ ରତି ୧୦ ଟା ପରେ ଘର ଘର ବୁଲୁଛନ୍ତି । ଘରେ ଥିବା ଟଙ୍କା, ସୁନା ଗହଣା ଆଦି ଲୁଟି ନେଉଛନ୍ତି । ପ୍ରତିବାଦ କଲେ ଆମେ ଫିରିଙ୍ଗିଆ ଥାନାରୁ ଆସିଛୁ । ବେଶି ପାଟି କଲେ ତୁମ୍ଭମାନଙ୍କୁ ଗଂଜେଇ ଚାଲାଣ ଏବଂ ଚୋରି କେସ୍‌ରେ ଫସାଇ କୋର୍ଟ ଚାଲାଣ କରିବୁ । ମହିଳାମାନେ ପ୍ରତିବାଦ କଲେ ସେମାନଙ୍କ ବେକ, କାନରୁ ଗହଣା ଛିଣ୍ଡାଇ ନେଉଛନ୍ତି । ଏପରିକି ପିସ୍ତଲ ଦେଖାଇ ଭୟଭୀତ କରାଯାଉଛି । କିଛି ଦିନ ତଳେ ଗ୍ରାମର ଦୁଇ ଜଣ ଯୁବକଙ୍କୁ ପୁଲିସ ଉଠାଇ ନେଇଥିଲା। ପରଦିନ ଥାନାକୁ ଯାଇ ଦେଖିଲା ବେଳକୁ ଜଣେ ଯୁବକ ଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଏସବୁ ଦିଗକୁ ତୁରନ୍ତ ତଦନ୍ତ କରାଯାଉ। ପୁଲିସ ରାତିରେ ନ ଆସି ଦିନରେ ଆସୁ ବୋଲି ସରପଞ୍ଚ ରଶ୍ମିତା କହଁର, ଶ୍ରୀଗୁନି ଦିଗାଲ, ରଙ୍କ କହଁର, ବିନୟ କହଁର, ଦିଲ୍ଲିପ କୁମାର ଦିଗାଲ, ଦଶରଥ ଦିଗାଲ ପ୍ରମୁଖ ପ୍ରକାଶ କରିଛନ୍ତି । ଏ ନେଇ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କୁ ପଚାରିବାରୁ ଗଂଜେଇ କାଟିଲେ ବିରୋଧ । ଗଂଜେଇ ଧରିଲେ ବିରୋଧ । ଏବେ ଗଂଜେଇ ଅମଳ ସମୟ । ସେମାନେ ଗ୍ରାମରେ ମିଟିଂ କରି କେହି ପୋଲିସକୁ ଖବର ଦେବାନାହିଁ କି କିଛି ଘଟିଲେ ଥାନାକୁ ଯିବା ନାହିଁ । ଏଭଳି ହେଲେ ଗଂଜେଇ କାରବାର ଭଲ ହେବ । ପୋଲିସ କେବେ ଲୋକଙ୍କ ଘରୁ ଲୁଟ କରୁନାହିଁ । ସେମାନେ ଆଉ କିଏ ହୋଇଥିବେ । ଆମେ ମଧ୍ୟ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛୁ । ପୋଲିସକୁ ବଦନାମ କରିବା ପାଇଁ ଗ୍ରାମବାସୀ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ